Teachers Stage Protest on Teachers' Day Demanding Grants for Unaided Schools, Pension

ଗୁରୁଦିବସ ଅବସରରେ ଭୁବନେଶ୍ୱରର ରାଜରାସ୍ତାରେ ନିଜ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ । ଅନୁଦାନରୁ ବଞ୍ଚିତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ପେନସନ୍ ଓ ଅବସରକାଳୀନ ସୁବିଧା ସମେତ ବିଭିନ୍ନ ଦାବିରେ ଲୋୟର ପିଏମ୍‌ଜିରେ ଚାଲିଛି ବିକ୍ଷୋଭ ।

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ଚାଲିଥିବା ଗଣଧାରଣା ଆଜି ୨୧ ଦିନରେ ପହଞ୍ଚିଛି । ଦେଶବ୍ୟାପୀ ଗୁରୁଦିବସ ପାଳନ ହେଉଥିବା ସମୟରେ ଆନ୍ଦୋଳନରତ ଶିକ୍ଷକମାନେ ବିଦ୍ୟାଳୟ ଛାଡ଼ି ଗାନ୍ଧୀମାର୍ଗରେ ଖୋଲା ଆକାଶ ତଳେ ଧାରଣା ଦେଇଛନ୍ତି। ନିଜ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସଂଗଠନର ପ୍ରମୁଖ ଦାବି ମଧ୍ୟରେ ୨୫ରୁ ୩୦ ବର୍ଷ ଧରି ନିରନ୍ତର ଶିକ୍ଷାଦାନ କରିଆସୁଥିବା ଅନୁଦାନ ବଞ୍ଚିତ ୧୯୪ଟି ସମେତ ଅନ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ରହିଛି। ଏହା ସହ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକ ଏବଂ ଶିକ୍ଷା କର୍ମଚାରୀଙ୍କୁ ଅବସର ପରେ ପେନସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ପ୍ରଦାନ ପାଇଁ ଦାବି କରାଯାଇଛି ।

ଖାଲି ପଡ଼ିଥିବା ଶିକ୍ଷକ ପଦବୀଗୁଡ଼ିକୁ ଶୀଘ୍ର ପୂରଣ, ସମସ୍ତ ବିଦ୍ୟାଳୟକୁ ସରକାରୀ ମାନ୍ୟତା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଏବଂ ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବା ମଧ୍ୟ ଦାବି ତାଲିକାରେ ରହିଛି ।

ସେହିପରି ସପ୍ତମ ବେତନ କମିଶନର ସୁବିଧାରୁ ବଞ୍ଚିତ ଶିକ୍ଷକମାନଙ୍କୁ ସପ୍ତମ ବେତନ ଅନ୍ତର୍ଭୁକ୍ତ କରିବା ସହ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *