ଭୁବନେଶ୍ୱରରୁ ନବୀନ ଦାସ,୭ା୧

ତିନିଟି ଫଟୋ । ପ୍ରତିଟି ଫଟୋ ବିଜୁ ଜନତା ଦଳର ନେତାଙ୍କ ଦୁର୍ଦ୍ଦଶାର କାହାଣୀ କହୁଛି । ମନ୍ତ୍ରୀ ଓ ବିଧାୟକମାନେ କେଉଁ କାମ ପାଇଁ ଉପଯୁକ୍ତ, ତାହା ନବୀନ ଓଡ଼ିଶାର ନୂଆ ନେତା ଭିକେ ପାଣ୍ଡିଆନ ରାଜ୍ୟବାସୀଙ୍କ ଆଗରେ ସୁନ୍ଦରଭାବେ ଥୋଇଦେଇଛନ୍ତି । ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡ଼ିବ କି ନାହିଁ, ତାହା ବଡ଼ ପ୍ରଶ୍ନ ନୁହେଁ । ଏହାର ଉତ୍ତର ଭୋଟ ପରେ ଜଣାପଡ଼ିବ । ମାତ୍ର କିଭଳି ଦୁର୍ଗତି ଭିତରେ ଦଳ ପଡ଼ିସାରିଛି, ତାହା ଆଉ ବୁଝିବାର ଆବଶ୍ୟକତା ନାହିଁ ।
ପାଣ୍ଡିଆନ ଦଳର କୌଣସି ସାଂଗଠନିକ ପଦାଧିକାରୀ ନୁହଁନ୍ତି । ନୁହଁନ୍ତି ମନ୍ତ୍ରୀ ପରିଷଦର ସଦସ୍ୟ । କିନ୍ତୁ ଅଦ୍ଭୁତ ଏବଂ ବିଶାଳ କ୍ଷମତା । ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଏଭଳି କ୍ଷମତାର ନଗ୍ନ ପ୍ରୟୋଗ ନବୀନ ପଟନାୟକ କେବେ କରିଥିବା ସ୍ମରଣ ମଧ୍ୟ ହେଉନାହିଁ । ଏହା କ’ଣ ବିଜୁ ଜନତା ଦଳର ରୂପାନ୍ତରଣ? ଏ ପ୍ରଶ୍ନ ଆଗକୁ ପ୍ରତିଧ୍ୱନିତ ହେବ ପ୍ରତି ନିର୍ବାଚନମଣ୍ଡଳୀରେ ।
ଯେଉଁ ତିନିଟି ଫଟୋ କଥା ଆରମ୍ଭରୁ ଉଲ୍ଲେଖ କରାଯାଇଛି ସେଗୁଡ଼ିକ ଏବେ ଦ୍ରୁତ ଭାଇରାଲ ହେଉଛି ସୋସିଆଲ ମିଡିଆରେ । ସବୁଯାକ ଫଟୋ ପାଣ୍ଡିଆନଙ୍କ ବାଲେଶ୍ୱର ଗସ୍ତ ସମୟର । ଶନିବାର ସେ ଯାଇଥିଲେ ବାଲେଶ୍ୱର । ପ୍ରଥମ ଫଟୋଟି ଶୋଭାଯାତ୍ରାରେ ଆସୁଛନ୍ତି ପାଣ୍ଡିଆନ । ଶିଳ୍ପ ଓ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଏବଂ ସଂଗଠନ ମହାମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଆଗରୁ ଛକରେ ଛିଡ଼ା ହୋଇ ଟ୍ରାଫିକ କଣ୍ଟ୍ରୋଲ କରୁଛନ୍ତି । ଏ ସଂକ୍ରାନ୍ତ ଭିଡିଓଟି ମଧ୍ୟ ଦ୍ରୁତ ଭାଇରାଲ ହେବାରେ ଲାଗିଛି । ସରକାରଙ୍କର ଟ୍ରାଫିକ ପୁଲିସ ନାହାନ୍ତି କି? ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱ ମନ୍ତ୍ରୀ ଓ ବରିଷ୍ଠ ବିଧାୟକମାନଙ୍କର କି? ସେମାନଙ୍କୁ ଏଭଳି ଦାୟିତ୍ୱ କିଏ ଦେଇଛି ନା ସେମାନେ ସ୍ୱେଚ୍ଛାକୃତ ଭାବେ ନୂଆ ନେତାଙ୍କ ପାଇଁ ଉତ୍ସର୍ଗୀକୃତ ଭାବନା ନେଇ ଏଭଳି ଦୃଷ୍ଟିକଟୁ ଭୂମିକା ନିର୍ବାହ କରୁଛନ୍ତି? ଭିଡିଓଟି କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଦୁଇ ନେତା ପ୍ରବଳ ଟ୍ରୋଲ ହେଉଛନ୍ତି । ବିଜଦର ଆଇଟି ବାହିନୀ ସୁରକ୍ଷା ଦେଇପାରୁ ନାହିଁ ।

By Nirvay

Leave a Reply

Your email address will not be published. Required fields are marked *