ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନା ଅଧୀନରେ କେନ୍ଦ୍ର ସରକାର ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୪୯୯ଟି ଆୟୁଷ ଡିସପେନ୍ସରୀକୁ ସୁଦୃଢ଼ କରି ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ (ୱେଲନେସ୍‌ ସେଣ୍ଟର)ରେ ପରିଣତ କରାଯାଇଛି। ଏହି ସମସ୍ତ କେନ୍ଦ୍ର ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟ କରୁଛି। ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆୟୁଷ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି।

ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ବିକାଶ ଏବଂ ଲୋକଙ୍କ ହାତ ପାହାନ୍ତାରେ ଏହି ପ୍ରାଚୀନ ତଥା ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ବିଜ୍ଞାନ ସମ୍ମତ ଭାବେ ପହଞ୍ଚାଇବା ସଂକ୍ରାନ୍ତରେ ଦିଲ୍ଲୀପ ରାୟ ସଂସଦରେ ପ୍ରଶ୍ନ ଉଠାଇଥିଲେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜନସ୍ୱାସ୍ଥ୍ୟ ରାଜ୍ୟ ସରକାରମାନଙ୍କ ବ୍ୟାପାର ହୋଇଥିବାବେଳେ ଏହାର ବିକାଶ ଦିଗରେ କେନ୍ଦ୍ର ସରକାର ସହଯୋଗ କରିଥାନ୍ତି। ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଜାତୀୟ ଆୟୁଷ ମିଶନ ଭଳି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାମାନ କାର୍ଯ୍ୟକାରୀ କରିଥାନ୍ତି।

ଏହି କ୍ରମରେ ଓଡ଼ିଶାର ୨୯ଟି ଜିଲ୍ଲାର ୪୯୯ଟି ଆୟୁଷ ଡିସପେନ୍ସରୀକୁ ଆୟୁଷ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର ଭାବେ କେନ୍ଦ୍ରୀୟ ଯୋଜନାରେ ଉନ୍ନତି କରାଯାଇଛି। ଏଗୁଡ଼ିକ ଏବେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭାବେ ପରିଚିତ। ଏଥିମଧ୍ୟରେ ଅନେକ ଆୟୁର୍ବେଦିକ ଡିସପେନ୍ସରୀ ମଧ୍ୟ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ଏବେ ୧୯ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଛି। ଦେବଗଡ଼ ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ୨୯ଟି ଜିଲ୍ଲାରେ ଏଭଳି ଆରୋଗ୍ୟ ମନ୍ଦିରମାନ ରହିଛି।

ରୋଗ ଚିକିତ୍ସା ଏବେ ଏକ ବ୍ୟୟବହୁଳ ବ୍ୟାପାର ହୋଇଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ବିଭିନ୍ନ ଯୋଜନାରେ ବ୍ୟାପକ ଆର୍ଥିକ ସହାୟତା ଦେଉଥିବା ଉଲ୍ଲେଖ କରି ଦିଲ୍ଲୀପ ରାୟ କହିଛନ୍ତି ଯେ ପ୍ରତି ଗାଁର ଲୋକଙ୍କ ପାଖରେ ଆୟୁର୍ବେଦିକ ଓ ହୋମିଓପାଥିକ ଚିକିତ୍ସା ସୁବିଧା ପହଞ୍ଚିପାରିଲେ ସ୍ୱଳ୍ପ ଖର୍ଚ୍ଚରେ ଲୋକେ ପାର୍ଶ୍ୱପ୍ରତିକ୍ରିୟା ବିହୀନ ପାରମ୍ପରିକ ଉପଚାର କରି ସୁସ୍ଥ ରହିପାରିବେ। ଓଡ଼ିଶାରେ ଲୋକଙ୍କ ବାଡ଼ିବଗିଚାଠାରୁ ଆରମ୍ଭ କରି ବଣଜଙ୍ଗଲରେ ବିରଳ ଔଷଧୀୟ ବୃକ୍ଷଲତାମାନ ରହିଥିବାରୁ ଆୟୁର୍ବେଦ ଚିକିତ୍ସା ଉପରେ ଅଧିକ ଗବେଷଣା ଓ ତା’ର ପ୍ରୟୋଗ ଲାଗି ଶ୍ରୀ ରାୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *