ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ଅନ୍ତରୀଣ ଜାମିନ ପାଇବା ପରେ ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରବିବାର ଜେଲରୁ ମୁକୁଳିଛନ୍ତି। ଜେଲ୍‌ରୁ ବାହାରିବା ପରେ ଗର୍ଜିଛନ୍ତି  ପ୍ରଶାନ୍ତ ଜଗଦ୍ଦେବ। ସର୍ତ୍ତ ମୂଳକ ଜାମିନ ପରେ ଜେଲ୍‌ରୁ ବାହାରିବା ପରେ ଶ୍ରୀ ଜଗଦ୍ଦେବ କହିଛନ୍ତି, ନିର୍ଦ୍ଦିଷ୍ଟ ଗଣମାଧ୍ୟମ କହୁଥିଲା ମୋତେ ବିଜେଡି ଜନ୍ମ ଦେଇଛି। ହେଲେ ଏଥର ପରୀକ୍ଷାରେ ଲୋକମାନେ ପ୍ରମାଣିତ କରି ଦେଖାଇଦେଲେ ଯେ ପ୍ରଶାନ୍ତ ଜଗଦ୍ଦେବ ବିଜେଡିର ନୁହେଁ। ନିର୍ବାଚନମଣ୍ଡଳୀ ବଦଳିଲା, ଦଳ ବଦଳିଲା। ଜନସାଧାରଣ ମୋତେ ନିର୍ବାଚିତ କଲେ। ଲୋକବଳ ପାଖରେ କୌଣସି ରାଜନୈତି ବଳ ଓ ଚିହ୍ନ ବଡ଼ ନୁହେଁ। ଯଦି ଲୋକଙ୍କ ଆଶୀର୍ବାଦ ଅଛି, ଯେଉଁଠି ହେଲେ ମଧ୍ୟ ନିର୍ବାଚିତ ହୋଇପାରିବ ବୋଲି ଶ୍ରୀ ଜଗଦ୍ଦେବ କହିଛନ୍ତି।

 

ଜେଲ୍‌ ଯିବାକୁ ନେଇ ସେ କହିଛନ୍ତି, କିଛି ନାହିଁ। ଜେଲ୍‌ ମୋ ପାଇଁ ଗୋଟିଏ ସାଧାରଣ କଥା। ମୁଁ କମ୍ୟୁନିଷ୍ଟ ପାର୍ଟିରୁ ତିଆରି ହୋଇଛି। ଲଢ଼େଇ କରି ଆସିଛି। ବହୁବାର ଜେଲ୍‌ ଯାଇଛି। ଏପରି ଚକ୍ରାନ୍ତରେ ମୁଁ ବହୁବାର ଶିକାର ହୋଇଛି। ବାଣପୁରରେ ଚକ୍ରାନ୍ତରେ ଶିକାର ହୋଇଥିଲି। ଆଜି ମଧ୍ୟ ସେମିତି ଚକ୍ରାନ୍ତ ହୋଇଛି। ପ୍ରଶାନ୍ତ କହିଛନ୍ତି, ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣ ଜେଲ ଭିତରେ ଜନ୍ମ ନେଇଥିଲେ। ମୁଁ ଜେଲରେ ରହି ନିର୍ବାଚନ ଜିତିଥିବା ବେଳେ ଏବେ ଜେଲ ଭିତରୁ ବିଜୟ ଉତ୍ସବ ଆରମ୍ଭ କରିଛି। ଶ୍ରୀକୃଷ୍ଣ କଂସ ବଧ କରିବା ଭଳି ଓଡ଼ିଶାବାସୀ ସେହି କଂସମାନଙ୍କୁ ଉଚିତ ଜବାବ ଦେଇଛନ୍ତି। ଆଜିଠାରୁ ରାଜ୍ୟ ରାଜନୀତିରେ ନୂତନ ଯୁଗ ଆରମ୍ଭ ହେଲା। ନବୀନ ପଟ୍ଟନାୟକଙ୍କ ଯୁଗ ସରିଲା, ଏଥର ଭାଜପା ସରକାର। ବିଜେଡିର ୨୦ରୁ ୨୫ ବିଧାୟକ ଭାଜପାରେ ସାମିଲ ହେବା ପାଇଁ ଆଗ୍ରହୀ ଅଛନ୍ତି। କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ବିଜେଡିର ବହୁ ନେତା ଆସି ଭେଟିଛନ୍ତି। ବିଜେଡିର ପତନ ଆରମ୍ଭ ହେଲା, ୬ ମାସ ମଧ୍ୟରେ ମାଟିରେ ମିଶିଯିବ ବୋଲି ପ୍ରଶାନ୍ତ କହିଛନ୍ତି।ଖୋର୍ଦ୍ଧା ମାଟିରେ ଲଢ଼େଇ ହେଲା ଏବଂ ପରୀକ୍ଷା ସରିଲା। ଧର୍ମର ଜୟ ହୋଇଛି, ଆଗକୁ ହେବ। ଯେଉଁମାନେ କଂସ, ଯେଉଁମାନେ ଅନ୍ୟାୟ ଓ ବ୍ୟାଭିଚାର କରି ଏକ ଛତ୍ରବାଦ ଶାସନ କରିଥିଲେ, ଓଡ଼ିଶାବାସୀ ସେମାନଙ୍କୁ ଜବାବ ଦେଲେ ବୋଲି ଜଗଦ୍ଦେବ କହିଛନ୍ତି।

By SonaliP

Leave a Reply

Your email address will not be published. Required fields are marked *