ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବାଘ ଆକ୍ରମଣରେ ୪ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ମଧ୍ୟାହ୍ନ ୧୨ଟା ସମୟରେ ଖଇରା ବଜାର ନିକଟସ୍ଥ ଗଡ଼ ଗ୍ରାମରେ କଲରା ପତରିଆ ବାଘ ଆକ୍ରମଣରେ ପ୍ରଥମେ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଆହତ ମହିଳା ଜଣକ ହେଲେ ଗ୍ରାମର ଗଣନାଥ ନାୟକଙ୍କ ପତ୍ନୀ ସତ୍ୟଭାମା ନାୟକ(୫୦)। ତାଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇ ଥିଲା। ପରେ ଅଧିକ ଚିକିତ୍ସା ଲାଗି ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳାୟକୁ ସ୍ଥାନାନ୍ତର କରାଯାଇଛି। ବାଘ ଅନ୍ୟ ୩ ଜଣଙ୍କୁ ମଧ୍ୟ ଆକ୍ରମଣ କରିଛି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି।

 

ସୂଚନା ଅନୁସାରେ ଅପରାହ୍ନରେ ସତ୍ୟଭାମା ପୁଅ ଓ ସ୍ୱାମୀଙ୍କ ସହ ଘର ନିକଟସ୍ଥ ବାଡ଼ିରେ କାମ କରୁଥିବା ସମୟରେ ବାଘଟି ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣ ପରେ ସେ ଚିତ୍କାର କରିବାରୁ ନିକଟରେ ଥିବା ତାଙ୍କ ପୁଅ ଓ ସ୍ୱାମୀ ପାଟି କରି ତାଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ବାଘଟି ସେଠାରୁ ଗର୍ଜନ କରି ଗ୍ରାମଭିତରକୁ ପଳାଇଥିଲା। ଗ୍ରାମବାସୀ ଏକତ୍ର ହୋଇ ବାଘଟିକୁ ଗୋଡ଼ାଇବାରୁ ବାଘଟି କେଉଁଠାରେ ଲୁଚି ଯାଇଥିଲା। ଖବରପାଇ କୁପାରୀ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ନିକଟରେ ଥିବା ଏକ ବଣରେ ବାଘକୁ ଖୋଜାଖୋଜି କରୁଥିଲେ। ଏହି ସମୟରେ ବାଘଟି ପୁନର୍ବାର ସତ୍ୟଭାମାଙ୍କ ଘରକୁ ଆସି ତାଙ୍କ ପୁଅ ରାଧାକାନ୍ତ (୨୦)ଙ୍କୁ ଆକ୍ରମଣ କରିବା ସହ ସେଠାରେ ଉପସ୍ଥିତ ଥିବା ଟଙ୍କଧର କେସି (୫୫) ଓ ଅନ୍ୟଜଣକୁ ଆକ୍ରମଣ କରି ପଳାଇଥିଲା । ଏହା ଏକ କଲରାପତିଆ ବାଘ ବୋଲି ସନ୍ଦେହ କରାଯାଉଛି। ଏବେ ଗ୍ରାମରେ ଭୟ ଓ ଆତଙ୍କ ଖେଳି ଥିବାବେଳେ ବାଘକୁ ଧରିବା ଲାଗି ଉଭୟ ଗ୍ରାମବାସୀ ଓ ବନ କର୍ମଚାରୀ ପ୍ରୟାସ ଚଳାଇଛନ୍ତି।

By SonaliP

Leave a Reply

Your email address will not be published. Required fields are marked *