ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ହ୍ରାସ ପାଇବାକୁ ନେଇ ରାଜ୍ୟ ବିଧାନସଭାରେ ଚିନ୍ତା ପ୍ରକଟ କରାଯାଇଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବର୍ତ୍ତମାନ କୌଣସି ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁନାହିଁ। ବିଧାୟକ କଳିକେଶ ନାରାୟଣ ସିଂହ ଦେଓଙ୍କ ପ୍ରଶ୍ନର ଉତ୍ତର ଦେଇ ଓଡ଼ିଶାର ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, କେବଳ ଆନ୍ତର୍ଜାତୀୟ ନୁହେଁ, ବରଂ ଘରୋଇ ବିମାନ ସେବା କ୍ଷେତ୍ରରେ ମଧ୍ୟ ଭୁବନେଶ୍ୱରରୁ ଯାତାୟାତ ଯଥେଷ୍ଟ କମିଛି। ୨୦୨୫ ମସିହାରେ ଭୁବନେଶ୍ୱରରୁ ୩୩ଟି ଘରୋଇ ସହରକୁ ବିମାନ ସେବା ଉପଲବ୍ଧ ଥିବାବେଳେ, ୨୦୨୬ ମସିହା ବେଳକୁ ଏହି ସଂଖ୍ୟା କମି ମାତ୍ର ୧୯ରେ ପହଞ୍ଚିଛି। ବିଗତ ଦିନଗୁଡ଼ିକରେ ଇନ୍ଦୋର, ଦେହରାଦୂନ, କୋଚି, ପୁଣେ ଏବଂ ଗୋଆ ଭଳି ଗୁରୁତ୍ୱପୂର୍ଣ୍ଣ ଘରୋଇ ରୁଟ୍ଗୁଡ଼ିକରେ ବିମାନ ଚଳାଚଳ ବିଭିନ୍ନ ସମୟରେ ବନ୍ଦ ହୋଇଯାଇଛି। ପୂର୍ବରୁ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର, ଆବୁଧାବି ଏବଂ ବ୍ୟାଙ୍କକ ଭଳି ପ୍ରମୁଖ ଆନ୍ତର୍ଜାତୀୟ ସହରଗୁଡ଼ିକୁ ସିଧାସଳଖ ବିମାନ ସେବା ଯୋଗାଇ ଦିଆଯାଉଥିଲା। ଦୁବାଇ ଓ ସିଙ୍ଗାପୁର ରୁଟ୍କୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ‘ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ’ (VGF) ସହାୟତା ମଧ୍ୟ ଯୋଗାଇ ଦେଇଥିଲେ। ହେଲେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ, ବ୍ୟବସାୟିକ ଅଲାଭଜନକତା, ଅପରେସନାଲ ସମସ୍ୟା ଏବଂ ଋତୁକାଳୀନ ଚାହିଦା ଅଭାବ ଯୋଗୁଁ ଏହି ସେବାଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନିଆଯାଇଛି।ବିଦେଶୀ ବିମାନ ଚଳାଚଳ ବନ୍ଦ ହେବା କାରଣରୁ ନିୟମିତ ଯାତ୍ରୀ, ବ୍ୟବସାୟୀ ତଥା ପର୍ଯ୍ୟଟକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ପରିସ୍ଥିତିକୁ ସୁଧାରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି। ବ୍ୟାଙ୍କକକୁ ପୁଣି ଥରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ଏବଂ ଆସନ୍ତା ଅକ୍ଟୋବର ମାସରୁ ଏହି ବିମାନ ଚଳାଚଳ ଆରମ୍ଭ ହେବାର ସମ୍ଭାବନା ରହିଛି। Post navigation Puri Cruise Terminal: ପୁରୀରେ ଗଢ଼ିଉଠିବ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍: ୨୦୨୮ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ଲକ୍ଷ୍ୟ Samir Dash Announces 2029 Nimapara Contest: ନିମାପଡ଼ା ରାଜନୀତିରେ ହଇଚଇ: ୨୦୨୯ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ସମୀର ଦାଶଙ୍କ ବଡ଼ ଘୋଷଣା