ଶାସନର ୨ ବର୍ଷ ପୂର୍ତ୍ତି ଅବସରରେ, ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା NFSA ଓ SFSS ଯୋଜନାର ସମସ୍ତ ହିତାଧିକାରୀଙ୍କୁ ମାସକୁ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ବିନାମୂଲ୍ୟରେ ମିଳିବ । ଏଣିକି ଜଣେ ହିତାଧିକାରୀଙ୍କୁ ମାଗଣାରେ ୧୦ କିଲୋଗ୍ରାମ ଚାଉଳ ମିଳିବ । ଏହାଦ୍ୱାରା ରାଜ୍ୟର ୩ କୋଟି ୨୮ ଲକ୍ଷ ୫୨ ହଜାର ହିତାଧିକାରୀ ଉପକୃତ ହେବେ । ସମୁଦାୟ ଜନସଂଖ୍ୟାର ପ୍ରାୟ ୮୦ ପ୍ରତିଶତ ଯୋଜନାର ସୁଫଳ ପାଇବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୮ ହଜାର ୮୧୩ କୋଟି ଟଙ୍କା ଖର୍ଚ୍ଚ କରିବେ । ସେହିପରି ପ୍ରଥମ ପର୍ଯ୍ୟାୟରେ ସ୍ଥାପିତ ହେବାକୁ ଥିବା ୨୨ ଶହ ବିଦ୍ୟାଳୟରୁ ବର୍ତ୍ତମାନ ସୁଦ୍ଧା ୩୨୨ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରାଯାଇଛି । ଏଥି ସହିତ ଗତ ଦୁଇ ବର୍ଷ ମଧ୍ୟରେ ୨୬ ହଜାର ୬୧୫ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ୩ ବର୍ଷରେ ଆମେ ୪୫ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଚଳିତ ବଜେଟରେ ଓଡ଼ିଶାରେ ୪ ଟି ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି । ଆଗାମୀ ଦିନରେ ଓଡିଶାକୁ ପୂର୍ବ ଭାରତର ଉଚ୍ଚ ଶିକ୍ଷା ରାଜଧାନୀ ଭାବେ ନିର୍ମାଣ କରାଯିବ । ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି ଯାହା ଫଳରେ ରାଜ୍ୟର ୩ କୋଟି ୪୬ ଲକ୍ଷ ହିତାଧିକାରୀ ଦେଶର ୩୨ ହଜାର ପ୍ରତିଷ୍ଠିତ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ପାଉଛନ୍ତି । ଇତି ମଧ୍ୟରେ ନୂତନ ମହାରାଜା ଯଯାତୀ କେଶରୀ ମେଡିକାଲ କଲେଜ, ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ, ଏବଂ କନ୍ଧମାଳ ସରକାରୀ ମେଡିକାଲ କଲେଜରେ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହୋଇଛି । ସେହିପରି ନବରଙ୍ଗପୁର ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ଖୁବ୍ ଶୀଘ୍ର ଜଗତସିଂହପୁର, ଢେଙ୍କାନାଳ ଓ ଭଦ୍ରକରେ ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ । ଆୟୁଷ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇ ରାଇରଙ୍ଗପୁରରେ ନୂତନ ଆୟୁର୍ବେଦ ମେଡିକାଲ କଲେଜ ଏବଂ ହସ୍ପିଟାଲ ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ରାଷ୍ଟ୍ରପତିଙ୍କ କରକମଳରେ ହୋଇଛି । ରାଜ୍ୟରେ ୩ଟି ନୂତନ ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜ ଖୋଲାଯିବ ଓ ୨ଟି ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । ସ୍ୱାସ୍ଥ୍ୟ ସେବାକୁ ଅବାଧ କରିବା ପାଇଁ ସରକାର ବିଭିନ୍ନ ସମୟରେ ଏବଂ ବର୍ଗରେ ନୂତନ ନିଯୁକ୍ତି ଦେଇଛନ୍ତି । ଗତ ଦୁଇ ବର୍ଷରେ ୫ ହଜାର ୧୯୭ ମେଡିକାଲ ଅଫିସର ଏବଂ ପାରାମେଡିକ୍ସ ନିଯୁକ୍ତ ଦିଆଯାଇଛି । ଚଳିତ ବଜେଟରେ ୭୨ ହଜାର ୧୦୦ କୋଟି ଟଙ୍କାର ପୁଞ୍ଜିଖର୍ଚ୍ଚ ପ୍ରାବଧାନ କରାଯାଇଛି ଯାହା ରାଜ୍ୟ GDPର ୬.୫ ପ୍ରତିଶତ। ଏହି ଅନୁପାତ ସାରା ଦେଶରେ ସବୁ ରାଜ୍ୟଠାରୁ ଅଧିକ । ରାଜ୍ୟ ସରକାର ମଧ୍ୟ ଏହି ୨ ବର୍ଷରେ ଅନେକ ଭିତ୍ତିଭୂମି ପ୍ରକଳ୍ପ ହାତକୁ ନେଇଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟରେ ପ୍ରାୟ ୯ ହଜାର କିଲୋମିଟର ରାସ୍ତା, ୫୭ଟି ସେତୁ ଓ ୪ଟି ରେଳ ଓଭର ବ୍ରିଜ ପାଇଁ ପ୍ରାୟ ୧୭ ହଜାର କୋଟି ଟଙ୍କା ବିନିଯୋଗ କରାଯାଇଛି । ଭୁବନେଶ୍ବରରେ ଯାତାୟତ ଭିଡ ହ୍ରାସ କରିବା ପାଇଁ ୩୬ଟି ରାସ୍ତାର ମାଷ୍ଟର ପ୍ଲାନ ଅନୁମୋଦିତ ହୋଇଛି। ଏଥି ମଧ୍ୟରୁ ପ୍ରାୟ ୨୭ କିଲୋମିଟର ଦୀର୍ଘ ୮ଟି ସଡକ ପ୍ରକଳ୍ପ ପାଇଁ ପ୍ରାୟ ୧ ହଜାର ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଆଜି ଏଥି ମଧ୍ୟରୁ ଗୋଟିଏ ରାସ୍ତାର ଶୁଭ ଉଦ୍ଘାଟନ ହେବ । ଏହା ସହିତ ଯାତାୟତ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ଯୋଜନା କରାଯାଇଛି। ମାଲକାନଗିରିର ମୋଟୁ ଠାରୁ ମୟୂରଭଞ୍ଜର ତିରିଙ୍ଗ ପର୍ଯ୍ୟନ୍ତ ଅଟଳ ଏକ୍ସପ୍ରେସ-ୱେ, ପାରଳାଖେମୁଣ୍ଡିରୁ ଅମ୍ବାଭୋନା ପର୍ଯ୍ୟନ୍ତ ନମୋ ଏକ୍ସପ୍ରେସ-ୱେ, ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ୍-ୱେ, ଭୁବନେଶ୍ବର ରାଇଟ୍ ଆକ୍ସେସ୍ ରୋଡ୍ ନେଟୱାର୍କ, ଭୁବନେଶ୍ବର ଜୟଦେବ ବିହାର-ନନ୍ଦନ କାନନ ରୋଡ୍ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଛି କିମ୍ବା ଖୁବଶୀଘ୍ର ହେବ। ଗତ ବର୍ଷ ଜାନୁୟାରୀରେ ଅନୁଷ୍ଠିତ ହୋଇଥିବା ଉତ୍କର୍ଷ ଓଡିଶା ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ନିବେଶ ସମ୍ମିଳନୀ ଓ ରୋଡ୍ ସୋ ଆୟୋଜନ କରି ଆମେ ମୋଟ ୨୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇପାରିଛୁ। ଏହିସବୁ ନିବେଶ ଦ୍ୱାରା ପ୍ରାୟ ୧୭ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଏହି ୨ ବର୍ଷରେ ଆମ ସରକାର ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଜରିଆରେ ୮ ଲକ୍ଷ ୬୯ ହଜାର କୋଟି ଟଙ୍କାର ୪୩୩ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଯାହାଦ୍ବାରା ୫ ଲକ୍ଷ ୨୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏହି ସମୟ ମଧ୍ୟରେ ଆମେ ୨ ଲକ୍ଷ ୧୮ ହଜାର କୋଟି ଟଙ୍କାର ୧୧୪ଟି ପ୍ରକଳ୍ପର ଶିଳାନ୍ୟାସ କରିଛୁ। ଏହା ସହିତ ପ୍ରାୟ ୬୭ ହଜାର କୋଟି ଟଙ୍କାର ୩୪ଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଛି। ସମୁଦାୟ ୨ ଲକ୍ଷ ୮୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି। ଯାହାଦ୍ବାରା ପ୍ରାୟ ୨ ଲକ୍ଷ ୪୦ ହଜାର ନିଯୁକ୍ତି ସୃଷ୍ଟି ହୋଇଛି। ଆମ ଶିଳ୍ପାୟନର ନୀତି ହେଉଛି ରାଜ୍ୟର ସବୁ ଜିଲ୍ଲା ହେବ ଶିଳ୍ପାୟନ। ଆମର ଏହି ପଦକ୍ଷେପ ବିକାଶକୁ ସମାବେଶୀ କରିବାରେ ସହାୟକ ହେବ। ମହିଳା ବିରୋଧୀ ଅପରାଧ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଆଇନଗତ ପଦକ୍ଷେପ ନିଆଯାଇ ଦଣ୍ଡହାର ଅହେତୁକ ଭାବେ ବୃଦ୍ଧି ପାଇଛି । ୨୦୨୩ ରେ ମହିଳା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୬.୭ ପ୍ରତିଶତ ଥିବା ବେଳେ, ୨୦୨୫ ଜୁନ ସୁଦ୍ଧା ଏହା ୬୨ ପ୍ରତିଶତକୁ ବୃଦ୍ଧି ପାଇଛି। ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରେ ଓଡ଼ିଶାର ସାମଗ୍ରୀକ ଦୋଷୀ ସାବ୍ୟସ୍ତ ହାର ୮୭.୬ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ପୂର୍ବରୁ ପ୍ରାୟ ୧୧ ପ୍ରତିଶତ ଥିଲା। ଯଦି ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ଆଇନ ଶୃଙ୍ଖଳାରେ ମାନକ ନୁହେଁ, ତ ଆଉ କେଉଁ ମାନକକୁ ଧରାଯିବ, ଯଦି ବିରୋଧୀଦଳ ନେତା କହିବେ, ତେବେ ଆମେ ତା ଉପରେ କାର୍ଯ୍ୟ କରିବୁ। ରାଜ୍ୟରେ ଆଇନ ଶୃଙ୍ଖଳାକୁ ଗୁରୁତ୍ଵ ଦେଇ ପୋଲିସ ବିଭାଗକୁ ଅଧିକ ସଶକ୍ତ କରୁଛୁ। ଆମେ ଏଥି ପାଇଁ ୨୧ ହଜାର ୧୮୬ଟି ନୂତନ ପଦବୀ ସୃଷ୍ଟି କରିବା ସହିତ ଅନ୍ୟ ଆନୁଷଙ୍ଗିକ ସମ୍ବଳ ମଧ୍ୟ ପ୍ରଦାନ କରାଯାଉଛି। Post navigation 2 years of BJP Govt in Odisha: ଶସ୍ତା ଏବଂ ନକରାତ୍ମକ କଣ୍ଟେଣ୍ଟରୁ ଦୂରେଇ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