ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ବିଜୁ ଯୁବ ଜନତା ଦଳ ର ଏକ ସମାବେଶ ରେ ଯୋଗ ଦେଇ ବିଜେଡିର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିଜୁ ଯୁବ ଜନତା ଦଳର ସମସ୍ତ ସଦସ୍ୟଙ୍କ ପରିଶ୍ରମ ଯୋଗୁଁ ବିଜେଡି ଦଳ ଆଜି ଏକ ସାମାଜିକ ବିପ୍ଲବରେ ପରିଣତ ହୋଇଛି । ବିଜେଡିର ଆଦର୍ଶ ହେଉଛି ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତା। ଯୁବକ ହେଉଛି ବିଜେଡିର ଶକ୍ତି । ରାଜନୀତି କେବଳ ଶକ୍ତି ପ୍ରଦର୍ଶନ କରିବାକୁ ନୁହେଁ ଏହା ଲୋକଙ୍କ ସେବା କରିବା, ଆମ ମାତୃଭୂମିର ସେବା କରିବା ଏବଂ ମାନବିକତାର ସେବା କରିବା ପାଇଁ ରାଜନୀତିକୁ ଏକ ମାଧ୍ୟମ ଭାବିବା ଉଚିତ୍ ।

ନବୀନ ପଟ୍ଟନାୟକ କହିଛନ୍ତି  ଗତ ନିର୍ବାଚନ ରେ ବିଜେଡି ସର୍ବାଧିକ ୪୧.୨ ପ୍ରତିଶତ ଭୋଟ ପାଇଥିଲା। ସଂପୂର୍ଣ୍ଣ ସଂଖ୍ୟକ ଭୋଟ୍ ଦୃଷ୍ଟିରୁ ବିଜେଡି ଅନ୍ୟମାନଙ୍କଠାରୁ ଆଗରେ ରହିଛି । ଓଡିଶାବାସୀଙ୍କ ସ୍ନେହ ଏବଂ ଭଲପାଇବା ଆମର ସବୁଠାରୁ ବଡ ଶକ୍ତି  । ବିଜୁବାବୁଙ୍କର ଯୁବ ଶକ୍ତି ଉପରେ ବହୁତ ଭରସା ଥିଲା ଏବଂ ମୋର ମଧ୍ୟ ଏବେବି ଯୁବ ବନ୍ଧୁ ମାନଙ୍କ ଦକ୍ଷତା ଉପରେ ପୁରା ବିଶ୍ୱାସ ଅଛି । ଆମର ଯୁବ ସାଙ୍ଗଠନିକ କାର୍ଯ୍ୟକମ୍ରକୁ ଆହୁରି ଦୃଢ଼ ଓ ଶକ୍ତିଶାଳୀ କରିବାକୁ ହେବ। ରାଜ୍ୟରେ ବିଜେଡି ସରକାର ଥିବା ବେଳେ ଆମେ ଅଧିକ ଯୁବ ସଶକ୍ତି କରଣ ଉପରେ ବିଶେଷ ଧ୍ୟାନ ଦେଉଥିଲୁ । ଶିକ୍ଷିତ ସମାଜ ଗଠନ କରି ଯୁବକଙ୍କୁ ବିଶ୍ବରେ ପରିଚିତ କରାଇବା ଆମ ଲକ୍ଷ୍ୟ ରହିଛି । ସେହିଭଳି ଆଜି କ୍ରିଡା କ୍ଷେତ୍ରରେ ଓଡ଼ିଶା ଆନ୍ତର୍ଜାତୀୟ ସ୍ତରରେ ନାମ ଅର୍ଜନ କରିପାରିଛି। ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଯୁବକ ମାନେ ଆଜି ସୁନାମ ଅର୍ଜନ କରୁଛନ୍ତି । ଏ ଧାରାକୁ ଜାରି ରଖାଯିବା ଦରକାର।

