ଭାରତର ଅଗ୍ରଣୀ ଜନକଲ୍ୟାଣକାରୀ ତଥା ସାମାଜିକ ଅନୁଷ୍ଠାନ ‘ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଅଫ୍ ଏଜୁକେସନାଲ୍ ଆଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ’ (SKFECT) ପକ୍ଷରୁ ନୂଆଦିଲ୍ଲୀରେ “ଜଳବାୟୁ ପରିବର୍ତ୍ତନ: ଆହ୍ୱାନ ଓ ସୁଯୋଗ” ଶୀର୍ଷକ ଏକ ଜାତୀୟ ସମ୍ମିଳନୀ (National Conclave) ଅତ୍ୟନ୍ତ ଆଡମ୍ବର ସହକାରେ ଆୟୋଜିତ ହୋଇଯାଇଛି। ଏହି ମେଗା ସମିଟ୍ରେ ଦେଶର ପ୍ରମୁଖ ନୀତି ନିର୍ଦ୍ଧାରକ, ବୈଜ୍ଞାନିକ, ପରିବେଶବିତ୍, ଶିଳ୍ପପତି, ଶିକ୍ଷାବିତ୍ ଏବଂ ସାମାଜିକ ନେତୃବୃନ୍ଦ ଯୋଗ ଦେଇଥିଲେ। ଏହି ଅବସରରେ ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ୨୧ ଜଣ ବିଶିଷ୍ଟ ପରିବେଶବିତ୍, ସାମାଜିକ ନେତା ଓ ଅନୁଷ୍ଠାନକୁ ସମ୍ମାନଜନକ ୫ମ ପରିବେଶ ରତ୍ନ ସମ୍ମାନ-୨୦୬ ପ୍ରଦାନ କରାଯାଇଛି। ପୁରସ୍କାର ପ୍ରାପ୍ତ ବ୍ୟକ୍ତି ହେଲେ ରବୀନ୍ଦ୍ର ନାଥ ପ୍ରଧାନ, କିଶୋର ଦ୍ୱିବେଦୀ, ଡ. ଆଶୁତୋଷ ତ୍ରିପାଠୀ, ଇଂ. ସୁଶାନ୍ତ କୁମାର ମହାପାତ୍ର, ଡ. ମଧୁସ୍ମିତା ଦାସ, ରିଚା ପାଠକ, ଦୀପକ କୁମାର ରଥ, ଅକ୍ଷୟ କୁମାର ସାମଲ, ବନ୍ଦନା ସାହୁ, ବିଶ୍ୱନାଥ ଗୁରୁଦତ୍ତ, ସୈୟଦ ଇସହାକ, ଡ. ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ସଞ୍ଜୟ ମିଶ୍ର, କେ.ଏମ.ଭି ପ୍ରୋଜେକ୍ଟସ ଲିମିଟେଡ, ଜ୍ୟୋତ୍ସ୍ନା ରାଣୀ ରାଉତରାୟ, ବିଜୟା ନବାମୀ, ରୀତା ପାତ୍ର, ଗୋବର୍ଦ୍ଧନ ଧଳ, ପ୍ରବୀର କୁମାର ମହାନ୍ତି, ଅଜୟ କୁମାର ବେହେରା ଏବଂ ମହାକାଂକ୍ଷା ୱେଲଫେୟାର ଫାଉଣ୍ଡେସନ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଏବଂ ଏହାର ପ୍ରତିଷ୍ଠାତା ଡ. ବିପିନ ବିହାରୀ ମିଶ୍ର ଓ ଡ. ସୁକାନ୍ତି ମିଶ୍ରଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ସାରା ଦେଶରେ ପରିବେଶ ସଚେତନତା ସୃଷ୍ଟି କରିବା ଦିଗରେ ସେମାନଙ୍କର ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (IMD) ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ତାପନ (Global Warming) ଓ ଜଳବାୟୁ ପରିବର୍ତ୍ତନର ଭୟାବହ ପରିଣାମ ବିଷୟରେ ସମସ୍ତଙ୍କୁ ସତର୍କ କରାଇଥିଲେ। ସେହିପରି ‘HURL’ ର ପରିଚାଳନା ନିର୍ଦ୍ଦେଶକ ଡ. ସିବା ପ୍ରସାଦ ମହାନ୍ତି ନିଜର ବକ୍ତବ୍ୟରେ ପୃଥିବୀକୁ ପରିବେଶ ଜରୁରୀକାଳୀନ ସ୍ଥିତିରୁ ରକ୍ଷା କରିବା ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ HPCL ର ଚିଫ୍ ଜେନେରାଲ ମ୍ୟାନେଜର ରମେଶ ଚନ୍ଦ୍ର ବାଘ, ବରିଷ୍ଠ ପ୍ରଶାସକ ଗୋକୁଳ ପଟ୍ଟନାୟକ ଏବଂ ଡ. ସଞ୍ଜୀବ କୁମାର ପାଟଯୋଶୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ୱ କରି SKFECT ର ଅଧ୍ୟକ୍ଷ ଡ. ବିପିନ ବିହାରୀ ମିଶ୍ର କହିଥିଲେ ଯେ ପ୍ରକୃତିର ସୁରକ୍ଷା ହେଉଛି ସମସ୍ତଙ୍କର ମିଳିତ ଦାୟିତ୍ୱ। ଅନୁଷ୍ଠାନର ସମ୍ପାଦିକା ଡ. ସୁକାନ୍ତି ମିଶ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇବା ସହ ଏକ ସବୁଜ ଓ ସ୍ଥାୟୀ ଭାରତ ଗଠନ ପାଇଁ କାର୍ଯ୍ୟ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ କରିଥିଲେ। ଶେଷରେ ଆଗାମୀ ପିଢ଼ିର ସୁରକ୍ଷା ପାଇଁ ପରିବେଶର ସନ୍ତୁଳନ ରକ୍ଷା କରିବାକୁ ସମସ୍ତ ଅଂଶଗ୍ରହଣକାରୀ ଏକ ସାମୂହିକ ସଙ୍କଳ୍ପ ନେଇଥିଲେ। Post navigation Fraud Cash In BBSR: ରାଜଧାନୀରେ ୨୯ ଲକ୍ଷ ଠକେଇ ଅଭିଯୋଗ; ସ୍ୱାମୀ ଗିରଫ; ପତ୍ନୀ ଫେରାର