ଗେଟ୍‌ବଜାର ଫ୍ଲାଏଓଭର ନିର୍ମାଣର ଗୁଣବତ୍ତା ଓ ସୁରକ୍ଷାକୁ ନେଇ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅଭିଯୋଗ ପରେ ମାମଲାକୁ ଗୁରୁତ୍ୱର ସହ ନେଇଛି ପୂର୍ତ୍ତ ବିଭାଗ। ସାଂସଦଙ୍କ ଅଭିଯୋଗକୁ ଗୁରୁତର ସହିତ ନେଇଛି ପୂର୍ତ୍ତ ବିଭାଗ। ଗେଟ୍‌ବଜାର ଫ୍ଲାଏଓଭର ନିର୍ମାଣ ନେଇ ସ୍ୱତନ୍ତ୍ର ଯାଞ୍ଚ କରି ବିସ୍ତୃତ ରିପୋର୍ଟ ଦେବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବୁଧବାର ପୂର୍ତ୍ତ ବିଭାଗର ଆର୍‌ଡିକ୍ୟୁପି (R&DQP) ବିଭାଗର ମୁଖ୍ୟଯନ୍ତ୍ରୀ ବ୍ରହ୍ମପୁର କ୍ୱାଲିଟି କଣ୍ଟ୍ରୋଲ୍‌ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଫ୍ଲାଏଓଭରର ସ୍ଥଳ ପରିଦର୍ଶନ କରି ଟେକ୍ନିକାଲ ଅଡିଟ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ଟିମ୍‌ ଓ ଆବଶ୍ୟକ ଟେଷ୍ଟିଂ ଉପକରଣ ସହ ସ୍ଥଳ ଯାଞ୍ଚ କରି ନିର୍ମାଣକାର୍ଯ୍ୟର ଗୁଣବତ୍ତା, ବ୍ୟବହୃତ ସାମଗ୍ରୀର ମାନ, ସମ୍ପୃକ୍ତ ଦସ୍ତାବିଜ, କ୍ୱାଲିଟି ଆସ୍ୟୁରାନ୍ସ ପ୍ଲାନ୍‌ (QAP) ଏବଂ ସୁରକ୍ଷା ମାନଦଣ୍ଡର ଅନୁପାଳନ ଯାଞ୍ଚ କରିବାକୁ କୁହାଯାଇଛି। ଏହାର ବିସ୍ତୃତ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଏହାକୁ ‘ମୋଷ୍ଟ ଅର୍ଜେଣ୍ଟ’ ଭାବେ ଦର୍ଶାଯାଇଛି।

ସୂଚନାଯୋଗ୍ୟ, ଜୁଲାଇ ୨୫ରେ ସାଂସଦ ଡ. ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଗେଟ୍‌ବଜାର ଫ୍ଲାଏଓଭର ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ନେଇ ଆଶଙ୍କା ପ୍ରକାଶ କରିଥିଲେ। ଏଥିସହ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ, ଟ୍ରାଫିକ୍‌ ସମସ୍ୟା, ଧୂଳି ପ୍ରଦୂଷଣ ଓ ସ୍ଥାନୀୟ ବ୍ୟବସାୟୀ ଏବଂ ବାସିନ୍ଦାଙ୍କ ଅସୁବିଧା ନେଇ ମଧ୍ୟ ସେ ଅଭିଯୋଗ ଉଠାଇଥିଲେ।

ଫ୍ଲାଏଓଭର ନିର୍ମାଣର ଗୁଣବତ୍ତା ଓ ସୁରକ୍ଷା ନେଇ ସ୍ୱତନ୍ତ୍ର ଟେକ୍ନିକାଲ ଅଡିଟ୍‌ କରିବା ସହ ଅବଶିଷ୍ଟ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ଏବଂ ନିର୍ମାଣରେ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ସାଂସଦ ଦାବି କରିଥିଲେ।

ସାଂସଦଙ୍କ ଅଭିଯୋଗ ପରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବୈଠକ ଏବଂ ତା’ପରେ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ଯାଞ୍ଚ ନିର୍ଦ୍ଦେଶକୁ ନେଇ ଏବେ ଫ୍ଲାଏଓଭର ନିର୍ମାଣର ମାନ ଓ ସୁରକ୍ଷା ଉପରେ ରିପୋର୍ଟକୁ ଅପେକ୍ଷା ରହିଛି। ଟେକ୍ନିକାଲ ଅଡିଟ୍‌ ପରେ ନିର୍ମାଣର ଗୁଣବତ୍ତା, ବ୍ୟବହୃତ ସାମଗ୍ରୀ ଓ ସୁରକ୍ଷା ମାନଦଣ୍ଡର ଅନୁପାଳନ ସମ୍ପର୍କରେ ସ୍ଥିତି ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *