ଆସନ୍ତା ଅଗଷ୍ଟ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ଭୁବନେଶ୍ୱର ଏବଂ କଟକରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ଯାନବାହନ ଚଳାଚଳକୁ ସ୍ୱାଭାବିକ ରଖିବା ପାଇଁ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍ ପକ୍ଷରୁ ଏକ ବିସ୍ତୃତ ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି।

କମିଶନରେଟ୍ ପୋଲିସର ଟ୍ରାଫିକ କଟକଣା ଅନୁଯାୟୀ:

ଅଗଷ୍ଟ ୩ (ସୋମବାର): ଅପରାହ୍ନ ୨.୧୦ ରୁ ୨.୩୦: ଏୟାରପୋର୍ଟ ସ୍କୋୟାର, ହସ୍ପିଟାଲ ସ୍କୋୟାର, ଏଜି ସ୍କୋୟାର ଏବଂ ଲୋକସେବା ଭବନ ସ୍କୋୟାରକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତ ବନ୍ଦ ରହିବ।

ଅପରାହ୍ନ ୩.୫୦ ରୁ ୪.୫୦ ଏବଂ ସନ୍ଧ୍ୟା ୫.୫୦ ରୁ ୬.୫୦: ଲୋକ ଭବନ ସ୍କୋୟାର, ପାୱାର ହାଉସ୍ ସ୍କୋୟାର, ୧୨୦ ବାଟାଲିୟନ ସ୍କୋୟାର, ଶାସ୍ତ୍ରୀ ନଗର ସ୍କୋୟାର, ବେହେରା ସାହି ସ୍କୋୟାର, ଜୟଦେବ ବିହାର ସ୍କୋୟାର, XIMB ସ୍କୋୟାର, ନାଲକୋ ସ୍କୋୟାର, ଦାମନା ସ୍କୋୟାର, ପଟିଆ ସ୍କୋୟାର, କିଟ୍ (KIIT) ସ୍କୋୟାର, ନନ୍ଦନକାନନ ସ୍କୋୟାର, ବାରଙ୍ଗ ଗୋଲେଇ, ବ୍ଲକ ଛକ, ଗୋଡ଼ିସାହି ଛକ, କେନାଲ ରୋଡ୍ ଏବଂ ବାଣରା ଛକ ଦେଇ ଯାଇଥିବା ପ୍ରମୁଖ ରାସ୍ତାଗୁଡ଼ିକରେ କଟକଣା ଲାଗୁ ହେବ।

ଅଗଷ୍ଟ ୪ (ମଙ୍ଗଳବାର): ସକାଳ ୮.୩୦ ରୁ ୮.୫୦: ଲୋକ ଭବନ ସ୍କୋୟାରରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସ୍ଥଳକୁ ଯାଉଥିବା ରୁଟ୍ (ଏଜି ସ୍କୋୟାର, ରାଜମହଲ ସ୍କୋୟାର, ମାଷ୍ଟରକ୍ୟାଣ୍ଟିନ ଗୋଲେଇ, ୟୁ-ଟର୍ଣ୍ଣ, ୟୁକୋ ବ୍ୟାଙ୍କ ଲେନ୍ ଏବଂ ଭେନ୍ୟୁକୁ ଯାଉଥିବା ବାମ ମୋଡ଼) ରେ ଗାଡ଼ି ଚଳାଚଳ ସୀମିତ ରହିବ।

ଅଗଷ୍ଟ ୫ (ବୁଧବାର): ମଧ୍ୟାହ୍ନ ୧୨.୩୦ ରୁ ୧୨.୫୦: ଭୁବନେଶ୍ୱର ରେଳ ଷ୍ଟେସନ, ୟୁକୋ ବ୍ୟାଙ୍କ ଲେନ୍, ରାଜମହଲ ସ୍କୋୟାର, ଏଜି ସ୍କୋୟାର, ହସ୍ପିଟାଲ ସ୍କୋୟାର ଏବଂ ଏୟାରପୋର୍ଟ ସ୍କୋୟାରକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରାଫିକ କଟକଣା ବଳବତ୍ତର ରହିବ।

ସେହିପରି ଅଗଷ୍ଟ ୩ ତାରିଖ ଦିନ କଟକଣା ସମୟ ମଧ୍ୟରେ ଭୁବନେଶ୍ୱର କିମ୍ବା ଖୋର୍ଦ୍ଧାରୁ କଟକ ଆଡ଼କୁ ଏବଂ କଟକ ପଟୁ ବାଲିକୁଦା ସ୍କୋୟାର ଦେଇ ଭୁବନେଶ୍ୱର କିମ୍ବା ପିଟାପଲ୍ଲୀ ସ୍କୋୟାର ଆଡ଼କୁ ଯାଉଥିବା ଛଅ ଚକିଆ କିମ୍ବା ତାଠାରୁ ଅଧିକ ଚକ ବିଶିଷ୍ଟ ମାଲବାହୀ ଗାଡ଼ି (Goods Carriers), ବସ୍, ଟ୍ରକ୍ ଏବଂ ଟ୍ରେଲର ଚଳାଚଳ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି।

ଏହିସବୁ କଟକଣା ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ି ଯେପରିକି ଆମ୍ବୁଲାନ୍ସ, ଦମକଳ ବାହିନୀ ଏବଂ ପୋଲିସ ଗାଡ଼ି ଉପରେ ଲାଗୁ ହେବ ନାହିଁ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ସାଧାରଣ ଜନତା ଓ ଯାତ୍ରୀମାନେ ନିଜର ଯାତ୍ରା ଯୋଜନା ଆଗୁଆ କରିବା ସହ ବିକଳ୍ପ ରାସ୍ତାର ବ୍ୟବହାର କରି ପୋଲିସକୁ ସହଯୋଗ କରିବାକୁ କମିଶନରେଟ୍ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *