ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କୃଷି ଓ କୃଷକ ସମସ୍ୟା ନେଇ ପ୍ରେସମିଟରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ନେଇ ବିଜେପି ସଭାପତି ମନମୋହନ ସାମଲ କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି ବିଜେଡ଼ି ସରକାର ସଙ୍କଟ ଦେଇ ଗତି କରୁଛି। ଦଳରେ ନେତୃତ୍ୱ ଅଭାବ ରହିଛି। କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ସବୁ ଆଡୁ ବିଫଳ । ନିର୍ବାଚନ ଇସ୍ତାହାର କରି କେବଳ ପ୍ରଚାର କରୁଛି ବିଜେଡି । ଜଳସେଚନ ପାଇଁ କୌଣସି ସୁବିଧା କରିନାହାନ୍ତି ରାଜ୍ୟ ସରକାର । ରାଜ୍ୟରେ କୃଷିଭିତ୍ତିକ ଶିଳ୍ପ ବନ୍ଦ ହେଲା, ଶୀତଳ ଭଣ୍ଡାର ନାହିଁ । ମହାନଦୀରେ ୭ଟି ବ୍ୟାରେଜ କରିବେ କହିଥିଲେ, ତାହା ବି କଲେନି ।

ସେ ଆଉ ମଧ୍ୟ କହିଛନ୍ତି ଆଳୁ, ପିଆଜ ମିଶନରେ ସରକାର ୨୫୦ କୋଟି ବରବାଦ କଲେ ବୋଲି ସେ କହିଛନ୍ତି । ଧାନ କିଣାରେ ହେରଫେର, କୃଷି ଯନ୍ତ୍ରାଂଶ ବିକ୍ରିରେ ବି ଅନିୟମିତତା । ରାଜ୍ୟରେ ଥିବା ସୂତା କଳ, ଚିନି କଳ କାର୍ଯ୍ୟକ୍ଷମ ନହୋଇ ବନ୍ଦ ହେଲା । ୩ ଥର ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି ଜଳସେଚନ ନେଇ ବଡ ବଡ଼ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସେ କହିଛନ୍ତି । ୨୦୧୪ରେ ୧୦ ଲକ୍ଷ ହେକ୍ଟର ଜଳସେଚନ ହେବ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା । ସେହିପରି ୨୦୧୯ରେ ୩୫ ପ୍ରତିଶତ ଜମିରେ ଜଳ ସେଚନ ହେବ ବୋଲି କୁହାଯାଇଥିଲା । ମାତ୍ର ମହାନଦୀରେ ବ୍ୟାରେଜ ହୋଇପାରିଲା ନାହିଁ। ବିଧାନସଭାରେ ମନ୍ତ୍ରୀ କହିଥିଲେ, ବ୍ୟାରେଜ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ ।

୨୦୨୯ ସୁଦ୍ଧା ୧୦୦ ପ୍ରତିଶତ ଜମି ଜଳସେଚିତ ହେବ । ମହାନଦୀରେ ବ୍ୟାରେଜ ଏବଂ ଚେକ୍ ଡ୍ୟାମ ତିଆରି ହେବ । ପ୍ରତି ବ୍ଲକରେ ଅତିକମରେ ଗୋଟିଏ ଶୀତଳ ଭଣ୍ଡାର ହେବ । କୃଷି ଭିତ୍ତିକ ଶିଳ୍ପ ପ୍ରତି ବ୍ଲକରେ ହେବ । ପିଏମ କିଷାନ ଯୋଜନାରେ ସବୁ ଚାଷୀଙ୍କୁ ସାମିଲ କରାଯିବ । ଫସଲ ବୀମା ୧୦୦ ପ୍ରତିଶତ ହେବ । ପ୍ରତି ବ୍ଲକରେ କୃଷି ସମୃଦ୍ଧି କେନ୍ଦ୍ର ଖୋଲାଯିବ ବୋଲି ସେ କହିଛନ୍ତି।

ଓଡ଼ିଶାର ଚାଷୀ ୫ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ରାଜ୍ୟର ମାତ୍ର ୧୭ ଭାଗ ଜମିରେ ଜଳସେଚନ ହୋଇଛି । ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଲେ ଧାନ କିଣାରେ ସ୍ୱଚ୍ଛତା ରହିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ହେବ । ଚାଷୀର ରୋଜଗାର ୩ ଗୁଣା ହେବ । ଡିବିଟି ମାଧ୍ୟମରେ ୪୮ ଘଣ୍ଟାରେ ଚାଷୀଙ୍କୁ ପଇସା ଦିଆଯିବ ବୋଲି ମନମୋହନ ସାମଲ କହିଛନ୍ତି ।

Leave a Reply

Your email address will not be published. Required fields are marked *