ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ବନ୍ଦ ହେବା ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ । ସେ କହିଛନ୍ତି ସାମ୍ବାଦିକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଦାୟିତ୍ୱବାନ ଅଛନ୍ତି । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସରକାର ଆଲୋଚନା ଓ ପରାମର୍ଶ ପ୍ରକ୍ରିୟା ଜାରି ରଖିବେ। ସାମ୍ବାଦିକମାନେ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଯଦି ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ତାହାର ସମାଧାନ ପାଇଁ ସରକାର ସମସ୍ତ ପଦକ୍ଷେପ ନେବେ।

ସେ ଆହୁରି ମଧ୍ୟ କହିଛନ୍ତି ସାମ୍ବାଦିକମାନେ ଅଲରେଡି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଭୁକ୍ତ ଅଛନ୍ତି। ଯଦି ଏହି ଯୋଜନା ଅଧୀନରେ କୌଣସି ସମସ୍ୟା ଦେଖାଦିଏ, ତେବେ ସରକାର ତାହାର ତଦାରଖ କରିବେ ଏବଂ ତାହାକୁ ସମାଧାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ସହ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ହୋଇଛି ।

ସୂଚନା ଅନୁଯାୟୀ; ୨୦୧୮ ମସିହାରେ ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ ହୋଇଥିଲା । ପୂର୍ବରୁ ଦୁଇ ଲକ୍ଷର ବୀମା ରହିଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ପାଞ୍ଚ ଲକ୍ଷ କରାଯାଇଥିଲା । ବର୍ତ୍ତମାନ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସରକାର ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି ।

ରାଜ୍ୟର ପ୍ରାୟ ୮ ହଜାର ୭୧୭ କାର୍ଯ୍ୟରତ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ଅଛନ୍ତି । ଏ ଯୋଜନାରେ ସାମ୍ବାଦିକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳୁଛି । ଆସନ୍ତା ଅଗଷ୍ଟ ୩୧ ତାରିଖରେ ଯୋଜନାରେ ମିଳିଥିବା ସ୍ୱାସ୍ଥ୍ୟବୀମା ଅବଧି ସରିଯାଉଛି । ଏହାର ନବୀକରଣ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ସତ, କିନ୍ତୁ ଆବେଦନ ପ୍ରକ୍ରିୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *