ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର (ଅମର୍ଦ୍ଦା ରୋଡ୍) ଏୟାରଷ୍ଟ୍ରିପ୍‌କୁ ଏକ ପୂର୍ଣ୍ଣାଙ୍ଗ ବିମାନବନ୍ଦରରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନେଇ ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି।

ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ‘ଉଡାନ’ ଯୋଜନାରେ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍‌କୁ ବିମାନବନ୍ଦରରେ ରୂପାନ୍ତରିତ କରିବା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି।

​ଚଳିତ ବଜେଟ୍‌ରେ ଏହି ଏୟାରଷ୍ଟ୍ରିପ୍‌ର ଉନ୍ନତିକରଣ ଓ ବିକାଶ ନିମନ୍ତେ ଆବଶ୍ୟକୀୟ ଅର୍ଥ ବରାଦ କରାଯାଇଛି। ଏହି ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗରେ ଅଛନ୍ତି।

​ଏହି ବିମାନବନ୍ଦର କାର୍ଯ୍ୟକ୍ଷମ ହେଲେ ମୟୂରଭଞ୍ଜ ଜିଲ୍ଲା ସହ ଆଖପାଖ ଅଞ୍ଚଳର ବିମାନ ଯୋଗାଯୋଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏହି ଐତିହାସିକ ଅମର୍ଦ୍ଦା ରୋଡ୍ ଏୟାରଷ୍ଟ୍ରିପ୍ ବିମାନବନ୍ଦରରେ ରୂପାନ୍ତରିତ ହେବା ଦ୍ୱାରା ମୟୂରଭଞ୍ଜ ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହେବ। ଏହା ଦ୍ୱାରା ପର୍ଯ୍ୟଟନ, ବାଣିଜ୍ୟ ଓ ଆଞ୍ଚଳିକ ବିକାଶକୁ ବ୍ୟାପକ ପ୍ରୋତ୍ସାହନ ମିଳିବ।

Leave a Reply

Your email address will not be published. Required fields are marked *