BJP Odisha In-Charge D. Purandeswari on 2-Day Odisha Visit

ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜେପିର ନବନିଯୁକ୍ତ ଓଡ଼ିଶା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଓଡ଼ିଶା ପ୍ରଭାରୀ ଦାୟିତ୍ୱ ପାଇବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଦୁଇଦିନିଆ ଗସ୍ତରେ ଆସିଥିବା ପୁରନ୍ଦେଶ୍ୱରୀଙ୍କ ସହ ଦଳର ସହପ୍ରଭାରୀ ଡା. ସ୍ୱଦେଶ ସିଂହ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ୨୩ରେ ବିଜେପି ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶା ପ୍ରଭାରୀ ଏବଂ ସ୍ୱଦେଶ ସିଂହଙ୍କୁ ସହପ୍ରଭାରୀ ଭାବେ ନିଯୁକ୍ତ କରିଥିଲା ।

ଓଡ଼ିଶା ଗସ୍ତ ସମୟରେ ପୁରନ୍ଦେଶ୍ୱରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତିଙ୍କ ସହ ଆଲୋଚନା କରିବେ । ବୈଠକରେ ଦଳର ସାଙ୍ଗଠନିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା, ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରିବା ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ ବିସ୍ତୃତ ଆଲୋଚନା କରିବେ । ଏହାସହ ବରିଷ୍ଠ ଦଳୀୟ ନେତାମାନଙ୍କ ସହ ବୈଠକ କରିବା ସହ ୩୭ଟି ସାଙ୍ଗଠନିକ ଜିଲ୍ଲାର ପ୍ରଭାରୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ ।

ଓଡ଼ିଶା ଗସ୍ତକୁ ନେଇ ପୁରନ୍ଦେଶ୍ୱରୀ କହିଛନ୍ତି ଯେ, ସରକାର ଓ ସଂଗଠନ ମଧ୍ୟରେ ସଠିକ୍ ସମନ୍ୱୟ ରଖି ବିଜେପି ଆଗକୁ ବଢ଼ିବ। ଦ୍ୱିତୀୟ ଥର ପାଇଁ ଓଡ଼ିଶାର ଦାୟିତ୍ୱ ମିଳିଥିବାରୁ ଦଳକୁ ଆହୁରି ମଜଭୁତ କରିବା ଦିଗରେ କାମ କରିବେ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଏବଂ ଲୋକଙ୍କ ଆଶୀର୍ବାଦରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ବିଜୟ ହାସଲ କରିବା ଲକ୍ଷ୍ୟରେ ଆଗକୁ ବଢ଼ିବ ।

ପୁରନ୍ଦେଶ୍ୱରୀ ଏହା ପୂର୍ବରୁ ୨୦୨୦ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଓଡ଼ିଶା ବିଜେପିର ପ୍ରଭାରୀ ଦାୟିତ୍ୱ ତୁଲାଇଥିଲେ। ଏବେ ପୁଣି ତାଙ୍କୁ ଓଡ଼ିଶାର ଦାୟିତ୍ୱ ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *