ନିର୍ଭୟ ମିଡିଆ : ଭୁବନେଶ୍ୱର,

ଚଳିତ ନିର୍ବାଚନ ପ୍ରକ୍ରିୟାରେ ଯେଉଁ କେତେଜଣ ବିଜୁ ଜନତା ଦଳ ଦ୍ୱାରା ଅପଦସ୍ତ ଓ ଅପମାନିତ ହୋଇଛନ୍ତି, ସେମାନଙ୍କ ଭିତରୁ ଜଣେ ହେଲେ ପ୍ରସନ୍ନ ପାଟ୍ଟଶାଣୀ । ୨୦୧୯ରୁ ନବୀନ ପଟନାୟକ ତାଙ୍କ ସହ ଛଳ କରିଆସୁଛନ୍ତି । ୨୦୨୪ରେ ସେହି ଧାରା ବଜାୟ ରଖିଛନ୍ତି ନବୀନ । ଏସବୁ ପ୍ରତାରଣା ଭିତରେ ପ୍ରସନ୍ନଙ୍କ ଗୋଟିଏ ବାର୍ତ୍ତା ଅନେକ ରାଜନୈତିକ ସନ୍ଦେଶ ବହନ କରୁଛି । କାହିଁକି ସେ କହିଲେ ଯେ, ସମୟ ହିଁ ବଡ଼ ବଳବାନ? ଏହାକୁ ନେଇ ତମାମ ଚର୍ଚ୍ଚା ରାଜନୈତିକ ମହଲରେ ।
ପ୍ରସନ୍ନ ନିର୍ବାଚନ ହାରିନାହାନ୍ତି । ବିଧାୟକ ଭାବେ ସେ କଂଗ୍ରେସର ଅର୍ଥନୀତିଜ୍ଞ ପ୍ରାର୍ଥୀ ବୈଦ୍ୟନାଥ ମିଶ୍ରଙ୍କୁ ଅତି ସହଜରେ ପରାଜିତ କରିଥିଲେ । ଭୁବନେଶ୍ୱର ଲୋକସଭା ଆସନରୁ ୧୯୯୮ରୁ ଲଗାତାର ଜିଣି ଆସୁଥିଲେ ୨୦୧୪ ପର୍ଯ୍ୟନ୍ତ । ବାବା ନାମରେ ପରିଚିତ ପାଟ୍ଟଶାଣୀଙ୍କୁ ୨୦୧୯ରେ ଟିକଟରୁ ବଞ୍ଚିତ କରିଥିଲେ ନବୀନ । ତାଙ୍କ ସ୍ଥାନରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେ ଅପରାଜିତାଙ୍କଠାରୁ ହାରିଯାଇଥିଲେ । ପାଟ୍ଟଶାଣୀଙ୍କୁ ସନ୍ତୁଷ୍ଟ କରି ରଖିବା ପାଇଁ ନବୀନ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି କହିଥିଲେ । ତାହା ମଧ୍ୟ କଲେ ନାହିଁ । ତଥାପି ପାଟ୍ଟଶାଣୀ ପ୍ରକାଶ୍ୟ ବିଦ୍ରୋହ ଘୋଷଣା କରିନାହାନ୍ତି ।
ବର୍ଷକ ତଳେ ତାଙ୍କୁ ଏବଂ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଯୋଜନା ବୋର୍ଡ଼ର ସଦସ୍ୟ ଭାବେ ମନୋନୀତ କରି ସେମାନଙ୍କୁ କ୍ୟାବିନେଟ ପାହ୍ୟା ଦେଇଥିଲେ ମୁଖ୍ୟମନ୍ତ୍ରୀ । ୨୦୨୪ରେ ଶ୍ରୀମୟୀ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଭୁବନେଶ୍ୱରରେ ପ୍ରଥମେ ଲୋକଙ୍କ ସାମ୍ନାକୁ ଅଣାଯାଇଥିଲା । ସେତେବେଳେ ମଧ୍ୟ ଉପେକ୍ଷିତ ହେଲେ ପାଟ୍ଟଶାଣୀ । ପରେ ଶ୍ରୀମୟୀଙ୍କ ସ୍ଥାନରେ ଟିକଟ ଦିଆଗଲା କଂଗ୍ରେସ ଆମଦାନୀ ମନ୍ମଥ ରାଉତରାୟକଙ୍କୁ । ପ୍ରସନ୍ନଙ୍କୁ ଦିଆଗଲା ଚିଲିକା ଥୋପ । କିନ୍ତୁ ଶେଷରେ ସେଠାରୁ ମଧ୍ୟ ନିରାଶ ହେଲେ ବାବା । ରଘୁନାଥ ସାହୁଙ୍କୁ ଟିକଟ ଦିଆଗଲା ।
ବାବା ଭାଜପାରେ ଯୋଗ ଦେଇପାରନ୍ତି ବୋଲି ହେଉଥିବା ଚର୍ଚ୍ଚା ଭିତରେ ଗଣମାଧ୍ୟମ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଜାରି କରିଛନ୍ତି ପୂର୍ବତନ ସାଂସଦ ତଥା ବିଜଦ ଉପସଭାପତି ପ୍ରସନ୍ନ ପାଟ୍ଟଶାଣୀ । ଏହି ବାର୍ତ୍ତାଟି ବେଶ୍ ରୋଚକ । ବାବା ଲେଖିଛନ୍ତି, କିଛି ବରିଷ୍ଠ ସାମ୍ବାଦିକ, ରାଜନୈତିକ ବ୍ୟକ୍ତିତ୍ୱ ତାଙ୍କର ରାଜନୈତିକ ଦକ୍ଷତା ଓ ସଂଗଠନ ନାହିଁ ବୋଲି ବୟାନ ଦେଉଛନ୍ତି । ମୋର ଯଦି ସଂଗଠନ ନାହିଁ, ୫୦ ବର୍ଷ ଧରି ଲୋକଙ୍କଦ୍ୱାରା ଆଦୃତ ହେଉଛି କିପରି? ୪ଥର ବିଧାୟକ ଓ ୫ ଥର ସାଂସଦ ହେଲି କେମିତି? ଏତେ ଭୋଟ ପାଉଥିଲି କେମିତି? ଯଦି ବିଜଦ ଟିକଟ ପାଇଲେ ସମସ୍ତେ ଜିତୁଥାନ୍ତେ, ତେବେ ଗଲାଥର ବିଜଦ ପ୍ର୍ରାର୍ଥୀ ହାରିଲେ କାହିଁକି? ୨୦୨୪ ମୋର ଶେଷ ନିର୍ବାଚନ ହେବ ।
ଶେଷ ନିର୍ବାଚନ ଅର୍ଥ ବାବା ଲଢ଼ିବେ କି? ଏଧରଣର ଚର୍ଚ୍ଚା ପାଇଁ ବାଟ ଫିଟିଛି । କିନ୍ତୁ ଶେଷରେ ଯାହା କହିଛନ୍ତି ତାହାର ଏକ ସ୍ପଷ୍ଟ ରାଜନୈତିକ ଆବେଦନ ଅଛି । ବାବା ଲେଖିଛନ୍ତି, ‘ମୁଁ ବିଜୁ ଜନତା ଦଳରେ ଅଛି । ପଦପଦବୀ ନୁହେଁ, ମୋର ସମ୍ମାନ ଏବଂ ବିଶ୍ୱାସ ମୋ ପାଇଁ ବଡ଼ । ରାଜନୀତିରେ ସମୟ ବେଶ ବଳବାନ । ତେଣୁ କିଏ ରହିବ, କିଏ ଯିବ, କିଏ ଆସିବ, ଭବିଷ୍ୟତରେ କ’ଣ ହେବ, ତାହା ସମୟ ଉପରେ ନିର୍ଭର କରୁଛି । ପରବର୍ତ୍ତୀ ଆଭିମୁଖ୍ୟ କ’ଣ ତାହା ସମୟ କହିବ ଏବଂ ଆପଣମାନଙ୍କ ଆଗରେ ମୁଁ ତାହା ସ୍ପଷ୍ଟ କରିବି ।’
ବାବା ସମୟ ଉପରେ ସବୁକିଛି ଛାଡ଼ିଦେଲେ କାହିଁକି? ସମୟ ଉପରେ କ’ଣ ନିର୍ଭର କରିବାକୁ ଯାଉଛି? ବାରମ୍ବାର ଛଳର ଶିକାର ହୋଇଥିବା ପ୍ରସନ୍ନ ପାଟ୍ଟଶାଣୀ ଯେଉଁ ସମୟର ଦ୍ୱାହି ଦେଇଛନ୍ତି, ତାହା ଶୀଘ୍ର ଆସିବାକୁ ଯାଉଛି କି ?

By Nirvay

Leave a Reply

Your email address will not be published. Required fields are marked *