ବହୁ ପ୍ରତୀକ୍ଷିତ ଡଙ୍କାରୀ ମେଗା ଅଶୋଧିତ ତୈଳ ଭଣ୍ଡାର ପାଇଁ ଚିହ୍ନଟ ହୋଇଥିବା ଜମି ଏବେ ମାଫିଆଙ୍କ କବ୍ଜାରେ । ଏଠାରୁ ଦିନକୁ ପ୍ରାୟ ଦୁଇ କୋଟି ଟଙ୍କାର କଳା ଗ୍ରାନାଇଟ୍ ଲୁଟି ଚାଲିଛନ୍ତି ବାହୁବଳୀ ମାଫିଆ ଗୋଷ୍ଠୀ । ଏହି ଗୋଷ୍ଠୀଙ୍କ ପଛରେ କୁଆଡେ ରହିଛି ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ ଆଉ ସାଂସଦଙ୍କ ଆଶୀର୍ବାଦ । ପୂର୍ବରୁ ରାଜ୍ୟରେ ବିଜଦ ସରକାର ଥିବାବେଳେ ଯେଉଁ ପରିସ୍ଥିତି ରହିଥିଲା ଏବେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ ମଧ୍ୟ ସେଇ ସମାନ ଅବସ୍ଥା । ସେତେବେଳେ ତୈଳ ପ୍ରକଳ୍ପରେ ବାଧକ ସାଜିଥିବା ମାଫିଆମାନେ ନବୀନ ସରକାରର ଗେହ୍ଲାପୁଅ ଥିଲେ ଆଉ ଏବେ ସେମାନେ ରଙ୍ଗ ବଦଳେଇ ମୋହନ ସରକାରରେ ବି କୋଠ ପୁଅ ସାଜିଛନ୍ତି । ଏହି ପ୍ରକଳ୍ପଟିକୁ କାର୍ଯ୍ୟକାରୀ କରିବାକୁ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇ ଯାଇ ଚୁକ୍ତି ସ୍ୱାକ୍ଷର କରିଥିଲେ । ଜମି ଅଧିଗ୍ରହଣ ଗତିକୁ ଦେଖି ଲାଗୁଛି ଯେପରି ରାଜ୍ୟ ଭାଜପା ସରକାରର ଆଗ୍ରହ ନାହିଁ । ଦେଶର ଶକ୍ତି ସୁରକ୍ଷା ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ଏହି ମେଗା ତୈଳ ଭଣ୍ଡାର ଅନେକ ଚାହିଦା ପୂରଣ କରିପାରିବାର ଲକ୍ଷ୍ୟରଖି ଏଠାରେ ପ୍ରକଳ୍ପଟିକୁ ସ୍ଥାପନ କରିବାକୁ ପ୍ରଥମେ ଗତ ୨୦୧୭ ମସିହାରେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦିଆଯାଇଥିଲା । ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେଲେ ଏଥିରେ ପ୍ରାୟ ୪୪ ଲକ୍ଷ ଟନ୍ ଅଶୋଧୀତ ତୈଳ ଗଛିତ ରହିବାର କ୍ଷମତା ରହିବ ବୋଲି କୁହାଯାଇଥିଲା। ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେବାକୁ ମୋଟ୍ ବ୍ୟୟ ଅଟକଳ ୬ହଜାର ୫ଶହ କୋଟି ରଖାଯାଇଥିବା ବେଳେ ୫ ହଜାର କର୍ମ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି କୁହାଯାଇଥିଲା । ଫଳରେ ସମ୍ପୂର୍ଣ୍ଣ ପ୍ରକଳ୍ପଟି ପାଇଁ ମୋଟ୍ ୪ଶହ ଏକର ଜମି ଆବଶ୍ୟକ ରହିଥିବାରୁ ତୁରନ୍ତ ଜମି ଚିହ୍ନଟ କରି ହସ୍ତାନ୍ତର କରିବାକୁ ସେତେବେଳେ ରାଜ୍ୟ ସରକାରଙ୍କୁ କୁହାଯାଇଥିଲା । କିନ୍ତୁ ତତ୍କାଳୀନ ବିଜଦ ସରକାର ଦୀର୍ଘ ୭ ବର୍ଷ ମଧ୍ୟରେ ଆବଶ୍ୟକ ଜମି ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଏହାର କାରଣ ବୋଲି ଯାହା ଜଣାପଡିଥିଲା ତାହା ହେଉଛି ଚିହ୍ନଟ ଜମିରେ ଥୁବା ୧୬ଟି ଗ୍ରାନାଇଟ୍ ଖାଦାନ । ଏହି ଖାଦାନଗୁଡିକ ଚଳାଉଥିବା ମାଫିଆମାନେ ସବୁ ତତ୍କାଳୀନ ବିଜଦ ବିଧାୟକ ଏବଂ ଦଳ ପାଇଁ କାମଧେନୁ ଗାଈ ଥିଲେ । ଯେଉଁ କାରଣରୁ ପ୍ରକଳ୍ପ ପାଇଁ ଆବଶ୍ୟକ ୪ଶହ ଏକର ଜମି ଚିହ୍ନଟ ହୋଇଥିଲେ ମଧ୍ୟ ଉକ୍ତ ଜମିରେ ଗ୍ରାନାଇଟ୍ ଖାଦାନ ଚାଲୁଥିବାରୁ ଇଞ୍ଚେ ବି ଜମି ଅଧିଗ୍ରହଣ ହୋଇପାରି ନଥିଲା । ରୀତିମତ୍ ମୋଟା ଅଙ୍କର ଚାନ୍ଦା ଦଳୀୟ ଟ୍ରେଜେରୀ ଗରମ କରୁଥିବା କାରଣରୁ ତୈଳ ଭଣ୍ଡାର ପାଇଁ ଜମି ଯୋଗାଇ ଦେଇ ପରୋକ୍ଷରେ ନିଜ ନେଉଟିଆ କିଆରୀକୁ ନଷ୍ଟ କରିବାକୁ କେହି ଉଚିତ୍ ମଣି ନଥିଲେ । ଗତ ୨୦୨୪ ମସିହାରେ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର କ୍ଷମତାକୁ ଆସିବା ପରେ ସମସ୍ତେ ଆଶା କରିଥିଲେ ଏଥର ପ୍ରକଳ୍ପ ରାସ୍ତାରୁ ସବୁ ବାଧକ ହଟିଯିବ । ସୁରୁଖୁରୁରେ ଜମି ଅଗ୍ରହଣ କରାଯାଇ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିବ । କିନ୍ତୁ ପୂର୍ବ ବିଜଦ ସରକାର ସମୟରେ ଯେଉଁ ପରିସ୍ଥିତି ରହିଥୁଲା ଭାଜପା ସରକାର ଆସିବା ପରେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ଆସିନଥିଲା । ପୂର୍ବରୁ ବିଜଦ ସମର୍ଥନରେ ଡଙ୍କାରୀ ଲୁଟୁଥିବା ମାଫିଆମାନେ ସବୁ କଳ କୌଶଳ କରି ଭାଜପା ବିଧାୟକ ଏବଂ ମନ୍ତ୍ରୀଙ୍କର ଖାସ୍ ଅନୁଗତ ହେବାରେ ସକ୍ଷମ ହୋଇଗଲେ । ଇତିମଧ୍ୟରେ ଗତ ମେ ମାସରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇ ଗସ୍ତ କରିବା ସମୟରେ ଏହି ତୈଳ ପ୍ରକଳ୍ପ ପାଇଁ ଚୁକ୍ତି ନାମା ସାକ୍ଷରିତ କରିଥିଲେ । ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୋୟେଦ ଅଲ୍ ନହୟାନଙ୍କ ସହିତ ଏହି ବୁଝାମଣା ହୋଇଥିଲା । ୨୦୧୭ମସିହାରେ ଏହି ପ୍ରକଳ୍ପଟିର ମୋଟ ବ୍ୟୟ ଅଟକଳ ୬ହଜାର ୫ଶହ କୋଟି ରହିଥିବା ବେଳେ ଗତ ମେ ମାସରେ ପ୍ରଧାନମନ୍ତ୍ରୀ ବୁଝାମଣା କରିବା ସମୟରେ ଏହାର ବ୍ୟୟ ଅଟକଳକୁ ବୃଦ୍ଧି କରାଯାଇ ୮,୭୪୩ କୋଟି ରଖା ଯାଇଥିଲା ଏହି ପ୍ରକଳ୍ପଟି ଓଡିଶାବାସୀଙ୍କ ପାଇଁ ମୋଦୀଙ୍କର ସବୁଠାରୁ ବଡ ଭେଟି ବୋଲି