ରବିବାର ମୋହନ ସରକାର ତାଙ୍କର ବହୁ ପ୍ରତିକ୍ଷିତ ପୋଲିସ ପ୍ରଶାସନରେ ଐତିହାସିକ ଅଦଳବଦଳ କରିଛନ୍ତି। ୨୨ ଜଣ ଏସପିଙ୍କୁ ବଦଳି କରାଯାଇଥିଲା ବେଳେ ବ୍ରହ୍ମପୁରରେ ଏସପି ଭାବେ ପୁଣି ଶ୍ରବଣ ବିବେକ ଏମଙ୍କୁ ଅବସ୍ଥାପିତ କରାଯାଇଛି। ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବ୍ରହ୍ମପୁର ଏସପି ଶ୍ରବଣ ବିବେକଙ୍କୁ ନିର୍ବାଚନରେ ଅର୍ଥନୈତିକ ହସ୍ତକ୍ଷେପ ଯୋଗୁଁ ନିର୍ବାଚନ କମିଶନ ବଦଳି କରିଥିଲେ। ସାଧାରଣ ଜନତା କିନ୍ତୁ ଏହି ଆଦେଶକୁ ଗ୍ରହଣ କରିପାରି ନଥିଲେ ମଧ୍ୟ ଅଗତ୍ୟା ଚୁପ ରହିଥିଲେ। ଅସଲ କଥା ହେଲା ଶ୍ରବଣ ବିବେକ ଏସପି ଭାବେ ରାୟଗଡାରେ ସଫଳତାର ସହ କାମ କଲା ପରେ ତାଙ୍କୁ ବ୍ରମହାପୁରରେ ଅବସ୍ଥାପିତ କରାଯାଇଥିଲା। କାର୍ଯ୍ୟରେ ଯୋଗ ଦେଉ ଦେଉ ମଦ ମାଫିଆ, ପଥର ଓ ବାଲି ଚୋର, ସୁନା ବେପାରୀ ତଥା ବଡ଼ ବଜାର ଅପମିଶ୍ରଣକାରୀଙ୍କ ବିରୋଧରେ ଦ୍ରୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ସହ ଦୀର୍ଘବର୍ଷ ଧରି ଗାଡି ମାଡି ବସିଥିବା ପୁଲିସ ବାବୁମାନଙ୍କ ଚକ୍ଷୁଶୁକ୍ଳ ହୋଇଥିଲେ। ଏସବୁ କଳା କାରନାମା ପଛରେ ବିଜେଡି ସରକାରଙ୍କ ନେତାମାନଙ୍କ ପ୍ରଚ୍ଛନ୍ନ ହାତ ଥିବା କଥା ସମସ୍ତେ ଜାଣନ୍ତି।

ତେଣୁ ଏହି ସବୁ କଳା ବେପାରୀ ଓ ବିଜେଡି ନେତାମାନଙ୍କ ଷଡଯନ୍ତ୍ରରେ ଶିକାର ହୋଇଯାଇଥିଲେ ଡ଼. ଶ୍ରବଣ ବିବେକ । ପେଶାରେ ଜଣେ ଡାକ୍ତର ଏହି ପୁଲିସ ଅଧିକାରୀ ଭାଙ୍ଗି ନଯାଇ ଭୁବନେଶ୍ୱର ଭିଜିଲାନ୍ସ ଏସପିଭାବେ ତାଙ୍କ ଦାୟିତ୍ୱ ନିର୍ଵାହ କରିବା ସହ ବଡ଼ ବସ ଧଳା ହାତୀ ବାବୁମାନଙ୍କୁ ଜେଲ ପଠାଇ ପୁଣି ଚର୍ଚ୍ଚାରେ ରହିଥିଲେ। ସେ ଯାହା ହେଉ ବର୍ତ୍ତମାନ କିନ୍ତୁ ମୋହନ ସରକାରଙ୍କ ମାଷ୍ଟର ଷ୍ଟ୍ରୋକ ଜରିଆରେ ଶ୍ରବଣ ବିବେକ ପୁଣି ବ୍ରହ୍ମପୁର ଏସପି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ଦୁର୍ନୀତିଗ୍ରସ୍ତ ପୁଲିସ କର୍ମଚାରୀ ଓ କଳା ବେପାରୀମାନଙ୍କ ମନରେ ଭାଳେଣି ପଡିଯାଇଥିଲା ବେଳେ ସାଧାରଣ ଲୋକ ମୋହନ ସରକାରଙ୍କ ଏ ପଦକ୍ଷେପ ଯୋଗୁଁ ଖୁବ ଆନନ୍ଦିତ ଅଛନ୍ତି। ନୂଆ ଏସପି ଶ୍ରବଣ ବିବେକ ଦୁଇ ଗୁଣ ଉତ୍ସାହରେ କାମ କରିବା ସହ ଦିର୍ଘଦିନରୁ ଗାଡି ମାଡ଼ିବସିଥିବା ପୁଲିସ ବାବୁମାନଙ୍କୁ ଉଚିତ ମାର୍ଗ ଦେଖାଇବା ସହ ମାଫିଆମାନଙ୍କ ବିରୋଧରେ ଦ୍ରୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସମସ୍ତେ ଆଶା କରୁଛନ୍ତି।

 

Leave a Reply

Your email address will not be published. Required fields are marked *