ରାଜଧାନୀ ଭୁବନେଶ୍ୱରକୁ ସୁନ୍ଦର, ସୁରକ୍ଷିତ ଓ ବେଆଇନ କବ୍ଜାରୁ ମୁକ୍ତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସହରର ବିଭିନ୍ନ ପ୍ରମୁଖ ରାସ୍ତା ଓ ସାର୍ବଜନୀନ ସ୍ଥାନରେ ନିୟମ ଉଲ୍ଲଂଘନ କରି ଲଗାଯାଇଥିବା ବିଜ୍ଞାପନ ହୋର୍ଡିଂ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହା ସହିତ ଏଜି ଛକରୁ ଲୋକସେବା ଭବନ ଦେଇ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ରାସ୍ତାରେ ଥିବା ସମସ୍ତ ଅସ୍ଥାୟୀ ହୋର୍ଡିଂଗୁଡ଼ିକୁ ମଧ୍ୟ ହଟାଯିବ। ଏହି ସମ୍ପୂର୍ଣ୍ଣ ଅଞ୍ଚଳକୁ ନୋ ହୋର୍ଡିଂ ଜୋନ୍ ଭାବେ ଘୋଷଣା କରାଯାଇଛି, ଯାହାଦ୍ୱାରା ଏହି ମାର୍ଗରେ ଥିବା ସମସ୍ତ ଅସ୍ଥାୟୀ ଓ ମନଇଚ୍ଛା ଲଗାଯାଇଥିବା ବିଜ୍ଞାପନ ହୋର୍ଡିଂଗୁଡ଼ିକୁ ତୁରନ୍ତ ହଟାଇ ଦିଆଯିବ। ନୂତନ କଟକଣା ଅନୁଯାୟୀ, ‘Display of Advertisement Regulation, 2017’ ର ନିୟମାବଳୀ ପ୍ରକାରେ କୌଣସି ବିଜ୍ଞାପନ ହୋର୍ଡିଂର ସର୍ବାଧିକ ଉଚ୍ଚତା ୪୦ ଫୁଟରୁ ଅଧିକ ହୋଇପାରିବ ନାହିଁ ଏବଂ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ହୋର୍ଡିଂ ତଳେ ଅତି କମରେ ୮ ଫୁଟର ଖାଲି ଜାଗା (କ୍ଲିୟରାନ୍ସ) ରହିବା ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ବେଆଇନ ଭାବେ ହୋର୍ଡିଂ ଲଗାଇଥିବା ସମସ୍ତ ବିଜ୍ଞାପନ ସଂସ୍ଥାଙ୍କୁ ନୋଟିସ୍ ଜାରି କରାଯାଇ ନିଜ ନିଜର ହୋର୍ଡିଂ ଓ ବିଜ୍ଞାପନ ସମ୍ବନ୍ଧୀୟ ସମସ୍ତ ବୈଧ କାଗଜପତ୍ର ଏବଂ ତଥ୍ୟ ଆସନ୍ତା ଏକ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବଶ୍ୟକୀୟ ତଥ୍ୟ ଦାଖଲ ନକଲେ କିମ୍ବା ବିନା ଅନୁମତିରେ ହୋର୍ଡିଂ ଲଗାଯାଇଥିବା ଜଣାପଡ଼ିଲେ, ସେଗୁଡ଼ିକୁ କାଢ଼ି ନିଆଯିବା ସହ ସମ୍ପୃକ୍ତ ଏଜେନ୍ସି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। Post navigation Odisha Final Voter List 2026 Published: ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬; ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା Schools Shut, Leave of Govt Employees Cancelled in This Odisha Dists Amid Heavy Rain Forecast