ଖଣି ସଂଶୋଧନ ବିଲ୍ (MMDR) କୁ ନେଇ ରାଜ୍ୟ ରାଜନୀତି ଅତ୍ୟନ୍ତ ସରଗରମ ହୋଇଉଠିଛି। ବିଜେଡି ବିଜେପି ନେତା ଓ ସାଂସଦମାନଙ୍କ ଉପରେ କଡ଼ା ପ୍ରହାର କରିବା ସହ ସେମାନେ ରାଜଧର୍ମ ଭୁଲିଯାଇ ନିଜ ‘ମା’ ଓ ମାଟି’ ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଅଭିଯୋଗ ଆଣିଛି। ବରିଷ୍ଠ ବିଜେଡି ନେତ୍ରୀ ସୁଜାତା ରାଉତ ସମାଲୋଚନା କରି କହିଛନ୍ତି ଶାସନ କ୍ଷମତାର ମୋହରେ ଅନ୍ଧ ହୋଇ ବିଜେପି ନେତା ଓ ସାଂସଦମାନେ ନିଜ ନୈତିକତା ଓ ରାଜଧର୍ମ ଭୁଲିଯାଇଛନ୍ତି, ଯାହା ନିଜ ମା’ ଓ ମାଟି ପ୍ରତି ଏକ ଗୁରୁତର ଅନ୍ୟାୟ। ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୨୦୨୪ରେ ଦେଇଥିବା ଐତିହାସିକ ରାୟ ଅନୁସାରେ, ରୟାଲଟି ନିଜେ କୌଣସି ଟିକସ ନୁହେଁ, ବରଂ ରାଜ୍ୟଗୁଡ଼ିକର ନିଜ ଖଣିଜ ସମ୍ପଦ ଓ ଖଣି ଜମି ଉପରେ ଟିକସ ଲଗାଇବାର ସାମ୍ବିଧାନିକ କ୍ଷମତା ରହିଛି। ଏହି ରାୟ ବଳରେ ଓଡ଼ିଶା ଭଳି ପ୍ରଚୁର ଖଣିଜ ସମ୍ପଦରେ ଭରପୂର ରାଜ୍ୟ ଅତିରିକ୍ତ ରାଜସ୍ୱ ହାସଲ କରି ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ବ୍ୟାପକ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରିବାର ସୁଯୋଗ ପାଇଥିଲା। ତେବେ ସଂଶୋଧିତ MMDR ଆଇନ ମାଧ୍ୟମରେ ରାଜ୍ୟଗୁଡ଼ିକର ଏହି ଅତିରିକ୍ତ ଟିକସ, ସେସ୍ କିମ୍ବା ଲେଭି ଲଗାଇବାର ସାମ୍ବିଧାନିକ କ୍ଷମତାକୁ ସୀମିତ କରାଯାଉଥିବା ନେଇ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ଓଡ଼ିଶା ସାରା ଦେଶର ଖଣିଜ ପ୍ରଗତିରେ ବଡ଼ ଯୋଗଦାନ ଦେଉଥିବା ବେଳେ ଖଣି ଖନନ ଜନିତ ପରିବେଶ ପ୍ରଦୂଷଣ, ଜଙ୍ଗଲ କ୍ଷୟ ଓ ସାମାଜିକ ପ୍ରଭାବକୁ ମଧ୍ୟ ନିଜେ ବହନ କରୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ରାଜସ୍ୱ ଅଧିକାର ସଙ୍କୁଚିତ ହେବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଦାବି କରାଯାଇଛି। ଏହି ବିଲ୍ ସଂସଦରେ ପାରିତ ହେବା ସମୟରେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷା ପାଇଁ ଯଥେଷ୍ଟ ଆଲୋଚନା ହୋଇଥିଲା କି ନାହିଁ ଏବଂ ଏଥିରେ ସାଂସଦମାନଙ୍କ ଭୂମିକା କ’ଣ ଥିଲା, ସେ ନେଇ ମଧ୍ୟ ସୁଜାତା ରାଉତ ପ୍ରଶ୍ନ ଉଠାଇଛନ୍ତି। ସେ ବିଜେପି ଖଣି ସଂଶୋଧନ ବିଲ୍କୁ ସମର୍ଥନ କରୁଥିବା ବିଜେପି ସାଂସଦମାନଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ-ସେମାନେ ନିଜ ମାତୃଭୂମି ସହିତ ଅଛନ୍ତି, ନା ଅନ୍ୟ କାହା ସହିତ? ଏଥି ସହିତ ଓଡ଼ିଶାର ଜେନ୍-ଜି (Gen-Z) ଓ ସେମାନଙ୍କ ଭବିଷ୍ୟତ ସହ ଅଛନ୍ତି, ନା ଯେଉଁମାନେ ଓଡ଼ିଶାର ସାମ୍ବିଧାନିକ ଅଧିକାର ଛଡ଼ାଇ ନେଉଛନ୍ତି ସେମାନଙ୍କ ସହିତ ଅଛନ୍ତି? ସୁଜାତା ଆଉ ମଧ୍ୟ କହିଛନ୍ତି ବିଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓଡ଼ିଶାର ସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ଏକ ସୁଦୃଢ଼ ପ୍ରାଚୀର ହୋଇ ରହିଥିଲା, ଯାହା ଫଳରେ ପୂର୍ବରୁ ଏଭଳି ଓଡ଼ିଶା-ବିରୋଧୀ ବିଲ୍ ସଂସଦରେ ଆଣିବାକୁ କେହି ସାହସ କରୁନଥିଲେ। ଏବେ ଓଡ଼ିଶାର ସ୍ୱାଭିମାନ ଓ ସମ୍ପଦ ରକ୍ଷା କରିବାର ଅସଲ ସମୟ ଆସିପହଞ୍ଚିଛି। ଯେପର୍ଯ୍ୟନ୍ତ ଏହି ଓଡ଼ିଶା-ବିରୋଧୀ ସଂଶୋଧିତ MMDR ଆଇନ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହୃତ ନହୋଇଛି, ସେପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ନିର୍ଭୀକ ନେତୃତ୍ୱରେ ବିଜେଡି ନିଜର ଏହି ସଂଗ୍ରାମ ଓ ଆନ୍ଦୋଳନ ଜାରି ରଖିବ ବୋଲି ସ୍ପଷ୍ଟ ଚେତାବନୀ ଦେଇଛି ବିଜେଡ଼ି। Post navigation Odisha Assembly: MMDR ଆଇନ ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ବିରୋଧୀଙ୍କ ହଙ୍ଗାମା: ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବୀ Textbook Error Row: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗକୁ ନେଇ ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି; ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି