ଭାରତୀୟ ହକି ଦଳର ଜର୍ସି ରଙ୍ଗ ବଦଳିବାକୁ ନେଇ ଏବେ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଭାରତୀୟ ହକି ଦଳର ପାରମ୍ପରିକ ନୀଳ ଜର୍ସି ବଦଳରେ ଗେରୁଆ (ସାଫ୍ରନ୍) ରଙ୍ଗ କରାଯିବାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ବିଜେପି ସରକାରଙ୍କ ସଂକୀର୍ଣ୍ଣ ରାଜନୀତି ବୋଲି ଆକ୍ଷେପ କରିଛନ୍ତି ।

ସେ କହିଛନ୍ତି ହକି ଦଳର ନୀଳ ରଙ୍ଗ କେବଳ ଏକ ରଙ୍ଗ ନୁହେଁ, ବରଂ ଏହା ଦେଶର କ୍ରୀଡ଼ା ଐତିହ୍ୟ ସହ ଜଡ଼ିତ ଏକ ଆବେଗ । ଜାତୀୟ ପତାକାରେ ଥିବା ଅଶୋକ ଚକ୍ରରୁ ଏହି ନୀଳ ରଙ୍ଗ ଆସିଛି, ଯାହା ପ୍ରତ୍ୟେକ ଭାରତୀୟଙ୍କ ଗର୍ବ ଓ ପରିଚୟର ପ୍ରତୀକ ।

ଆର୍ଜେଣ୍ଟିନା ପାଇଁ ଯେଭଳି ସେମାନଙ୍କର ଆଇକନିକ୍ ଷ୍ଟ୍ରାଇପ୍ସ ଏବଂ ବ୍ରାଜିଲ୍ ପାଇଁ ହଳଦିଆ ଜର୍ସି, ଆମ ପାଇଁ ଆମ ନୀଳ ଜର୍ସି ଠିକ୍ ସେଇଆ । ଏହି ରଙ୍ଗକୁ ବଦଳାଇବା ଆମର ଅମୂଲ୍ୟ କ୍ରୀଡ଼ା ସ୍ମୃତିକୁ ପୋଛିଦେବା ପାଇଁ ଏକ ଅସଫଳ ପ୍ରୟାସ । ଜାତୀୟ ପ୍ରତୀକ ସବୁବେଳେ ଯୋଡ଼ିବା ପାଇଁ ଥାଏ, ଭାଗ ଭାଗ କରିବା ପାଇଁ ନୁହେଁ ।

ଯେତେବେଳେ ଜାତୀୟ ହକି ଦଳ ସ୍ପନ୍ସରସିପ୍ ପାଇଁ ସଂଘର୍ଷ କରୁଥିଲା, ସେତେବେଳେ ଓଡ଼ିଶା ପ୍ରଥମ ଏବଂ ଏକମାତ୍ର ରାଜ୍ୟ ଭାବେ ଆଗକୁ ଆସି ଟିମକୁ ସହଯୋଗ କରି ଇତିହାସ ରଚିଥିଲା । ଏଥିପାଇଁ ସାରା ବିଶ୍ୱରେ ଥିବା ପ୍ରତ୍ୟେକ ଓଡ଼ିଆ ଗର୍ବିତ ଥିଲେ । ଓଡ଼ିଶାର ସହଯୋଗ ଯୋଗୁଁ ଦୀର୍ଘ ୪୧ ବର୍ଷ ପରେ ପୁରୁଷ ହକି ଦଳ ଅଲିମ୍ପିକ୍ସ ପଦକ ଜିତିବାରେ ସଫଳ ହୋଇଥିଲା । କିନ୍ତୁ ଓଡ଼ିଶାରେ ସରକାର ବଦଳିଯିବା ମାତ୍ରେ ଜାତୀୟ ଦଳର ରଙ୍ଗ ବଦଳାଇ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ନିମ୍ନସ୍ତରର ରାଜନୀତି ଅଟେ ।

ନବୀନ ପଟ୍ଟନାୟକ ଓଡ଼ିଶାର ବର୍ତ୍ତମାନର ବିଜେପି ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ଚାପରେ ଆସି ହିଁ ଏହି ପଦକ୍ଷେପ ନିଆଯାଇଛି । ଗତ କିଛି ସମୟ ହେବ ଓଡ଼ିଶାରେ କେବଳ ସରକାରୀ କୋଠାବାଡ଼ି, ବସ୍ ଏବଂ ବ୍ରିଜ୍ ଗୁଡ଼ିକର ରଙ୍ଗ ବଦଳାଇବା କାମ ଚାଲିଛି । ଏବେ ସେହି ସମାନ ଉଦ୍ଦେଶ୍ୟ ରଖି ଜାତୀୟ ହକି ଦଳର ରଙ୍ଗ ମଧ୍ୟ ବଦଳାଇ ଦିଆଯାଇଛି । ବିଜେପି ଦ୍ୱାରା ହକି ଭଳି ଜାତୀୟ ଖେଳକୁ ରାଜନୀତିକରଣ କରାଯିବାକୁ ସେ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଏହା ଦେଶର ଲକ୍ଷ ଲକ୍ଷ କ୍ରୀଡ଼ାପ୍ରେମୀଙ୍କ ଭାବନାକୁ ଆଘାତ ଦେଇଛି

Leave a Reply

Your email address will not be published. Required fields are marked *