ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ପରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ରାଜ୍ୟରେ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆକାଶମାର୍ଗରୁ ସର୍ଭେ କରିଛନ୍ତି। ରାଜସ୍ୱ ମନ୍ତ୍ରୀଙ୍କ ସହ ହେଲିକପ୍ଟର ଯୋଗେ ସେ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଥିଲେ।

ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ମନ୍ତ୍ରୀ ଓ ସଚିବମାନଙ୍କୁ ମଧ୍ୟ ପଠାଯାଇଥିଲା। ତେବେ ବାତ୍ୟାଟି ସ୍ଥଳଭାଗରେ ଲ୍ୟାଣ୍ଡଫଲ୍ କରିବା ପରେ ହଠାତ୍ ନିଜର ଦିଗ ବଦଳାଇ ଦେଇଥିଲା। ପ୍ରାରମ୍ଭିକ ଆକଳନରେ ମାଲକାନଗିରି ଜିଲ୍ଲାରେ ଅଧିକ କ୍ଷତି ହେବାର ଆଶଙ୍କା କରାଯାଉଥିବା ବେଳେ ବାତ୍ୟାର ପ୍ରକୋପରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ କ୍ଷତି ଘଟିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ପ୍ରଭାବିତ ଲୋକଙ୍କ ନିକଟରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ କିଭଳି ପହଞ୍ଚୁଛି ସେନେଇ ସରକାରୀ ସ୍ତରରେ ତୀକ୍ଷ୍ଣ ନଜର ରଖାଯାଇଥିବା ସେ କହିଛନ୍ତି।

ବନ୍ୟା ଯୋଗୁଁ ରାସ୍ତା, ପୋଲ ଓ ରେଳ ଯୋଗାଯୋଗ ପ୍ରଭାବିତ ହୋଇଥିବାରୁ ଜଳବନ୍ଦୀ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିବା ପାଇଁ ନୌସେନା ଓ ତଟରକ୍ଷୀ ବାହିନୀର ହେଲିକପ୍ଟର ମୁତୟନ କରାଯାଇଛି। ୩୦୦ରୁ ଅଧିକ ଉଦ୍ଧାରକାରୀ ଟିମ୍ କାର୍ଯ୍ୟ କରୁଥିବାବେଳେ ଜଳବନ୍ଦୀ ଲୋକଙ୍କ ପାଖରେ ରନ୍ଧା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯାଉଛି ଏବଂ ଅପହଞ୍ଚ ଅଞ୍ଚଳରେ ହେଲିକପ୍ଟରରୁ ରିଲିଫ୍ ପ୍ୟାକେଟ୍ ପକାଯାଉଛି।

Leave a Reply

Your email address will not be published. Required fields are marked *