ନବନିଯୁକ୍ତ ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଓ ସାଂସଦ ଡି.ପୁରନ୍ଦେଶ୍ୱରୀ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତ ଅବସରରେ କହିଛନ୍ତି, “ଦ୍ୱିତୀୟ ଥର ପାଇଁ ଓଡିଶାର ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି । ରାଜ୍ୟରେ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦିଆଯିବ । ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ କରାଯିବ” । ତାଙ୍କ ସହିତ ନବନିଯୁକ୍ତ ସହପ୍ରଭାରୀ ତଥା ରାଷ୍ଟ୍ରୀୟ ସଂପାଦକ ଡ.ସ୍ୱଦେଶ ସିଂହ ମଧ୍ୟ ଓଡ଼ିଶା ଗସ୍ତ କରିଛନ୍ତି । ରାଜ୍ୟ ବିଜେପି ତରଫରୁ ଉଭୟଙ୍କୁ ବିମାନ ବନ୍ଦରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟ କାର୍ଯ୍ୟାଳୟରେ ଦଳର ନେତୃବୃନ୍ଦ ପୁଷ୍ପଗୁଚ୍ଛ ଦେଇ ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରେ ଶ୍ରୀମତୀ ପୁରନ୍ଦେଶ୍ୱରୀ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୩୫ ନମ୍ବର ୱାର୍ଡସ୍ଥିତ ଅଙ୍ଗନୱାଡି କେନ୍ଦ୍ରରେ ଆୟୋଜିତ ‘ଆଙ୍ଗନ୍ କି ଉତ୍ସବ’ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପୁରନ୍ଦେଶ୍ୱରୀ ଅଙ୍ଗନୱାଡି କର୍ମଚାରୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ବିକାଶ କ୍ଷେତ୍ରରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ଅଙ୍ଗନୱାଡି କେନ୍ଦ୍ରଗୁଡିକ ସୁଦୃଢ କରିବା ଏବଂ ଶିଶୁ, ଗର୍ଭବତୀ ମହିଳା ଓ ସନ୍ତାନମାନଙ୍କୁ ଉନ୍ନତ ପୋଷଣ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକ ଉପରେ ଆଲୋଚନା କରିଥିଲେ । ସେହିପରି ରାଜ୍ୟ ସହପ୍ରଭାରୀ ଡ.ସ୍ୱଦେଶ ସିଂହ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୪୦ ନମ୍ବର ୱାର୍ଡସ୍ଥିତ ଅଙ୍ଗନୱାଡି କେନ୍ଦ୍ରରେ ଆୟୋଜିତ ‘ଆଙ୍ଗନ୍ କି ଉତ୍ସବ’ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଦଳୀୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀ ବୈଠକରେ ଉଭୟ ପ୍ରଭାରୀ ଶ୍ରୀମତୀ ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ଡ.ସିଂହଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ, ଆଜିର ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ଏବଂ ପ୍ରକୋଷ୍ଠ ସଂଯୋଜକ ଓ ସହ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ବିଶେଷ ଭାବେ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶର ସାଙ୍ଗଠନିକ କାର୍ଯ୍ୟକଳାପ, ଆଗାମୀ କାର୍ଯ୍ୟ ଯୋଜନା, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସେହପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ମାସେ ବ୍ୟାପୀ ଚାଲିଥିବା “ସେବା ସଂକଳ୍ପ ଅଭିଯାନ” ଅନ୍ତର୍ଗତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହିତ ଆଗାମୀ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡିକୁ ସଫଳ କରିବା ଉଦ୍ଦେଶ୍ୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ସେହିପରି ଆସନ୍ତା ଅକ୍ଟୋବର ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ୨୫ ବର୍ଷ ପୂରଣ କରୁଛନ୍ତି । ଏହି ଅବସରରେ ଓଡ଼ିଶାର ୩୦ଟି ଜିଲ୍ଲା ସମେତ ଦେଶବ୍ୟାପୀ “ସେବା ଜ୍ୟୋତି” କାର୍ଯ୍ୟକ୍ରମର ଅନୁଷ୍ଠିତ ହେବ । ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ଆଜିର ବୈଠକରେ ବିସ୍ତୃତ ରୂପରେଖ ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ଅଧିକରୁ ଅଧିକ ଜନସାଧାରଣ କିପରି ଏହି ସେବା ଜ୍ୟୋତି କାର୍ଯ୍ୟକ୍ରମରେ ଭାଗନେବେ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଆଭାସୀ ମାଧ୍ୟମରେ ଶୁଣିପାରିବେ ସେ ନେଇ ବୈଠକରେ ସମୀକ୍ଷା କରାଯାଇଥିଲା ବୋଲି ଶ୍ରୀ ତ୍ରିପାଠୀ ସୁଚନା ଦେଇଛନ୍ତି । ଦୁଇ ଦିନିଆ ଓଡ଼ିଶା ଗସ୍ତ ଅବସରରେ ପ୍ରଭାରୀ ଶ୍ରୀମତୀ ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ଡ.ସିଂହ ରାଜ୍ୟରେ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ” ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ବିଭିନ୍ନ ଦଳୀୟ ସାଂଗଠନିକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । Post navigation India Defend Asian Games Hockey Gold, Secure LA 2028 Olympic Qualification Hockey India Announces ₹11 Lakh Reward for Each Asian Games Gold Medallist