ଉତ୍କଳ ବିଶ୍ୱବିଦ୍ୟାଳୟର ଚାଲିଥିବା ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ଏବେ ସାମ୍ନାକୁ ଆସିଛି । ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାରର ବିଭିନ୍ନ ବିଷୟର ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଘୁରୁଥିବା ଅଭିଯୋଗ ହୋଇଛି। ପରୀକ୍ଷାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଆସୁଥିବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଏହି ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଯାଞ୍ଚ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ; ଗତ ସେପ୍ଟେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ସେମିଷ୍ଟାର ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୩୦୦ଟି କଲେଜରେ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲୁଛି। ତେବେ ପରୀକ୍ଷା ପୂର୍ବରୁ ଏକାଧିକ ବିଷୟର ପ୍ରଶ୍ନପତ୍ର ଭାଇରାଲ ହେବା ପରୀକ୍ଷା ପରିଚାଳନାର ସ୍ୱଚ୍ଛତା ଓ ନିରାପତ୍ତା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣା ସମ୍ନାକୁ ଆସିବା ପରେ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ହୃଷୀକେଶ ନାୟକ କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। କୁଳପତିଙ୍କ ନେତୃତ୍ୱରେ ଏହି ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି। ଏହାସହ ପ୍ରଶ୍ନପତ୍ରର ଅସଲିୟତ୍ ଯାଞ୍ଚ କରିବା ଓ ଲିକ୍ର ମୂଳ ଉତ୍ସ ଖୋଜିବା ପାଇଁ ସାଇବର ପୋଲିସ ଷ୍ଟେସନରେ ଏତଲା ଦିଆଯିବ। ସେ ଆଉ ମଧ୍ୟ କହିଛନ୍ତି ସାଧାରଣତଃ ବିଶ୍ୱବିଦ୍ୟାଳୟରୁ ସିଲ୍ଡ୍ ପ୍ୟାକେଟ୍ରେ ପ୍ରଶ୍ନପତ୍ର କଲେଜଗୁଡ଼ିକୁ ପଠାଯାଏ ଏବଂ ପରୀକ୍ଷାର ମାତ୍ର ୩୦ ମିନିଟ୍ ପୂର୍ବରୁ ସିଲ୍ ଖୋଲାଯାଏ। ଏହି ନିୟମରେ କୌଣସି ପ୍ରକାର ତ୍ରୁଟି ଘଟିଛି କି ନାହିଁ, ତାହାର ଅନୁଧ୍ୟାନ କରାଯାଉଛି। କେଉଁ କେଉଁ ବିଷୟର ପ୍ରଶ୍ନପତ୍ର ଲିକ୍ ହୋଇଛି ଏବଂ ଏଥିପାଇଁ କିଏ ଦାୟୀ, ତାହା ସ୍ପଷ୍ଟ ହେବା ପରେ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । Post navigation Mamata Banerjee Camp Backs Congress in Nandigram Bypoll After Candidate Withdraws Nomination