କାକଟପୁରର ବରିଷ୍ଠ ନେତା ତଥା ପୂର୍ବତନ ବିଜେଡି ବିଧାୟକ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ । ୯୩ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନରୁ ସୁରେନ୍ଦ୍ର ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ସୂଚନା । ଆଜି ଭୋରରୁ ତାଙ୍କର ପରଲୋକ ଘଟିଛି ।

କାକଟପୁର ରାଜନୀତିରେ ସୁରେନ୍ଦ୍ର ଥିଲେ ଜଣେ ଟାଣୁଆ ରାଜନେତା। କାକଟପୁରରୁ ସେ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ରେ ୧୭ମେ ୧୯୩୭ମସିହା ଜନ୍ମଗ୍ରହଣ କରିଥିବା ବେଳେ ପ୍ରଥମେ ୧୯୬୦ ମସିହାରେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ସୁରେନ୍ଦ୍ରନାଥ ।

୧୯୭୧ ମସିହାରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୭୭, ୧୯୮୫, ୧୯୯୦, ୧୯୯୫ ଉପନିର୍ବାଚନ, ୨୦୦୦ ଓ ୨୦୦୪ ନିର୍ବାଚନରେ ଜିତି ବିଧାନସଭାକୁ ଆସିଥିଲେ । ୧୯୭୭ରୁ ୧୯୮୦ ମସିହା ପର୍ଯ୍ୟନ୍ତ ସେ ବିଧାନସଭାର ଉପବାଚସ୍ପତି ଥିଲେ ।

୧୯୯୦ରେ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ରାଜସ୍ୱ ଓ ଅବକାରୀ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥିଲେ। ୨୦୦୪ରେ କୃଷି ମନ୍ତ୍ରୀ ହୋଇଥିଲେ । ୨୦୧୨ରେ ସେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହୋଇଥିଲେ। । ବିଜେଡି ସରକାର ଥିବା ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିଲେ ସୁରେନ୍ଦ୍ର।

ଉଲ୍ଲେଖଯୋଗ୍ୟ, ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ୨୦୧୯ ମସିହାରୁ ଶ୍ରୀ ନାୟକ ଅସୁସ୍ଥ ଥିଲେ। ଅସୁସ୍ଥତା ସତ୍ତ୍ୱେ ନିଜର ପୂର୍ବ ନିର୍ବାଚନମଣ୍ଡଳୀ କାକଟପୁର, ଅସ୍ତରଙ୍ଗ ସମେତ ଅନ୍ୟ ଅଞ୍ଚଳର ବନ୍ଧୁମାନଙ୍କ ସହିତ ସେ ସଂପର୍କରେ ରହିଥିଲେ।

ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ପରଲୋକ ରାଜ୍ୟ ପାଇଁ ଏକ ବଡ଼ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।

ସୁରେନ୍ଦ୍ରନାଥ ନାୟକଙ୍କ ମୃତଦେହକୁ ଭୁବନେଶ୍ୱରସ୍ଥିତ ଘରୁ ପ୍ରଥମେ ଅଶୋକ ନଗର ନିଆଯିବ । ସେଠାରେ ସେ ନିଜ ରାଜନୈତିକ କାର୍ଯ୍ୟକ୍ରମ କରୁଥିଲେ। ଏହାପରେ ସେଠାରୁ ମରଶରୀରକୁ ବିଧାନସଭା ଓ ପରେ ସଚିବାଳୟ ନିଆଯିବ । ସେଠାରେ ଉପସ୍ଥିତ ଲୋକେ ସୁରେନ୍ଦ୍ରନାଥ ନାୟକଙ୍କ ଶେଷ ଦର୍ଶନ କରିବେ। ଏହାପରେ ତାଙ୍କ ମରଶରୀରକୁ ପିପିଲି ଦେଇ ନିମାପଡ଼ା, ଗୋପ, କୋଣାର୍କ, କାକଟପୁର, ଅସ୍ତରଙ୍ଗ ନିଆଯିବ । ସେଠାରେ ସମର୍ଥକମାନେ ନିଜ ପ୍ରିୟ ନେତାଙ୍କୁ ଶେଷ ଥର ପାଇଁ ଦେଖିବେ। ଏହାପରେ ସେଠାରୁ ମୃତଦେହକୁ ନିଜ ପୈତୃକ ଗାଁ ଅଣକଣାକୁ ନେଇ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିବେ ପରିବାର ସଦସ୍ୟ ।

Leave a Reply

Your email address will not be published. Required fields are marked *