ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ, ସୁଭଦ୍ରା ଶକ୍ତି ସମ୍ୱାଦ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର ଏବଂ ବ୍ଲକ ସଂଯୋଜକମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଫୋନ୍ ବଣ୍ଟନ କରିଛନ୍ତି । ଏହି ସ୍ମାର୍ଟ ଫୋନ୍ ମାଧ୍ୟମରେ ତଥ୍ୟ ସଂଗ୍ରହ ଓ କାର୍ଯ୍ୟ ତଦାରଖ ଆହୁରି ସହଜ ହେବ । ରାଜ୍ୟର ୭୨,୨୨୪ ଅଙ୍ଗନବାଡ଼ୀ କର୍ମୀ, ୨୮୦୨ ଲେଡି ସୁପରଭାଇଜର ଓ ୩୩୮ ବ୍ଲକ୍ ସଂଯୋଜକଙ୍କୁ ଏହି ଫୋନ ପ୍ରଦାନ କରାଯିବ । ଏଥିସହିତ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଶକ୍ତି ସମ୍ୱାଦ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ସହ ଭୁବନେଶ୍ୱର ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଥିବା ସମସ୍ତ ହିତାଧିକାରୀ ସେମାନଙ୍କ ନିୟମିତ ନିଶୁଳ୍କ ଚାଉଳ ସହିତ ପ୍ରତି ବ୍ୟକ୍ତିଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଏହି ଯୋଜନାରେ ନିଶୁଳ୍କ ଆକାରରେ ମିଳିବ । ସୂଚନାଯୋଗ୍ୟ ଯେ, ରାଜ୍ୟର ହିତାଧିକାରୀମାନେ ବର୍ତ୍ତମାନ ୫ କିଲୋଗ୍ରାମ ଚାଉଳ ବିନା ମୂଲ୍ୟରେ ପାଉଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନ ପ୍ରତ୍ୟେକ ହିତାଧିକାରୀ ୧୦ କିଲୋ ଲେଖାଏଁ ଚାଉଳ ବିନା ମୂଲ୍ୟରେ ପାଇବେ । ରାଜ୍ୟର ସମୁଦାୟ ୧ କୋଟି ୯୬ ହଜାର ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ସଦସ୍ୟ ଅର୍ଥାତ୍ ସମୁଦାୟ ଜନସଂଖ୍ୟାର ୮୦ ପ୍ରତିଶତ ଉପକୃତ ହେବେ । ଏହି ଯୋଜନାରେ ରାଜ୍ୟ ସରକାର ବାର୍ଷିକ ୮,୮୧୩ କୋଟି ଟଙ୍କା ଖର୍ଚ୍ଚ କରିବେ । ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗରିବଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏହି ବ୍ୟୟ ଆମ ପାଇଁ ଖର୍ଚ୍ଚ ନୁହେଁ, ଏହା ଏକ ପବିତ୍ର ସାମାଜିକ ନିବେଶ । ଭୁବନେଶ୍ୱରର ଭିଡ଼ ନିୟନ୍ତ୍ରଣ ଓ ଗମନାଗମନର ବିକାଶ ପାଇଁ ୧୦୮.୨୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଥ୍ମାଟିକ୍ସରୁ ଇନ୍ଫୋସିଟି ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ୧୩ କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ୬ ଲେନ୍ ରାସ୍ତାର ଉଦ୍ଘାଟନ କରିଛନ୍ତି । ଏଥି ସହିତ ୯୪୯ କୋଟିରୁ ଅଧିକ ଟଙ୍କା ଅଟକଳରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଉନ୍ନତିକରଣ ଓ ଫ୍ଲାଇଓଭର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି । ଏହି ରାସ୍ତା ୮ ଲେନ୍ ବିଶିଷ୍ଟ କରାଯିବ । Post navigation Odisha CM launches Mukhyamantri Annapurna Yojana: ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା