ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଅନଲାଇନ୍ ଅଟୋ ଚାଳକମାନଙ୍କ ଦ୍ୱାରା ହୋଇଥିବା ବିଶୃଙ୍ଖଳା ଘଟଣାରେ ପରିବହନ ବିଭାଗ ଓ କମିଶନରେଟ୍ ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆନ୍ଦୋଳନ ପ୍ରଦର୍ଶନ କରି ନିୟମ ଭଙ୍ଗ କରିଥିବା ଅଟୋ ଚାଳକଙ୍କ ପାଇଁ ଏବେ ଅସୁବିଧା ଆହୁରି ବଢ଼ିଯାଇଛି। ଘଟଣାର ଗମ୍ଭୀରତାରକୁ  ଦୃଷ୍ଟିରେ ରଖି ପରିବହନ ବିଭାଗ ଆଗାମୀ ୪୫ ଦିନ ପାଇଁ ମୋଟ ୩୫୪ଟି ଅଟୋର ପରମିଟ୍ ବାତିଲ କରିଦେଇଛି।

ଏ ସମ୍ପର୍କରେ ସୂଚନା ଦେଇ ଆରଟିଓ-୧ ଅଧିକାରୀ କହିଛନ୍ତି ଯେ ଏହାକୁ ଗମ୍ଭୀରତାର ସହ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ୧୧୫ ଜଣ ଅଟୋ ଚାଳକଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୬ ଜଣ ଜାରପଡ଼ା ଜେଲରୁ କୋର୍ଟ ପ୍ରକ୍ରିୟା ପରେ ଜାମିନରେ ମୁକୁଳିଥିବା ବେଳେ ଖାରବେଳନଗର ଥାନାରେ ଏକାଧିକ ଏଫ୍‌ଆଇଆର୍ ରୁଜୁ କରାଯାଇ ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟମାନଙ୍କୁ ଚିହ୍ନଟ କରାଯାଉଛି।

​ଅପରପକ୍ଷରେ ଭୁବନେଶ୍ୱର RTO-1 ପକ୍ଷରୁ ୧୮୧ଟି ଅଟୋକୁ ଇ-ଚାଲାଣ କଟାଯିବା ସହ ଗାଡ଼ି ମାଲିକମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଗାଡ଼ି ମାଲିକଙ୍କ ବିନା ଅନୁମତିରେ ଅଟୋଗୁଡ଼ିକ ଆନ୍ଦୋଳନରେ ବ୍ୟବହୃତ ହୋଇଥିଲା କି ନାହିଁ ସେ ନେଇ ଜବାବ ମଗାଯାଇଥିଲା। ଏଥିସହିତ ପୋଲିସ ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ଥିବା ଏକ ଅନଧିକୃତ ଅଟୋ ଷ୍ଟାଣ୍ଡକୁ ମଧ୍ୟ ଉଚ୍ଛେଦ କରିଦେଇଛି।

Leave a Reply

Your email address will not be published. Required fields are marked *