ଓଡ଼ିଶାରେ ‘ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬’ ପ୍ରକ୍ରିୟା ଶେଷ ହେବା ପରେ ଆଜି ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପୂର୍ବରୁ ରାଜ୍ୟର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଲନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ବୈଠକ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପାଲନ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାର ଗୋଟିଏ ଲେଖାଏଁ ଅବିକଳ ସଫ୍ଟ/ହାର୍ଡ କପି ପ୍ରଦାନ କରିଥିଲେ। ଭୋଟର ତାଲିକାକୁ ସ୍ୱଚ୍ଛ, ତ୍ରୁଟିମୁକ୍ତ ଓ ସର୍ବସାଧାରଣଙ୍କ ପାଇଁ ଗ୍ରହଣୀୟ କରିବା ଉଦ୍ଦେଶ୍ୟରେ ଏହି ସଘନ ସଂଶୋଧନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ନୂତନ ଯୋଗ୍ୟ ଭୋଟରଙ୍କ ନାମ ସାମିଲ, ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ଆବଶ୍ୟକୀୟ ସଂଶୋଧନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଏହି ଅନ୍ତିମ ତାଲିକା ଚୂଡ଼ାନ୍ତ କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସମସ୍ତ ଦଳର ସହଯୋଗ ବଜାୟ ରଖିବା ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଏହି ଆଲୋଚନା କରାଯାଇଥିବା ନେଇ ବୈଠକରେ ସୂଚନା ଦିଆଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ , ୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ ପ୍ରଦର୍ଶିତ କରାଯାଇଛି। ଏହା ୨୧.୦୯.୨୦୨୬ରୁ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (EROs) ଏବଂ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AEROs)ଙ୍କ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ମଧ୍ୟ ଉପଲବ୍ଧ ରହିବ। ଚୂଡ଼ାନ୍ତ ଭୋଟର ତାଲିକାର ନକଲ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ପ୍ରଦାନ କରାଯାଇଛି। ଏହି ନୂତନ ତାଲିକା ଅନୁଯାୟୀ ଓଡ଼ିଶାରେ ମୋଟ ଭୋଟରଙ୍କ ସଂଖ୍ୟା ୩,୧୬,୩୨,୭୫୪ ରେ ପହଞ୍ଚିଛି। ଗତ ଜୁଲାଇ ୫ ତାରିଖରେ ପ୍ରକାଶ ପାଇଥିବା ଚିଠା ଭୋଟର ତାଲିକା ତୁଳନାରେ ଏଥର ମୋଟ ୨,୪୫,୭୨୦ ଜଣ ନୂଆ ଭୋଟର ବୃଦ୍ଧି ପାଇଛନ୍ତି। ଚୂଡ଼ାନ୍ତ ତାଲିକାରେ ୧,୬୧,୩୦,୩୧୯ ଜଣ ପୁରୁଷ, ୧,୫୪,୯୯,୬୬୧ ଜଣ ମହିଳା ଏବଂ ୨,୭୭୪ ଜଣ ତୃତୀୟ ଲିଙ୍ଗୀ ଭୋଟର ସାମିଲ ଅଛନ୍ତି। ଏହା ବ୍ୟତୀତ ରାଜ୍ୟରେ ଭୋଟର-ଜନସଂଖ୍ୟା ଅନୁପାତ ୬୭.୦୫ ରହିଥିବା ବେଳେ ଲିଙ୍ଗଗତ ଅନୁପାତ ୯୬୧ ରହିଛି । ଏହି ସମଗ୍ର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ରାଜ୍ୟରେ ଭୋଟର ସଂଖ୍ୟା ୩,୩୩,୯୯,୫୯୧ ଥିଲା। ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନେ ଘରକୁ ଘର ବୁଲି ନାଗରିକଙ୍କୁ ଫର୍ମ ବାଣ୍ଟିଥିଲେ ମଧ୍ୟ ପ୍ରାୟ ୨୦.୧୩ ଲକ୍ଷ ଫର୍ମ ଫେରି ନଥିଲା। ତଦନ୍ତ ପରେ ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ ଏବଂ ନକଲି ଭୋଟରଙ୍କୁ ଚିହ୍ନଟ କରାଯାଇ ବାଦ୍ ଦିଆଯିବା ପରେ ଚିଠା ତାଲିକାରେ ୩,୧୩,୮୭,୦୩୪ ଜଣଙ୍କ ନାମ ରହିଥିଲା। ପରବର୍ତ୍ତୀ ସମୟରେ ଦାବି ଓ ଆପତ୍ତି ଗ୍ରହଣ କାଳରେ ଫର୍ମ-୬ ମାଧ୍ୟମରେ ୨,୯୦,୪୯୭ ଜଣ ନୂଆ ଭୋଟରଙ୍କ ନାମ ଯୋଡ଼ାଯାଇଥିବା ବେଳେ ୪୪,୭୭୭ ଜଣଙ୍କ ନାମ ବାଦ୍ ଦିଆଯାଇଛି। ଏହାସହ ନିର୍ବାଚନ ମଣ୍ଡଳୀଗୁଡ଼ିକର ପୁନର୍ବିନ୍ୟାସ ପରେ ରାଜ୍ୟରେ ପୋଲିଂ ଷ୍ଟେସନ ସଂଖ୍ୟା ୩୮,୧୨୩ ରୁ ୪୫,୨୫୦ କୁ ବୃଦ୍ଧି କରାଯାଇଛି। ଏହା ସହିତ ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍ଗୁଡ଼ିକରେ ଯଥା: https://voters.eci.gov.in ଏବଂ https://ceoodisha.nic.in ମଧ୍ୟ ଉପଲବ୍ଧ ହୋଇଛି।ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନ ଙ୍କ ସମେତ ଅତିରିକ୍ତ ସିଇଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ବିତ୍ତ ପରାମର୍ଶଦାତ୍ତା ସଞ୍ଜୟ କୁମାର ଲୁଗୁନ, ଯୁଗ୍ମ ସିଇଓ ଗୋପୀନାଥ କୁଅଁର, ଡେ଼ପୁଟି ସିଇଓ ଡ.ଲକ୍ଷ୍ମୀପ୍ରସାଦ ସାହୁ , ଡେ଼ପୁଟି ସିଇଓ ଅନାମିକା ସିଂ, ଡେ଼ପୁଟି ସେକ୍ରେଟାରୀ ଶ୍ରୀଯୁକ୍ତ ଦିନମଣୀ ନାଏକ ଓ ପ୍ରଶାସନିକ ଅଧିକାରୀ ଶାଶ୍ୱତ ପ୍ରଧାନ ଙ୍କ ସମେତ ସମସ୍ତ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ। Post navigation Heavy Rain Alert in Odisha: ବଙ୍ଗୋପସାଗରରେ ଗଭୀର ଅବପାତ: ଓଡ଼ିଶାର ୧୧ ଜିଲ୍ଲାକୁ ହାଇଆଲର୍ଟ