ରାଜଧାନୀରେ ସହରୀ ପରିବହନ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ସାଧାରଣ ପରିବହନକୁ ଅଧିକ ମଜବୁତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କ୍ରୁଟ୍ ମାଧ୍ୟମରେ ଭୁବନେଶ୍ୱରର ଦୁଇଟି ପ୍ରମୁଖ କରିଡରରେ ‘ବସ୍ ପ୍ରାୟୋରିଟି ଲେନ୍’ ବା ବସ୍ ପାଇଁ ସ୍ୱତନ୍ତ୍ର ଟ୍ରାକ୍ ବ୍ୟବସ୍ଥାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଖାରବେଳ ଭବନଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ, ବିଏମସି କମିଶନର ଚଞ୍ଚଳ ରାଣା, ଟ୍ରାଫିକ୍‌ର ଅତିରିକ୍ତ ଡିସିପି ଏବଂ ପୂର୍ତ୍ତ ବିଭାଗ ତଥା ବିଡିଏର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଚିହ୍ନଟ ହୋଇଥିବା ଦୁଇଟି ପ୍ରମୁଖ କରିଡର ହେଲା ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର – ନନ୍ଦନକାନନ କରିଡର: ଏହି ରୁଟ୍‌ର ଲମ୍ବ ପ୍ରାୟ ୧୮ କିଲୋମିଟର ଏବଂ ଏଥିରେ ୩୪ଟି ବସ୍ ଷ୍ଟପ୍ ରହିଛି। ଏହା ଅଧୀନରେ ଦୈନିକ ହାରାହାରି ୯,୦୦୦ ରୁ ୧୦,୦୦୦ ଯାତ୍ରୀ ଯାତାୟାତ କରନ୍ତି।

ବାଣୀବିହାର – ଶିଶୁଭବନ କରିଡର: ଏହି ରୁଟ୍‌ର ଲମ୍ବ ପ୍ରାୟ ୫ କିଲୋମିଟର ଏବଂ ଏଥିରେ ୧୫ଟି ବସ୍ ଷ୍ଟପ୍ ରହିଛି। ଏହା ମାଷ୍ଟରକାଣ୍ଟିନ, ରାଜମହଲ, ରାମମନ୍ଦିର ଏବଂ ଭୁବନେଶ୍ୱର ରେଳ ଷ୍ଟେସନ ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଦେଇ ଗତି କରୁଛି। ଏହି ରୁଟ୍ ଦେଇ ଦୈନିକ ୫,୦୦୦ ରୁ ୬,୫୦୦ ଯାତ୍ରୀ ଯାତାୟାତ କରିଥାନ୍ତି।

ଏହି ବ୍ୟବସ୍ଥାର ଫଳରେ ବସ୍ ଯାତ୍ରା ସମୟ ପ୍ରାୟ ୧୦ ରୁ ୨୦ ପ୍ରତିଶତ ହ୍ରାସ ପାଇବ। ଏବଂ ବସ୍‌ଗୁଡ଼ିକର ହାରାହାରି ଗତି ପ୍ରାୟ ୧୫ ରୁ ୨୫ ପ୍ରତିଶତ ବୃଦ୍ଧି ପାଇବ। ଏଥି ସହିତ ସାଧାରଣ ଟ୍ରାଫିକ୍‌ରେ ଯେପରି କୌଣସି ବାଧା ସୃଷ୍ଟି ନହେବ, ସେଥିପାଇଁ କୌଣସି କଠିନ ସ୍ଥାୟୀ ବ୍ୟାରିକେଡ୍ ବଦଳରେ ଫ୍ଲେକ୍ସିବଲ୍ କେର୍ବ-ସାଇଡ୍ ଲେନ୍ ବ୍ୟବହାର କରାଯିବ। ଏହି ଲେନ୍‌ରେ ସାଧାରଣ ବସ୍ ସମେତ ସ୍କୁଲ୍ ବସ୍, ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଗାଡ଼ି ଭଳି ଜରୁରୀକାଳୀନ ସେବାକୁ ଅଗ୍ରାଧିକାର ଦିଆଯିବ।

ଏହି ସ୍ୱତନ୍ତ୍ର ଲେନ୍ ଉପରେ ୨୪x୭ ଘଣ୍ଟା ଆଇଟିଏମଏସ  ମନିଟରିଂ ଏବଂ ଅଟୋମେଟିକ୍ ନମ୍ବର ପ୍ଲେଟ୍ ଚିହ୍ନଟ କରୁଥିବା ସିସିଟିଭି କ୍ୟାମେରା ଦ୍ୱାରା ନଜର ରଖାଯିବ। ଯଦି କୌଣସି ଅନଧିକୃତ ବେସରକାରୀ ଗାଡ଼ି ଏହି ଲେନ୍‌ରେ ପ୍ରବେଶ କରେ କିମ୍ବା ବେଆଇନ ପାର୍କିଂ କରେ, ତେବେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ କଟାଯିବ।

ଏହି ପ୍ରୋଜେକ୍ଟର ପ୍ରାଥମିକ ପ୍ରସ୍ତୁତି ପର୍ଯ୍ୟାୟ ପ୍ରାୟ ୧୦ ରୁ ୧୨ ସପ୍ତାହ ନେବ, ଯେଉଁଥିରେ ଟ୍ରାଫିକ୍ ସର୍ଭେ, ଲେନ୍ ମାର୍କିଂ ଏବଂ ସିଗନାଲ୍ ବ୍ୟବସ୍ଥାର ସୁଧାର କରାଯିବ। ଏହାପରେ ପ୍ରାୟ ୩ ରୁ ୬ ମାସ ପାଇଁ ପାଇଲଟ୍ ରନ୍ କରାଯାଇ ଏହାର ସଫଳତା ଆଧାରରେ ସହରର ଅନ୍ୟାନ୍ୟ ଅଞ୍ଚଳକୁ ଏହାକୁ ସମ୍ପ୍ରସାରିତ କରାଯିବ।

Leave a Reply

Your email address will not be published. Required fields are marked *