40 Odisha Teachers to Undergo Six-Day Training in Ahmedabad
ଓଡ଼ିଶାର ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଓ ଶିକ୍ଷାଦାନ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ନୂଆ ପଦକ୍ଷେପ ନିଆଯାଇଛି । ଏହାର ଅଂଶ ଭାବେ ରାଜ୍ୟର ୪୦ ଜଣ ଶିକ୍ଷକ ଗୁଜରାଟର ଅହମ୍ମଦାବାଦରେ ୬ ଦିନିଆ ପ୍ରଶିକ୍ଷଣ ଗ୍ରହଣ କରିବେ ।
 
ଏହି ଅବସରରେ ଶିକ୍ଷକ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ଏବଂ ପ୍ରଶ୍ନ ବ୍ୟାଙ୍କ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଶିକ୍ଷକମାନଙ୍କ ଶିକ୍ଷାଦାନର ଗୁଣବତ୍ତା ଓ କାର୍ଯ୍ୟଦକ୍ଷତା ଆକଳନ ସହ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ସାମଗ୍ରୀ ଯୋଗାଇବାରେ ଏହି ପୋର୍ଟାଲ ସହାୟକ ହେବ ।
 
ପୋର୍ଟାଲରେ କଳା, ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମ୍‌ର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ। ଏଥିସହ ଉପାନ୍ତ ଅଞ୍ଚଳ ଓ ଆକାଂକ୍ଷୀ ଜିଲ୍ଲାର ୧୦୭ଟି ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମଧ୍ୟ ଏହି ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହେବେ ।
 
ଏହା ସହିତ UG ଓ PG ଶେଷ ବର୍ଷର ଛାତ୍ରୀମାନଙ୍କୁ ଅଫ୍‌ଲାଇନ୍ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ଓ ସେମାନଙ୍କୁ ଭବିଷ୍ୟତର ସୁଯୋଗ ପାଇଁ ପ୍ରସ୍ତୁତ କରିବା ଏହି ପ୍ରଶିକ୍ଷଣର ଅନ୍ୟତମ ଉଦ୍ଦେଶ୍ୟ ।
 
ଅହମ୍ମଦାବାଦରେ ହେବାକୁ ଥିବା ୬ ଦିନିଆ ପ୍ରଶିକ୍ଷଣ ମାଧ୍ୟମରେ ଓଡ଼ିଶାର ଚୟନିତ ୪୦ ଜଣ ଶିକ୍ଷକ ନୂଆ ଶିକ୍ଷାଦାନ ପଦ୍ଧତି, ମୂଲ୍ୟାୟନ ବ୍ୟବସ୍ଥା ଓ ଶିକ୍ଷା ସମ୍ବନ୍ଧୀୟ ଆଧୁନିକ ପ୍ରକ୍ରିୟା ସମ୍ପର୍କରେ ତାଲିମ ନେବେ ।
 
ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶନିବାର CSRBOX, Nandi Foundation ଏବଂ Odisha Knowledge Corporation Limited (OKCL) ସହ ଏମ୍‌ଓୟୁ (MoU) ସ୍ୱାକ୍ଷର କରାଯାଇଛି। ରାଜ୍ୟର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଦକ୍ଷତା ବିକାଶ, କୃତ୍ରିମ ବୁଦ୍ଧିମତ୍ତା (AI) ଶିକ୍ଷା, ନିଯୁକ୍ତି ଯୋଗ୍ୟତା ଏବଂ ଉଦ୍ୟୋଗିକତାକୁ ସୁଦୃଢ଼ କରିବା ଏହି ଏମ୍‌ଓୟୁର ମୁଖ୍ୟ ଉଦ୍ଦେଶ୍ୟ।
 
ଏହି ସହଭାଗିତା ମାଧ୍ୟମରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଧୁନିକ ଦକ୍ଷତା ଓ ପ୍ରଯୁକ୍ତିଭିତ୍ତିକ ଶିକ୍ଷାକୁ ଅଧିକ ପ୍ରୋତ୍ସାହନ ମିଳିବ। ଏଥିସହ ଛାତ୍ରଛାତ୍ରୀଙ୍କୁ ରୋଜଗାର ଓ ଉଦ୍ୟୋଗିକତା ପାଇଁ ଆବଶ୍ୟକ ଦକ୍ଷତାରେ ସଶକ୍ତ କରିବା ସହ ଶିକ୍ଷକମାନଙ୍କର ମଧ୍ୟ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ।

By Nirvay

Leave a Reply

Your email address will not be published. Required fields are marked *