ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଭଦ୍ରକ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ବିଧାୟକ ଥିବା ପ୍ରଫୁଲ୍ଲ ସାମଲଙ୍କ ଘର ସମେତ ଗତକାଲି ୬ଟି ସ୍ଥାନରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଥିଲା। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କ ପୁଅ ପ୍ରୟାସକାନ୍ତ ସାମଲଙ୍କ ଘରୁ 10 ଲକ୍ଷ ଟଙ୍କା ମୂଲ୍ୟର ଏକ ହାଇ ଏଣ୍ଡ କାର ଏବଂ ନଗଦ ଟଙ୍କା ଜବତ କରିଛି।

ଇଡିର ୫ଜଣିଆ ଟିମ୍‌ ସାମଲଙ୍କ ଭଦ୍ରକ ସହରସ୍ଥିତ ନୂଆବଜାର ଓ ସାବନ ବଜାରସ୍ଥିତ ବାସଭବନ, ତାଙ୍କ ପୁଅ ମାଲିକାନାରେ ଥିବା ବରପଦା ଇଞ୍ଜିନିୟରିଂ କଲେଜ, କଲେଜର ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ବାମୀଙ୍କ ଅପର୍ତ୍ତିବିନ୍ଧାସ୍ଥିତ ବାସଭବନ ଓ କଲେଜର ଆକାଉଣ୍ଟାଣ୍ଟ ଭୀମଚରଣ ସାମଲଙ୍କ ବରପଦା ହାସିନପୁର ଘରେ ଛାନ୍‌ଭିନ୍ କରିଥିଲେ।

ସେହିପରି, ସାମଲଙ୍କର ଭୁବନେଶ୍ୱରର ପଳାସପଲ୍ଲୀସ୍ଥିତ ଘର ଏବଂ ତାଙ୍କ ପୁଆଙ୍କଠୁ ମଧ୍ୟ ଚଢ଼ାଉ କରାଯାଇଛି। ୨୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ଗୁରୁବାର ସକାଳେ କେନ୍ଦ୍ରୀୟ ସଶସ୍ତ୍ର ବଳ ସହାୟତାରେ ଇଡିର ବରିଷ୍ଠ ଅଧିକାରୀମାନେ ସାମଲଙ୍କ ନୂଆବଜାର ଘରେ ପହଞ୍ଚିଥିଲେ। ସେହିସମୟରେ ବିଧାୟକ ସାମଲ ଘରେ ଉପସ୍ଥିତ ଥିଲେ। ଇଡିର ଅଧିକାରୀମାନେ ତାଙ୍କୁ କଲେଜ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏଥିସହିତ, ବରପଦା ଇଞ୍ଜିନିୟରିଂ କଲେଜର ଅନେକ କାଗଜପତ୍ର ଜବତ କରିଥିଲେ ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ଏକ ଟିମ୍‌ କଲେଜର ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ବାମୀଙ୍କୁ ଜେରା କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିବା ବେଳେ ଆକାଉଣ୍ଟାଣ୍ଟ ଭୀମଚରଣ ସାମଲଙ୍କଠାରୁ ମଧ୍ୟ କଲେଜର ଆୟବ୍ୟୟ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିଥିଲେ। ସକାଳ ୭ରୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ରାତି ୧୦ଟା ପର୍ଯ୍ୟନ୍ତ ଜାରି ରହିଥିଲା।

ଇଡି ଚଢାଉ ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ରାଜନୈତିକ ଆକ୍ରୋଶ ରଖି ଚଢାଉ କରାଯାଇଥିବା ସେ କହିଛନ୍ତି। ପ୍ରଫୁଲ୍ଲ ସାମଲଙ୍କ କହିବା କଥା, ‘ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଆକ୍ରୋଶ ରଖି ଇଡି ଚଢାଉ କରିଛି।’ ଗତକାଲି(ଗୁରବାର) ଭଦ୍ରକର ୪ଟି ସ୍ଥାନ ସମେତ ଭୁବନେଶ୍ବରରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୀର୍ଘ ୧୫ ଘଣ୍ଟା ପରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନୂଆ ବଜାରସ୍ଥିତ ବାସ ଭବନରୁ ବାହାରିଥିଲେ ଇଡି ଅଧିକାରୀ । ବରପଦା ଇଞ୍ଜିନିୟରିଂ କଲେଜ ବିଷୟରେ ସେମାନେ ପଚରାଉଚରା କରିଥିଲେ ବୋଲି କହିଛନ୍ତି ପ୍ରଫୁଲ ସାମଲ ।

ପ୍ରଫୁଲ୍ଲ ସାମଲ କହିଛନ୍ତି, ‘ମୋ ସହିତ ରାଜନୈତିକ ଶତ୍ରୁତା ରଖିବା ସହ ଆଗାମୀ ନିର୍ବାଚନରେ ହରାଇବା ପାଇଁ ମୋ ବିରୋଧରେ ଷଡଯନ୍ତ୍ର କରି ଘରେ ଇଡି ଚଢ଼ାଉ କରାଯାଇଛି । ଇଡିରେ ଥିବା ରାଜ୍ୟ ଅଧିକାରୀ ତପନ ବାବୁ ଆସିଥିଲେ ଏବଂ ତାଙ୍କର ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋତେ ବରପଦା ଇଞ୍ଜିନିୟରିଂ କଲେଜ ବିଷୟରେ କିଛି ପ୍ରଶ୍ନ ପଚାରିଲେ । ଯାହାର ଉତ୍ତର ମଧ୍ଯ ମୁଁ ଦେଇଥିଲି । ଇଡି ଅଧିକାରୀମାନେ କୌଣସି ପ୍ରକାର ଅସୁବିଧା ମୋ ସହିତ କରିନଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *