ବିଶିଷ୍ଟ ନ୍ୟୁରୋସର୍ଜନ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି। ଗତକାଲି ଦିଲ୍ଲୀ ଏମ୍‌ଏମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସତ୍ୟାଗ କରିଛନ୍ତି।

ଆଜି ହିଁ ତାଙ୍କର ମରଶରୀର ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ବା ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯିବା ପରେ ପୁରୀରେ ତାଙ୍କର ଶେଷକୃତୀ ସମ୍ପନ୍ନ କରାଯିବ। ତାଙ୍କର ପାର୍ଥିବ ଶରୀରକୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯିବ।

ସୂଚନା ଅନୁଯାୟୀ; ୧୯୫୨ ମସିହାରେ ପୁରୀରେ ଜନ୍ମଗ୍ରହଣ କରିଥିବା ଡାକ୍ତର ମହାପାତ୍ର ୧୯୭୦ ମସିହାରେ ଏମ୍କେସିଜି ମେଡିକାଲ୍ କଲେଜରୁ ଏମବିବିଏସ ଡିଗ୍ରୀ ହାସଲ କରିବା ପରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଏମ୍ସକୁ ଯାଇଥିଲେ। ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ରାଜ୍ୟରେ ଉନ୍ନତ ଚିକିତ୍ସା ଓଡ଼ିଶାବାସୀଙ୍କ ପାଇଁ ସୁଲଭ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଡାକ୍ତର ମହାପାତ୍ର ସମଗ୍ର ଦେଶରେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ୨୦୧୭ ମସିହାରେ ଓଡ଼ିଶାର ମୁଣ୍ଡ ଲାଗିରହିଥିବା ଯାଆଁଳା ଭାଇ ଜଗା ଓ ବଳିଆଙ୍କୁ ଅଲଗା କରିବା ପାଇଁ ହୋଇଥିବା ଐତିହାସିକ ଜଟିଳ ଅସ୍ତ୍ରୋପଚାରର ସଫଳ ନେତୃତ୍ୱ ନେଇଥିଲେ। ଏହାଛାଡ଼ି, ସେ ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରି ଏହି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଗଠନରେ ଅୂତଳନୀୟ ଅବଦାନ ରଖିଥିଲେ। ନ୍ୟୁରୋସର୍ଜରୀ ଏବଂ ମେଡିକାଲ ଶିକ୍ଷା କ୍ଷେତ୍ରରେ ତାଙ୍କର ଏହି ମହାନ ଅବଦାନକୁ ସମ୍ମାନ ଜଣାଇ ଭାରତ ସରକାର ୨୦୨୪ ମସିହାରେ ତାଙ୍କୁ ପ୍ରତିଷ୍ଠିତ ‘ପଦ୍ମଶ୍ରୀ’ ସମ୍ମାନରେ ଭୂଷିତ କରିଥିଲେ।

Leave a Reply

Your email address will not be published. Required fields are marked *