ଆସନ୍ତାକାଲିଠାରୁ ପୁଣି ରତ୍ନସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେବେ ଠାକୁର। ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ଶେଷ ହେବା ସହିତ ସରିଲା ମହାପ୍ରଭୁଙ୍କ ୧୨ ଦିନିଆ ଜନ୍ମବେଦୀ ଲୀଳା । ଆଜି ଚତୁର୍ଦ୍ଧାବିଗ୍ରହଙ୍କ ନୀଳାଦ୍ରି ବିଜେ । ରଥ ଉପରେ ଥିବା ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରାଇବେ ସେବାୟତମାନେ । ନୀଳାଦ୍ରି ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

ଠାକୁରଙ୍କ ମାନବୀୟ ଲୀଳାର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି ସମ୍ପନ୍ନ ହେବ । ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ, ବଡ଼ ଭାଇ ବଳଭଦ୍ର ଓ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକ ଚାଲିଯାଇଥିଲେ । ଯେଉଁଥିପାଇଁ ଅଭିମାନରେ ଥାନ୍ତି ମା’ଲକ୍ଷ୍ମୀ।ଶ୍ରୀମନ୍ଦିର ଭିତରକୁ ଯିବାକୁ ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ବାରଣ ନାହିଁ । କିନ୍ତୁ ଜଗନ୍ନାଥ ବଡ଼ଦେଉଳକୁ ଫେରୁଥିବା ଜାଣି ମା’ ଲକ୍ଷ୍ମୀ ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରି ଦେଇଥାନ୍ତି। ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିଲା ପରେ ମନ୍ଦିର ପ୍ରବେଶକୁ ମିଳିବ ଅନୁମତି।

ନୀଳାଦ୍ରି ବିଜେ ଦିନ ରଥ ଉପରେ ଠାକୁରମାନଙ୍କ ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧାଯିବା। ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ବେଳେ ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ହେବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *