ବିଶ୍ୱ ଦରବାରରେ ଚମକିବ ମହାପ୍ରଭୁଙ୍କ ରଥଯାତ୍ରା । ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ରଥଯାତ୍ରାକୁ ୟୁନେସ୍କୋ (UNESCO)ର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ (Intangible Cultural Heritage of Humanity) ତାଲିକାରେ ସାମିଲ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୟୁନେସ୍କୋ ତାଲିକାରେ ସାମିଲ୍ ହେଲେ ବିଶ୍ବ ସ୍ତରରେ ଏହାର ଗୁରୁତର ବଢ଼ିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଏହି ନାମାଙ୍କନ ପାଇଁ ପ୍ରସ୍ତାବ ଦିଆଯାଇଛି ଏବଂ ଏଥିପାଇଁ ଆବଶ୍ୟକ ସମସ୍ତ ସହଯୋଗୀ ଦସ୍ତାବିଜ୍ ପଠାଯାଇସାରିଛି।

ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଏହା ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା, ସମାବେଶିତା, ଆଧ୍ୟାତ୍ମିକତା, ଶିଳ୍ପକଳା, ସଙ୍ଗୀତ, ନୃତ୍ୟ ଏବଂ ଜନଭାଗିଦାରୀକୁ ପ୍ରତିଫଳିତ କରୁଥିବା ଏକ କାଳଜୟୀ ସଭ୍ୟତାର ପରମ୍ପରା। ଶତାବ୍ଦୀ ଶତାବ୍ଦୀ ଧରି ପାଳିତ ହୋଇଆସୁଥିବା ଏହି ପର୍ବ ସାରା ବିଶ୍ୱର ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।ଏଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave a Reply

Your email address will not be published. Required fields are marked *