ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଜାତୀୟ ରାଜପଥ ଭିତ୍ତିଭୂମିର ସୁଦୃଢ଼ୀକରଣ, ଗମନାଗମନର ସୁବିଧା ଏବଂ ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଏକ ପତ୍ର ଲେଖିଛନ୍ତି। ଏହି ଚିଠିରେ ସେ ସମ୍ବଲପୁର ସଂସଦୀୟ କ୍ଷେତ୍ର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ୩ଟି ପ୍ରମୁଖ ସଡ଼କ ପ୍ରକଳ୍ପକୁ ତୁରନ୍ତ ମଞ୍ଜୁରୀ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି।

ଓଡ଼ିଶାର ବ୍ୟସ୍ତବହୁଳ ସମ୍ବଲପୁର-ଅନୁଗୋଳ-କଟକ ଜାତୀୟ ରାଜପଥ କରିଡରରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଯାତ୍ରୀ ଓ ମାଲବାହୀ ଗାଡ଼ି ଚଳାଚଳକୁ ଦୃଷ୍ଟିରେ ରଖି ବର୍ତ୍ତମାନର ୪ ଲେନ୍ ରାସ୍ତାକୁ ୬ ଲେନ୍‌କୁ ସମ୍ପ୍ରସାରଣ କରିବା ସହ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଉଭୟ ପାର୍ଶ୍ୱରେ ୨ ଲେନ୍ ବିଶିଷ୍ଟ ସର୍ଭିସ ରୋଡ ନିର୍ମାଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ଏହାସହ NH-55 ର ଅନୁଗୋଳ-ସମ୍ବଲପୁର ସେକ୍ସନରେ ଦୁର୍ଘଟଣା ଏଡ଼ାଇବା ପାଇଁ ଜିନ୍ଦଲ ରୋଡ, ଜରପଡ଼ା, ଜେରଙ୍ଗା ଏବଂ ଚାରମାଳଠାରେ ୪ଟି ନୂତନ ଅଣ୍ଡରପାସ୍ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି।

ଅନ୍ୟପଟେ NH-53 ରେ ଥିବା ସମ୍ବଲପୁର ସିଟି ରେଳ ଷ୍ଟେସନ ଛକରେ ସଦାସର୍ବଦା ପ୍ରବଳ ଭିଡ଼ ଓ ଦୁର୍ଘଟଣାର ଆଶଙ୍କା ରହୁଥିବାରୁ ଏହାକୁ ‘ବ୍ଲାକ ସ୍ପଟ’ ଭାବେ ଚିହ୍ନଟ କରାଯାଇଛି, ଯେଉଁଥିପାଇଁ ଏଠାରେ ଏକ ନୂତନ ଫ୍ଲାଇଓଭର ନିର୍ମାଣ ପ୍ରସ୍ତାବକୁ ତୁରନ୍ତ ଆର୍ଥିକ ଓ ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରି କାମ ଆରମ୍ଭ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଏହିସବୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଆଞ୍ଚଳିକ ଗମନାଗମନ ସୁଗମ ହେବା ସହିତ ଓଡ଼ିଶାର ଶିଳ୍ପ ଓ ଅର୍ଥନୈତିକ ପ୍ରଗତି ଆହୁରି ଦ୍ରୁତ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।

 

 

 

 

 

 

Leave a Reply

Your email address will not be published. Required fields are marked *