ସାମ୍ପ୍ରତିକ ଘଟଣା ଉପରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କିଛି ଲୋକ ସେମାନଙ୍କ ଚିନ୍ତାଧାରା କୁ ସମସ୍ତଙ୍କ ଉପରେ ଲଦି ଦେବାକୁ ଚାହୁଁଛନ୍ତି । କିନ୍ତୁ  ଏକ ଗଣତାନ୍ତ୍ରିକ ସମାଜ ରେ ଏହା ଗ୍ରହଣୀୟ ନୁହେଁ। ଏପରିକି କିଛି ଲୋକ ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଆମ ବରପୁତ୍ର ମାନଂକୁ ନିନ୍ଦା କରିବାକୁ ମଧ୍ୟ୍ୟ ପଛଉନାହାନ୍ତି। ଏହା କଣ ଓଡ଼ିଆ ଅସ୍ମିତା? ଏହା କଣ ଆମ ବରପୁତ୍ର ମାନଙ୍କ ତ୍ୟାଗ ପାଇଁ ସମ୍ମାନ ? ଏଭଳି କାର୍ଯ୍ୟ ଆମ ଭବିଷ୍ୟତ ପିଢ଼ିଙ୍କୁ କିପରି ପ୍ରେରଣା ଦେବ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି ନବୀନ।

ଅନ୍ୟପଟେ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ବଡ ପାଟିରେ ମିଛ କହିଲେ ତାହା କେବେ ସତ ହୋଇଯାଏ ନାହିଁ। ମିଛ କହି ହୃଦୟ ଜିତିବା ସହଜ ହୋଇପାରେ କିନ୍ତୁ ଲୋକଙ୍କ ହୃଦୟ ଜିତିବା ସହଜ ନୁହେଁ। ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ମାଗଣା ବିଜୁଳି ଓ ପେନସନ ସବୁ କଥା ରେ ବିଜେପିର ମିଛ ପ୍ରତିଶ୍ରୁତି ଦେବା ସହ ଦୁଇ ପ୍ରକାର କଥା କହୁଛି ।ତିନି ମାସ ହୋଇଗଲା ଏବେ ଆଈ ମା ଗପ ଛାଡି କାମ କରି ଦେଖନ୍ତୁ।

ଏକ ବିକଶିତ ଓ ସଶକ୍ତ ଓଡିଶା ର ସ୍ବପ୍ନ ଦେଖିଥିବା ବିଜୁ ବାବୁଙ୍କ ଆଦର୍ଶରେ ବିଜୁ ଜନତା ଦଳ କାମ କରୁଛି। ଯେ ପର୍ଯ୍ୟନ୍ତ ଆମେ ଏହି ଆଦର୍ଶ ରେ କାମ କରୁଥିବା ସେ ପର୍ଯ୍ୟନ୍ତ ଲୋକଙ୍କ ହୃଦୟ ରେ ବିଜେଡି ରହିଥିବ। ବିଜେଡି କିଛି ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ। ଏକ ଆଦର୍ଶ ଉପରେ ପ୍ରତିଷ୍ଠିତ। କିଛି ବ୍ୟକ୍ତି ଦଳ ଛାଡ଼ିବା ଉପରେ ଟିପଣୀ ଦେଇ ଶ୍ରୀ ପଟନାୟକ କହିଲେ ସୁବିଧାବାଦୀଙ୍କ ଦଳ ତ୍ୟାଗ ଆମ ଆଦର୍ଶ ପାଇଁ ସଂଗ୍ରାମ କୁ ଲହୁ ଲୁହ ଦେଇ ଆହୁରି ଶକ୍ତିଶାଳୀ କରିବ।

ବିଜୁ ବାବୁଙ୍କ ଆଦର୍ଶ ରେ ଅଟଳ ରହି ସମୃଦ୍ଧ ଓଡିଶା ପାଇଁ କାମ କରିବାକୁ ଶ୍ରୀ ପଟ୍ଟନାୟକ ଯୁବସମାଜ କୁ ଆହ୍ୱାନ ଜଣାଇଥିଲେ।ଏହାସହିତ ସାମାଜିକ ଗଣମାଧ୍ୟ୍ୟମ ରେ ସକ୍ରିୟ ରହି ମିଛ ପ୍ରଚାର ବିରୋଧରେ ଲଢେଇ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *