ଅର୍ଣ୍ଣବ’ ବାତ୍ୟା ପ୍ରଭାବରେ ଲାଗିରହିଥିବା ପ୍ରବଳ ବର୍ଷା କାରଣରୁ କନ୍ଧମାଳ ଜିଲ୍ଲା ରାୟକିଆ ବ୍ଲକ ଅନ୍ତର୍ଗତ ଡାଙ୍ଗେସି ଗ୍ରାମରେ ଏକ ମର୍ମନ୍ତୁଦ ଭୂସ୍ଖଳନ ଘଟିଯାଇଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି ।

ମୃତକମାନେ ହେଲେ ଅଚ୍ୟୁତ ପ୍ରଧାନ, ତାଙ୍କ ପତ୍ନୀ ଅନୀଷା ପ୍ରଧାନ ଏବଂ ସେମାନଙ୍କର ୯ ମାସର ଶିଶୁପୁତ୍ର। ଗତକାଲି ବିଳମ୍ବିତ ରାତିରେ ନିକଟସ୍ଥ ଏକ ପାହାଡ଼ରୁ ପ୍ରଚୁର ପରିମାଣର ମାଟି ଏବଂ ପଥର ଅତଡ଼ା ଖସିପଡ଼ିବାରୁ ପରିବାର ଶୋଇଥିବା ଅବସ୍ଥାରେ ଘରଟି ସମ୍ପୂର୍ଣ୍ଣ ମାଟିରେ ପୋତି ହୋଇଯାଇଥିଲା।

ଖବର ପାଇ ଘାଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା କର୍ମଚାରୀମାନେ ପହଞ୍ଚି ମାଟି ଅତଡ଼ା ସଫା କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କିଛି ଗ୍ରାମବାସୀ ଏବେ ବି ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଅନ୍ୟପଟେ ଏହି ଅଭାବନୀୟ ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ପ୍ରତ୍ୟେକ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *