ନବୀନ ପଟ୍ଟନାୟକ ଏବଂ ଭିକେ ପଣ୍ଡିଆନଙ୍କ ମେଣ୍ଟ ସ୍ବପ୍ନକୁ ଭାଙ୍ଗିବାରେ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସ ବଡ଼ ଭୂମିକା ଗ୍ରହଣ କରିଥିଲେ । ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳ ପୁନର୍ଗଠନରେ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପଟି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି ।

୨୦୨୪ ନିର୍ବାଚନରେ ମେଣ୍ଟ କରିବା ପାଇଁ ଉଭୟ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ଗୋଟିଏ ଗୋଷ୍ଠୀ ଅତ୍ୟନ୍ତ ତତ୍ପର ଥିଲେ । ୨୦୧୯ ପରେ ଭାଜପା ମୁଖ୍ୟ ବିରୋଧୀ ଦଳ ହୋଇ ବି ନବୀନ ସରକାରଙ୍କୁ ସମାଲୋଚନା କରିବା ଛାଡ଼ି ଦେଇଥିଲା। ହାଇକମାଣ୍ଡ ରାଜ୍ୟସଭା ଚାପ ଯୋଗୁ ନବୀନ ପଟନାୟକଙ୍କୁ ଖୁସି ରଖିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ହଠାତ ୨୦୨୨ ମଧ୍ୟାନ୍ତର ପରେ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସ ରାଜଭବନରୁ ବାହାରି ରାଜ୍ୟ ଗସ୍ତକୁ ଗଲେ । ବିଶେଷତଃ ୨୦୨୩ ପରେ ଏହି ଧାରା ଜୋର ଧରିଥିଲା ।

ରଘୁବର ୩୦ଟି ଜିଲ୍ଲା ଗସ୍ତ କରିଥିଲେ । ଲୋକଙ୍କୁ ଭେଟୁଥିଲେ। କେନ୍ଦ୍ରୀୟ ଯୋଜନା ବାବଦରେ ପଚାରୁଥିଲେ। ଏସଂକ୍ରାନ୍ତରେ ଏକ ରିପୋର୍ଟ କେନ୍ଦ୍ରକୁ ଦେଇଥିଲେ। ଏଥିରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ ତୃଣମୂଳସ୍ତରରେ ନବୀନ ସରକାରଙ୍କ ବିରୋଧରେ ଜବରଦସ୍ତ ଅସନ୍ତୋଷ ଅଛି । ବିଜଦ ସହ ଭାଜପା ମେଣ୍ଟ କଲେ କ୍ଷତି ଭାଜପାର ହିଁ ହେବ । ପ୍ରଥମ ଥର ପାଇଁ ରାଜଭବନରେ ସାମ୍ବାଦିକ ମାନଙ୍କ ଏକ ବଡ଼ ବୈଠକ ମଧ୍ୟ ଡାକିଥିଲେ ରଘୁବର ଦାସ। ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କଠୁ ଶୁଣିଥିଲେ । ବିଜଦ ରାଜ୍ୟପାଳଙ୍କ ରାଜ୍ୟ ଗସ୍ତକୁ ନେଇ ଚିନ୍ତିତ ନଥିଲା। କିନ୍ତୁ ନିର୍ବାଚନ ଯଥେଷ୍ଟ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ବୈଠକ ପରେ ବିଜଦ ସହ ମେଣ୍ଟ ନକରିବା ପାଇଁ ଭାଜପା ହାଇକମାଣ୍ଡ ମନ ବନାଇଥିଲେ।

ସେତେବେଳେ ରଘୁବରଙ୍କୁ ଲୋକଙ୍କ ମୁଡ୍ କଳିବା ପାଇଁ ଉପଯୋଗ କରିଥିଲେ ଭାଜପା ହାଇକମାଣ୍ଡ । ଏବେ ରାଜ୍ୟପାଳ ହରିବାବୁଙ୍କୁ ଉପଯୋଗ କରାଯାଉଛି ମୋହନ ମନ୍ତ୍ରୀମଣ୍ଡଳକୁ ଏକ ପୂର୍ଣାଙ୍ଗ ରୂପ ଦେବା ପାଇଁ। ୧୩ ମାସ ବିତି ଗଲାଣି। ଭାଜପା ସରକାର ବିରୋଧରେ ଅସନ୍ତୋଷ ଦାନା ଧରୁଛି। କିଛି ମନ୍ତ୍ରୀଙ୍କ ଅପାରଗତା ସାମ୍ନାକୁ ଆସିଗଲାଣି । ଦୁର୍ନୀତି ଅଭିଯୋଗ ଉଠୁଛି । କିନ୍ତୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏତେ ସହଜ ମଧ୍ୟ ନୁହେଁ ।

୨୦୨୪ ଜୁନ ପରିସ୍ଥିତି ଏବଂ ଏବେର ଚିତ୍ର ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିଜ ଇଚ୍ଛାରେ ମନ୍ତ୍ରିମଣ୍ଡଳ ଗଢ଼ି ନଥିଲେ । ସେ ନିଜେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜାଣି ନଥିଲେ । ତେଣୁ ମନ୍ତ୍ରୀମଣ୍ଡଳ ଗଠନରେ ତାଙ୍କର ପ୍ରାୟତଃ କୌଣସି ଭୂମିକା ନଥିଲା । ନିର୍ବାଚନକାଳୀନ ସଭାପତି ମନମୋହନ ସାମଲ ନିଜେ ହାରିଯାଇଥିଲେ । ତେଣୁ ତାଙ୍କ ଭୂମିକା ମଧ୍ଯ ସୀମିତ ଥିଲା । ଏହି କାରଣରୁ ମନ୍ତ୍ରୀମଣ୍ଡଳ ଗଠନରେ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ ଯେଉଁ ମନ୍ତ୍ରିମଣ୍ଡଳ ଅଛି, ସେଥିରେ ସଂଖ୍ୟାଧିକ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଅନୁଗତ । ଏହି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମାନଙ୍କ ତାଳମେଳର ଘୋର ଅଭାବ ଅଛି। ୬ଟି ମନ୍ତ୍ରୀ ପଦ ଖାଲି ପଢ଼ିଥିବାରୁ ଚାପ ଦୃଷ୍ଟିରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଅପରିହାର୍ଯ୍ୟ ହୋଇପଡ଼ିଛି ।

ମନମୋହନ ସାମଲ ଏବେ ପୂର୍ଣ୍ଣକାଳୀନ ସଭାପତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ମୁଖ୍ୟମନ୍ତ୍ରୀ ମୋହନଙ୍କ ମଧ୍ୟରେ ସମ୍ପର୍କରେ ଭଟ୍ଟା ପଡିସାରିଛି। ତଥାପି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବିଭାଗ ବଣ୍ଟନ ଏବଂ କିଛି ମନ୍ତ୍ରୀଙ୍କ ଅପସାରଣ ଏତେ ସହଜ ନୁହେଁ। ହାଇକମାଣ୍ଡଙ୍କ ଅନୁମୋଦନ ନିହାତି ଆବଶ୍ୟକ । ଇତି ମଧ୍ଯରେ ସଭାପତି ମନମୋହନ ସାମଲ ଦିଲ୍ଲୀରେ ପହଞ୍ଚୁଛନ୍ତି । ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ବିଏଲ୍ ସନ୍ତୋଷଙ୍କ ସହ ଆଲୋଚନା ହେବାର ଅଛି । ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀରେ ।

ଏହାସତ୍ତ୍ବେ ହାଇକମାଣ୍ଡ ରାଜ୍ୟପାଳ ହରିବାବୁଙ୍କ ମାଧ୍ୟମରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନିଶ୍ଚିତ ରୂପରେଖ ଦେବାପାଇଁ ଚାହୁଁଥିବା ସ୍ପଷ୍ଟ ହେଉଛି। ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଭେଟିଥିଲେ ରାଜ୍ୟପାଳଙ୍କୁ । ସେହିଦିନ ଜୁନିଅର କ୍ୟାବିନେଟ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନକୁ ଯାଇଥିଲେ ରାଜ୍ୟପାଳ। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରାଜ୍ୟପାଳ ପୁଣି ଜଣେ ମନ୍ତ୍ରୀଙ୍କ ବାସଭବନରେ ! କିନ୍ତୁ ତା’ ପରଦିନ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଭେଟିଲେ ରାଜ୍ୟପାଳଙ୍କୁ । ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କଳ୍ପନାଜଳ୍ପନା ଜୋର୍ ଧରିଥିବାବେଳେ ହରିବାବୁଙ୍କ ଏଭଳି ପଦକ୍ଷେପକୁ ସୂଚାଇ ଦେଉଛି ସେ ତାଙ୍କ ସହଯୋଗ ଲୋଡିଛନ୍ତି ହାଇକମାଣ୍ଡ ।

ଆଇନ ବିଭାଗକୁ ନେଇ ସରକାର ଅନେକ ଅପଦସ୍ତ ହେଲେଣି । ଏଥର ରଥଯାତ୍ରାରେ ବିଭ୍ରାଟ ମଧ୍ୟ ସରକାରଙ୍କୁ ଅସ୍ତବ୍ୟସ୍ତ କରିଛି । ବିଭିନ୍ନ ଅଦାଲତରେ ପବ୍ଲିକ୍ ପ୍ରସିକ୍ୟୁଟର ନିଯୁକ୍ତି ହୋଇପାରି ନାହାନ୍ତି । ଶ୍ରୀମନ୍ଦିର ପରିଚାଳନା ସମିତି ଗଢ଼ାଯାଇ ପାରିଲା ନାହିଁ । ଏଣୁ ଆଇନ ବିଭାଗକୁ ପୃଥୀରାଜଙ୍କ ହାତରୁ କାଢ଼ି ସୁରେଶ ପୂଜାରୀଙ୍କୁ ଦିଆଯାଇପାରେ ।

ସୁରେଶ ହେଉଛନ୍ତି ଜଣେ ସକ୍ରିୟ ଓକିଲ। ତାଙ୍କ ପୁଅ ମଧ୍ଯ ଓକିଲାତି କଲେଣି। କନ୍ଧମାଳ ଦଙ୍ଗା ଉପରେ ସେ ଭାଜପା ପକ୍ଷରୁ ଲଢ଼ୁଥିଲେ। ତେଣୁ ରାଜସ୍ବ ସହ ଆଇନ ବିଭାଗ ସମ୍ଭାଳି ପାରନ୍ତି ସୁରେଶ ପୂଜାରୀ।

ତା’ଛଡ଼ା ଆଉ କିଛି ମନ୍ତ୍ରୀଙ୍କୁ ମଧ୍ଯ ଭେଟି ପାରନ୍ତି ରାଜ୍ୟପାଳ । ତେଣୁ ଆଗାମୀ ଦିନରେ ମୋହନ, ମନମୋହନ ଏବଂ ହରିବାବୁଙ୍କ ବିଚାର ବିମର୍ଶରେ ଏକ ନୂଆ ମନ୍ତ୍ରୀମଣ୍ଡଳର ସରୂପ ତିଆରି କରାଯିବା ସମ୍ଭାବନାକୁ ଏଡ଼ାଯାଇ ପାରୁନାହିଁ ।

Leave a Reply

Your email address will not be published. Required fields are marked *