ପ୍ରଚାର କରାଯାଇଥିଲା । କିନ୍ତୁ ପ୍ରକଳ୍ପଟିର ସଫଳ ରୂପାୟନ ବାବଦରେ ରାଜ୍ୟର ଡବଲ ଇଞ୍ଜିନ୍ ସରକାର ଆଦୌ ଆଗ୍ରହୀ ନଥିବା ଦେଖିବାକୁ ମିଳୁଛି । ମଜାଦାର କଥା ହେଉଛି ଗତ ୨୦୨୫ ମାର୍ଚ୍ଚ ମାସ ୨୯ ତାରିଖ ଦିନ ଚିଠି ନମ୍ବର – ୪୫୦୩ରେ ତୈଳ ପ୍ରକଳ୍ପ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ୪ଶହ ଏକର ଜମି ରେ ଚାଲିଥିବା ସମସ୍ତ ଖାଦାନରୁ ଉତ୍ତୋଳନ ବନ୍ଦ କରିବାକୁ ଶିଳ୍ପ ବିଭାଗ ସଚିବ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚିଠି ପାଇବା ପରେ ଜିଲ୍ଲାପାଳ ଅପ୍ରେଲ ମାସ ୧୬ ତାରିଖରେ ଚିଠି ନମ୍ବର – ୫୭୬୮ରେ ଏନେଇ ଯାଜପୁର ଡିଡିଏମ୍ ମାଇନର ମିନେରାଲ ଏବଂ ଧର୍ମଶାଳା ତହସିଲଦାରଙ୍କୁ ଅବଗତ କରାଇ ଖାଦାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମାଫିଆଙ୍କ ଇଙ୍ଗିତରେ ଚାଲିଥିବା ଯାଜପୁର ଡିଡିଏମ୍ ଏବଂ ତହସିଲଦାର ଉଭୟ ଜିଲ୍ଲାପାଳ ଏବଂ ଶିଳ୍ପ ସଚିବଙ୍କ ନିର୍ଦେଶକୁ ଫୁ’ରେ ଉଡାଇ ଦେଇଥିବା ଦେଖିବାକୁ ମିଳିଛି। ଚିହ୍ନଟ ୪ଶହ ଏକର ଜମିରେ ପୂର୍ବରୁ ଯେମିତି ଗ୍ରାନାଇଟ୍ ଉତ୍ତୋଳନ ଚାଲିଥିଲା ଏବେ ମଧ୍ୟ ଠିକ୍ ସେମିତି ଚାଲିଥିବା ସମସ୍ତେ ଦେଖୁଛନ୍ତି । ଏହି ପ୍ରକଳ୍ପର ଅଗ୍ରଗତି ପାଇଁ ଯାଜପୁର ସାଂସଦ ରବୀନ୍ଦ୍ର ବେହେରା ଆଇଏସପିଆରଏଲ୍ ମୁଖ୍ୟଙ୍କୁ ସାକ୍ଷାତ କରିଥିବା ନେଇ ସୋସିଆଲ ମିଡିଆରେ ନିଜେ ଫଟୋ ପୋଷ୍ଟ କରିଛନ୍ତି । କିନ୍ତୁ ଅଢେଇ ବର୍ଷ ମଧ୍ୟରେ ରବୀନ୍ଦ୍ର କେବେ ଜମି ଅଧୂଗ୍ରହଣ ନେଇ ଜିଲା ପ୍ରଶାସନ ସହିତ ଆଲୋଚନା କରିଥିବା କିମ୍ବା ତାଙ୍କ ପାଦ ଥରେ ହେଲେ ପ୍ରକଳ୍ପ ସ୍ଥାନରେ ପଡିଥିବା କେହି ଦେଖୁନାହାନ୍ତି । ଅନ୍ୟ ପକ୍ଷରେ ଡଙ୍କାରୀର ସବୁ ମାଫିଆମାନେ ସ୍ଥାନୀୟ ବିଧାୟକଙ୍କ ଛତ୍ରଛାୟାରେ ରହି ବେଧଡ଼ିକ ଲୁଟ୍ ଚଳାଇଥିବା ଅଭିଯୋଗ ହେଉଛି। ଫଳରେ ଓଡିଶାକୁ ମୋଦୀ ଦେଇଥିବା ଏହି ଉପହାର ରାସ୍ତାରେ କିଏ ବାଧକ ସାଜିଛି ତାହା ସହଜରେ ଅନୁମାନ କରାଯାଇ ପାରିବ । Post navigation Ruckus in Odisha Assembly: ଚତୁର୍ଥ ଦିନରେ ମାତ୍ର ୪ ମିନିଟ୍ର ପ୍ରଶ୍ନକାଳ ପରେ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି MMDR Act Controversy: ଏସ୍ଏମ୍ଡିଆର୍ : ତଥ୍ୟ ଲୁଚାଉଛନ୍ତି ସରକାର