ଇଛାଶକ୍ତି ଆଗରେ ହାରମାନିଛି ଶାରୀରିକ ଅସୁସ୍ଥତା। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କେନ୍ଦୁଝର ଜିଲ୍ଲା ବ୍ରାହ୍ମଣୀ ଗାଁରେ ଜନ୍ମିତ ଶ୍ଵେତପଦ୍ମା ମିଶ୍ର। ସେ ଦୂରାରୋଗ୍ୟ ସ୍ନାୟବିକ ରୋଗରେ ପୀଡିତ। ବାପା-ମା’, ସାନ ଭାଇ, ଭାଉଜ ଓ ଜେଜେ ମା’ଙ୍କୁ ନେଇ ତାଙ୍କର ଛୋଟ ପରିବାର।

ଚିତ୍ର ଆଙ୍କିବା ପିଲାଦିନୁ ତାଙ୍କର ନିଶା ଥିଲା। ଏଥିପାଇଁ ସେ କୌଣସି ପ୍ରଶିକ୍ଷଣ ନେଇନାହାନ୍ତି। ସେ ନିଜେ ନିଜେ ଚିତ୍ର ଆଙ୍କି ନିଜ ଭିତରେ ଥିବା କଳାକାରକୁ ଜୀବିତ ରଖିଛନ୍ତି।

କେବଳ ଯେ ଚିତ୍ର ଆଙ୍କିବା ନୁହେଁ, ସେ ଜଣେ ମେଧାବୀ ଛାତ୍ରୀ ମଧ୍ୟ। କେନ୍ଦୁଝରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ସ୍କୁଲ ପାଠପଢା ସାରିବା ପରେ ଡିଡି କଲେଜରେ ଉଦ୍ଭିଦ ବିଜ୍ଞାନରେ ସ୍ନାତକ କରିଛନ୍ତି। ଏହାପରେ ସେ ଆର୍ଟରେ କ୍ୟାରିୟର କରିବାକୁ ଚାହୁଁଥିଲେ ମଧ୍ୟ ପରିବାର ଲୋକଙ୍କ ସହମତି ମିଳି ନଥିଲା। ପରେ ଇତିହାସରେ ସ୍ନାତକୋତ୍ତର ଓ ବିଇଡି ମଧ୍ୟ କରିଛନ୍ତି। ସ୍ନାତକୋତ୍ତର ସମୟରେ ଅସୁସ୍ଥ ହୋଇପଡିଥିଲେ। ହେଲେ ସେଇଠି ସେ ଅଟକି ଯାଇନଥିଲେ।

ଯେତେବେଳେ ସେ ଅସୁସ୍ଥ ହୋଇପଡିଲେ କେବେ ଭାବିନଥିଲେ କି ଆର୍ଟ କରିପାରିବେ। କିନ୍ତୁ ଦୃଢ଼ ମନୋବଳ ଆଗରେ ଅସୁସ୍ଥତା ବି ହାର ମାନିଲା। ସେ ଆର୍ଟ କରିବା ଆରମ୍ଭ କଲେ। ଅସୁସ୍ଥତା ଯୋଗୁଁ ଅନ୍ୟ କୋଉଥିରେ କ୍ୟାରିୟର କରିବା ଏତେ ସହଜ ନଥିଲା। ଯେହେତୁ ଆର୍ଟ ତାଙ୍କୁ ମାନସିକ ଶାନ୍ତି ଦେଉଥିଲା, ସେଥିପାଇଁ ସେ ଆର୍ଟକୁ ବାଛିଲେ। ଏହି ସମୟରେ ପରିବାର ଲୋକଙ୍କ ସମର୍ଥନ ମଧ୍ୟ ମିଳିଲା। କେବଳ ଆର୍ଟ ତାଙ୍କର ସଉକ ନଥିଲା, ଏଥିପାଇଁ ବହୁ ସମ୍ମାନରେ ସେ ସମ୍ମାନିତ ମଧ୍ୟ ହୋଇଛନ୍ତି। ସେହି ଆର୍ଟ ପାଇଁ ତାଙ୍କୁ ଆଜି ନୂଆ ପରିଚୟ ମିଳିଛି।

କେନ୍ଦୁଝରର ସାଂସ୍କ୍ରୁତିକୀ ଅନୁଷ୍ଠାନ, କେନ୍ଦୁଝରର ସ୍ପିରିଟାଜ ଅନୁଷ୍ଠାନରୁ କେନ୍ଦୁଝର ରତ୍ନ, କେନ୍ଦୁଝର ହିନ୍ଦୁ ଜାଗୃତୀ ମଞ୍ଚ, କେନ୍ଦୁଝର ବ୍ରାହ୍ମଣ ମହାସଭା, କଳ୍ପତରୁ ପ୍ରତିଭା ସମ୍ମାନ, କେନ୍ଦୁଝର କଲା ଉତ୍ସବରୁ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏହାବ୍ୟତୀତ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ସମ୍ମାନିତ ହୋଇ କେନ୍ଦୁଝର ପାଇଁ ଗୌରବ ଆଣିଛନ୍ତି। ସେ ଆଙ୍କିଥିବା ଏକ ଆର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭଲ ଲାଗିବା ପରେ ସେ ଶ୍ଵେତପଦ୍ମାଙ୍କୁ ଚିଠି ଲେଖି ପ୍ରସଂଶା କରିଥିଲେ।

ଶାରୀରିକ ଅସୁସ୍ଥତା ପରେ ପରିବାର ଲୋକେ ଆଜି ତାଙ୍କୁ ନେଇ ଗର୍ବିତ। ଖାଲି ଓଡ଼ିଶା ନୁହେଁ, ଦେଶ ବିଦେଶରେ ସେ ତାଙ୍କ ପ୍ରତିଭା ପ୍ରମାଣିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଆଶା କରୁଛୁ ସେ ଆହୁରି ଆଗକୁ ଯିବେ ଓ ସଫଳତାର ଶିଖର ଛୁଇଁବେ। ପ୍ରଭୁ ଜଗନ୍ନାଥ ତାଙ୍କୁ ଶକ୍ତି ଓ ସାମର୍ଥ୍ୟ ଦିଅନ୍ତୁ, ଏତିକି ପ୍ରାର୍ଥନା।

Leave a Reply

Your email address will not be published. Required fields are marked *