ବିଧାନସଭାର ସପ୍ତମ ଅଧିବେଶନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ଟ୍ରାଫିକ ଚଳାଚଳକୁ ସ୍ୱାଭାବିକ ରଖିବା ପାଇଁ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି। ଆସନ୍ତା ସେପ୍ଟେମ୍ବର ୨୨, ୨୦୨୬ ରୁ ଅକ୍ଟୋବର ୩, ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ୧୭ଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ ପାଇଁ ବିଧାନସଭା ଓ ଏହାର ଆଖପାଖ ଅଞ୍ଚଳରେ ଏହି କଟକଣା ବଳବତ୍ତର ରହିବ। ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ୨୦୦୩ ର ଧାରା ୨୮ ଏବଂ ୨୦୦୮ ର ଟ୍ରାଫିକ ନିୟମାବଳୀ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ଏହି କଟକଣା ଅନୁସାରେ ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକୁ କେଶରୀ ଟକିଜ ଛକରୁ ଏବଂ ଏଜି ଛକରୁ ପିଏମଜି ଆଡ଼କୁ ଯାଉଥିବା ଯାନବାହନଗୁଡ଼ିକୁ ଜୟଦେବ ଭବନ ନିକଟରୁ ଆଇଜି ପାର୍କ ରୋଡ଼ ଆଡ଼କୁ ବୁଲାଇ ଦିଆଯିବ। ମାଷ୍ଟର କ୍ୟାଣ୍ଟିନରୁ ଲୋୟର ପିଏମଜି ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକ ଲୋୟର ପିଏମଜିର ସଂଲଗ୍ନ ଗଳିରାସ୍ତା ଦେଇ ଯିବେ। ସେହିପରି ୧୨୦ ବାଟାଲିୟନ ଛକରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ବାରଣ କରାଯାଇ ପାୱାର ହାଉସ ଛକ ଆଡ଼କୁ ଏବଂ ଲୋକ ଭବନ ଛକରୁ ଏମଏଲଏ କଲୋନୀ ଆଡ଼କୁ ଯାଉଥିବା ଟ୍ରାଫିକକୁ ୧୨୦ ବାଟାଲିୟନ ଛକରୁ ଶାସ୍ତ୍ରୀନଗର ଆଡ଼କୁ ପରିବର୍ତ୍ତନ କରାଯାଇଛି। ତେବେ ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ଏବଂ ବିଧାନସଭା, ଲୋକସେବା ଭବନ ଓ ସରକାରୀ ଦଫତରକୁ ଯିବା ପାଇଁ ଅନୁମତିପ୍ରାପ୍ତ ଗାଡ଼ିଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ସାଧାରଣ ଜନତାଙ୍କୁ ଯାତାୟାତ ସମୟରେ ଅସୁବିଧାରୁ ବଞ୍ଚିବା ପାଇଁ ପୂର୍ବରୁ ନିଜର ଗମନାଗମନ ରୁଟ୍ ନିର୍ଦ୍ଧାରଣ କରିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି। Post navigation HAL hands over LCA Tejas, HTT-40 trainer aircraft to IAF; Dhruv NG helicopters to Pawan Hans