ପାଣ୍ଡିଆନଙ୍କ ଗର୍ବ ଭାଙ୍ଗିଛି। ଅହଂକାର ଓ ଆତ୍ମବଡ଼ିମାର ପତନ ହୋଇଛି। ତାଙ୍କ ନିଜର ଗର୍ବ ଭାଙ୍ଗିବା ସହ ସେ ବିଜୁ ଜନତା ଦଳ ପତନର କାରଣ ମଧ୍ୟ ହୋଇଛନ୍ତି ଯାହା ସମର୍ଥକଙ୍କ ମନରେ ଆଘାତ ଦେଇଛି। ରାଜନୈତିକ ସମୀକ୍ଷକମାନେ ଏହା ଉପରେ ଅନେକ ଟିପ୍ପଣୀ ମଧ୍ୟ ଦେଇଛନ୍ତି।

ବିଜେପିର ଓଡ଼ିଆ ଅସ୍ମିତାର ଜବାବ ଦେଇପାରିଲାନି ବିଜେଡି। ବିଜେପି ସ୍ପଷ୍ଟ କରିଥିଲା ଯେ ଭିକେ ପାଣ୍ଡିଆନ ତାଙ୍କ ଟାର୍ଗେଟରେ ରହିବେ। ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ବିଜେପି ଓଡ଼ିଆ ଅସ୍ମିତାର କଥା ଉଠାଇଥିଲା। ବିଜୁ ବାବୁଙ୍କ ନାଁ’ରେ ଗଠିତ ଦଳ ତା’ର ଜବାବ ଦେଇପାରିଲାନାହିଁ। ଏସବୁକୁ ଲୋକେ ଗ୍ରହଣ କଲେ ନାହିଁ।

ନିଜକୁ ସର୍ବଶ୍ରେଷ୍ଠ ଭାବିବା ପାଣ୍ଡିଆନଙ୍କୁ ମହଙ୍ଗା ପଡ଼ିଛି। କୋଟି କୋଟି ଓଡ଼ିଆଙ୍କ ଭାବନା ସହ ଖେଳିବାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଛି। ବିଶେଷକରି ପାଣ୍ଡିଆନ ସବୁବେଳେ ନିଜକୁ ବିଜୁ ଜନତା ଦଳ ଓ ଶ୍ରୀ ନବୀନ ପଟ୍ଟନାୟକଙ୍କଠୁ ଆଗରେ ରଖିଛନ୍ତି। ସେ ସବୁବେଳେ ସୁବିଧାବାଦୀ ହୋଇ ମନମୁଖୀ ଭାବେ କାମ କରିଆସିଛନ୍ତି। ଏହି ମନୋଭାବ ତାଙ୍କ ପତନର କାରଣ ହୋଇଛି। ବିଜୁ ଜନତା ଦଳକୁ ଲୋକେ ସବୁବେଳେ ଭଲପାଇବା ଦେବା ସହ ସମର୍ଥନ ମଧ୍ୟ କରିଆସିଛନ୍ତି। ହେଲେ ପାଣ୍ଡିଆନଙ୍କ ସ୍ୱାର୍ଥବାଦୀ ଚିନ୍ତାଧାରା ପାଇଁ ତାଙ୍କ ନିଜର ଗର୍ବ ଭାଙ୍ଗିବା ସହ ଦଳ ମଧ୍ୟ ସତ୍ତା ହରେଇଛି।

ଲୋକଙ୍କ ବିଶ୍ୱାସ ସହ ଖେଳିବା ଓ ଵିଶ୍ଵାସଘାତ କରିବାର ସବୁ ସୀମା ଟପିଯାଇଥିଲେ ପାଣ୍ଡିଆନ। ହେଲେ ଏସବୁ ତାଙ୍କୁ ବହୁତ ମହଙ୍ଗା ପଡ଼ିଛି। ରାଜନୀତିର ପାଣିପାଗ ସବୁବେଳେ ସମାନ ନଥାଏ। କେତେବେଳେ ଯେ ବାଜି ପଲଟିଯିବ, ତାହା ଅନୁମାନ କରିବା ସମ୍ଭବ ନୁହେଁ। ସେ ସବୁବେଳେ ଜନସେବାଠୁ ଊର୍ଦ୍ଧ୍ୱରେ ରହି ନିଜର ଆତ୍ମବଡ଼ିମା ଦେଖାଇଥାନ୍ତି। ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକ ସମୟରେ ଲୋକଲୋଚନକୁ ଆସିବାକୁ ଦିଅନ୍ତି ନାହିଁ। ଫମ୍ପା ଭାଷଣ ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଆସିଛନ୍ତି। ହେଲେ ଓଡ଼ିଶାବାସୀ ବୋକା ନୁହଁନ୍ତି। ସେମାନେ ଉଚିତ ସମୟରେ ଉଚିତ ଜବାବ ଦେଲେ। ପାଣ୍ଡିଆନ ବୋଧହୁଏ ଲୋକଙ୍କ ଭାବନା ସହ ଖେଳିବାର ପରିଣାମ ବୁଝି ଯାଇଥିବେ।

Leave a Reply

Your email address will not be published. Required fields are marked *