ଓଡ଼ିଶାରୁ ରାଜ୍ୟସଭା ସାଂସଦ ଡ଼ଃ ସସ୍ମିତ ପାତ୍ର କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ଚିଠି ଲେଖି ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ମାନଦେୟ ଓ ପ୍ରୋତ୍ସାହନ ରାଶିର ତୁରନ୍ତ ସମୀକ୍ଷା ଓ ବୃଦ୍ଧି ପାଇଁ ଦାବି କରିଛନ୍ତି । ସକ୍ଷମ ଅଙ୍ଗନୱାଡି ଓ ପୋଷଣ ୨.୦ ଯୋଜନା ଅଧୀନରେ ଥିବା ଅଙ୍ଗନୱାଡି କର୍ମୀ, ମିନି ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ନେଇ ସେ ଏହି ଦାବି ଉପସ୍ଥାପନ କରିଛନ୍ତି । ଡ. ପାତ୍ର ତାଙ୍କ ପ୍ରତିନିଧିରେ କହିଛନ୍ତି ଯେ, ଅଙ୍ଗନୱାଡି କର୍ମୀଙ୍କ ମାନଦେୟ ଶେଷଥର ପାଇଁ ୨୦୧୮ ମସିହାରେ ସଂଶୋଧନ ହୋଇଥିଲା । ପ୍ରାୟ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବୃଦ୍ଧି ହୋଇନାହିଁ । ଏହି ସମୟ ମଧ୍ୟରେ ଜୀବନଯାପନ ଖର୍ଚ୍ଚ ବହୁଗୁଣା ବୃଦ୍ଧି ପାଇଛି । ସେହିପରି ପୋଷଣ ଅଭିଯାନ, ପୋଷଣ ଟ୍ରାକର, ସକ୍ଷମ ଅଙ୍ଗନୱାଡି, ପୁଷ୍ଟି ନଜରଦାରୀ, ଡିଜିଟାଲ ରିପୋର୍ଟିଂ, ହିତାଧିକାରୀ ଟ୍ରାକିଂ, ମାତୃ ସ୍ୱାସ୍ଥ୍ୟ ନିରୀକ୍ଷଣ ଭଳି ଅତିରିକ୍ତ ଦାୟିତ୍ୱ ମଧ୍ୟ ସେମାନଙ୍କ ଉପରେ ପଡ଼ିଛି । “ଅଙ୍ଗନୱାଡି କର୍ମୀ ଓ ସହାୟିକା ହେଉଛନ୍ତି ଭାରତର ପୁଷ୍ଟି, ମାତୃସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ବ୍ୟବସ୍ଥାର ମେରୁଦଣ୍ଡ । ଦେଶବ୍ୟାପୀ ଶିଶୁ କଲ୍ୟାଣ ଓ ପୁଷ୍ଟି ଫଳାଫଳ ସୁଦୃଢ଼ କରିବାରେ ସେମାନଙ୍କର ଅବଦାନ ଅତୁଳନୀୟ । ତେଣୁ ବଢୁଥିବା ମହଙ୍ଗା ଓ ବର୍ଦ୍ଧିତ ଦାୟିତ୍ୱକୁ ଦୃଷ୍ଟିରେ ରଖି ସେମାନଙ୍କ ପାରିଶ୍ରମିକ ସଂଶୋଧନ କରିବା ଉଚିତ” ବୋଲି ଡ. ପାତ୍ର କହିଛନ୍ତି । ଓଡ଼ିଶା ପ୍ରସଙ୍ଗ ଉଠାଇ ସେ କହିଛନ୍ତି, ଗ୍ରାମୀଣ, ଆଦିବାସୀ, ଉପକୂଳ, ଦୂର୍ଗମ ଓ ଆକାଂକ୍ଷୀ ଜିଲ୍ଲାରେ ଲକ୍ଷ ଲକ୍ଷ ଶିଶୁ, ଗର୍ଭବତୀ ଓ ସ୍ତନ୍ୟପାନକାରୀ ମା’ଙ୍କ ପାଇଁ ଅଙ୍ଗନୱାଡି କର୍ମୀ ହିଁ ସରକାର ଓ ଜନତା ମଧ୍ୟରେ ପ୍ରାଥମିକ ସେତୁ ପାଲଟିଛନ୍ତି । ଶେଷ ମାଇଲ ପର୍ଯ୍ୟନ୍ତ ପୁଷ୍ଟି ଓ କଲ୍ୟାଣ ସେବା ପହଞ୍ଚାଇବାରେ ସେମାନଙ୍କ ଭୂମିକା ଅପରିହାର୍ଯ୍ୟ । କେନ୍ଦ୍ରମନ୍ତ୍ରୀଙ୍କୁ ଡ. ପାତ୍ରଙ୍କ ପ୍ରସ୍ତାବ: 1. ବର୍ତ୍ତମାନର ମାନଦେୟ ଓ ପ୍ରୋତ୍ସାହନ କାଠାମୋ ପରୀକ୍ଷା ପାଇଁ ଏକ ସମୀକ୍ଷା କମିଟି ଗଠନ । 2. ୨୦୧୮ ପରଠାରୁ ମହଙ୍ଗା ଓ ଜୀବନଯାପନ ଖର୍ଚ୍ଚ ବୃଦ୍ଧିର ମୂଲ୍ୟାଙ୍କନ । 3.ପୋଷଣ ଅଭିଯାନ, ପୋଷଣ ଟ୍ରାକର, ସକ୍ଷମ ଅଙ୍ଗନୱାଡି ଓ ପୋଷଣ ୨.୦ ଯୋଗୁଁ ବଢ଼ିଥିବା ଦାୟିତ୍ୱର ମୂଲ୍ୟାଙ୍କନ । 4. ଅଙ୍ଗନୱାଡି କର୍ମୀ, ମିନି କର୍ମୀ ଓ ସହାୟିକାଙ୍କ ମାନଦେୟ ବୃଦ୍ଧି । 5. ସେବା ପ୍ରଦାନ ଓ କାର୍ଯ୍ୟଦକ୍ଷତା ଭିତ୍ତିରେ ପ୍ରୋତ୍ସାହନ ରାଶି ବୃଦ୍ଧି । 6. ଆଦିବାସୀ, ଦୂର୍ଗମ, ଉପକୂଳ, ଲେଫ୍ଟ ୱିଂ ଏକ୍ସଟ୍ରିମିଜମ ପ୍ରଭାବିତ ଓ ଆକାଂକ୍ଷୀ ଜିଲ୍ଲାରେ କାର୍ଯ୍ୟ କରୁଥିବା କର୍ମୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ । 7. ଭବିଷ୍ୟତରେ ନିୟମିତ ସମୀକ୍ଷା ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ସୃଷ୍ଟି । Post navigation Big Boost for Mayurbhanj: ମୟୂରଭଞ୍ଜରେ ବିକାଶର ମହାଯଜ୍ଞ: ୪୩୦ କୋଟିର ପ୍ରକଳ୍ପ ସହ ୬୫୦ ଶଯ୍ୟାର ନୂଆ ଟିଚିଙ୍ଗ୍ ହସ୍ପିଟାଲ ଲୋକାର୍ପିତ Girls Rescued from Baramunda Bus Stand: ରାଜ୍ୟ ବାହାରକୁ ଚାଲାଣ ବେଳେ ବରମୁଣ୍ଡା ବସଷ୍ଟାଣ୍ଡରୁ ଜଣେ ନାବାଳିକାଙ୍କ ସମେତ ୩ ଯୁବତୀ ଉଦ୍ଧାର