ସୀମାନ୍ତ କୋଟିଆ ଅଞ୍ଚଳକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆନ୍ଧ୍ରପ୍ରଦେଶର ବାରମ୍ବାର ଅନୁପ୍ରବେଶ ଏବଂ ସୀମାନ୍ତ ଗାଁଗୁଡ଼ିକରେ କାୟାବିସ୍ତାର ଉଦ୍ୟମକୁ ରୋକିବା ପାଇଁ ରାଜ୍ୟ ସରକାର ସମସ୍ତ ରାଜନୈତିକ ଦଳକୁ ଏକାଠି କରି ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସମସ୍ତ ରାଜନୈତିକ ଦଳର ମତାମତ ନେବା ପାଇଁ ଆସନ୍ତାକାଲି ଏକ ସର୍ବଦଳୀୟ ବୈଠକ ଡକାଯିବା ନେଇ ଚିନ୍ତା କରାଯାଉଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହି ସର୍ବଦଳୀୟ ବୈଠକ ଆୟୋଜନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ ମନ୍ତ୍ରୀ ବିସ୍ତୃତ କଥାବାର୍ତ୍ତା କରିଥିବା ଜଣାପଡ଼ିଛି। ସେ କହିଛନ୍ତି କୋଟିଆ ବିଷୟ କୌଣସି ଗୋଟିଏ ଦଳ କିମ୍ବା ଗୋଟିଏ ସରକାରଙ୍କର ନୁହେଁ, ବରଂ ଏହା ସମ୍ପୂର୍ଣ୍ଣ ଓଡ଼ିଶାର ସ୍ୱାଭିମାନ ଓ ସୀମା ସୁରକ୍ଷାର ପ୍ରଶ୍ନ। ତେଣୁ ରାଜ୍ୟର ପ୍ରତ୍ୟେକ ରାଜନୈତିକ ଦଳର ଦୂରଦୃଷ୍ଟିସମ୍ପନ୍ନ ପରାମର୍ଶ ଓ ଗ୍ରହଣଯୋଗ୍ୟ ପ୍ରସ୍ତାବକୁ ସରକାର ମୁକ୍ତ ମନରେ ସ୍ୱାଗତ କରିବେ। ସମସ୍ତଙ୍କ ସହଯୋଗ ଓ ମିଳିମିଶି ରଣନୀତି ପ୍ରସ୍ତୁତ କରିବା ଦ୍ୱାରା କୋଟିଆ ସମସ୍ୟାର ଏକ ମଜବୁତ୍ ଓ ସ୍ଥାୟୀ ସମାଧାନ ବାହାର କରାଯାଇପାରିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଆନ୍ଧ୍ର ସରକାରଙ୍କ ମନୋମୁଖୀ କାର୍ଯ୍ୟକଳାପ ଓ ନିର୍ବାଚନୀ ପ୍ରକ୍ରିୟାକୁ ରୋକିବା ପାଇଁ ଆଇନଗତ ଏବଂ ପ୍ରଶାସନିକ ସ୍ତରରେ ଓଡ଼ିଶା ନିଜର ପକ୍ଷକୁ ଅଧିକ ଦୃଢ଼ କରିବାକୁ ଯାଉଛି। କାଲିର ଏହି ସର୍ବଦଳୀୟ ବୈଠକ ମାଧ୍ୟମରେ ସମସ୍ତ ଦଳ ଏକଜୁଟ ହୋଇ କୋଟିଆର ସୁରକ୍ଷା ପାଇଁ ଏକ ଦୃଢ଼ ବାର୍ତ୍ତା ଦେବେ ବୋଲି ଆଶା କରାଯାଉଛି। Post navigation PM Modi Odisha Visit: ଆସିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ସୂଚୀ; ଖୋର୍ଦ୍ଧାରେ ଆରବିଆଇ କାର୍ଯ୍ୟକ୍ରମରେ ହେବେ ସାମିଲ