ମୟୂରଭଞ୍ଜ ଏବଂ ସମଗ୍ର ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଗସ୍ତରେ ଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉଦ୍ଘାଟନ କରିବା ସହିତ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ୪୩୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ମୋଟ ୪୩୦.୨୬ କୋଟି ଟଙ୍କା ବିନିଯୋଗ କରାଯାଉଛି । ଏହି ବୃହତ ବ୍ୟୟବରାଦ ଅଧୀନରେ ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ କ୍ଷେତ୍ର ସହିତ ଜଡ଼ିତ ୩୯ଟି ପ୍ରମୁଖ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଫଳରେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସୁଧାର ଆସିବ, ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପ୍ରକାଶ ପାଇଛି । ଏହି ବିଶାଳ ବିକାଶମୂଳକ କାର୍ଯ୍ୟକ୍ରମ ମଧ୍ୟରେ ୨୮୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୨୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୧୪୯ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୧୮ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରାଯାଇଛି। ବିଶେଷ ଭାବେ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୮୩ଟି ପାନୀୟ ଜଳ ପ୍ରକଳ୍ପ ଆଜି ଉଦ୍ଘାଟିତ ହୋଇଛି, ଯାହା ଦ୍ୱାରା ଏହି ସବୁ ଅଞ୍ଚଳରେ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହେବ ଏବଂ ଜନସାଧାରଣଙ୍କ ଦୈନନ୍ଦିନ ଜୀବନରେ ବ୍ୟାପକ ସୁଧାର ଆସିବ। ଏହି ସମସ୍ତ ପ୍ରକଳ୍ପ ଜିଲ୍ଲାବାସୀଙ୍କୁ ସମସ୍ତ ମୌଳିକ ସେବା ଯୋଗାଇଦେବାରେ ସହାୟକ ହେବ । ଏହି ସାର୍ବଜନୀନ ବିକାଶ କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ପ୍ରମୁଖ ଆକର୍ଷଣ ଥିଲା ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂତନ ବିଲ୍ଡିଂର ଲୋକାର୍ପଣ। ଏହି ଅତ୍ୟାଧୁନିକ ବହୁମୁଖୀ ଚିକିତ୍ସାଳୟ କେବଳ ବାରିପଦା କିମ୍ବା ମୟୂରଭଞ୍ଜ ଜିଲ୍ଲା ନୁହେଁ, ବରଂ ସମଗ୍ର ଉତ୍ତର ଓଡ଼ିଶା ଏବଂ ଏହାର ପଡ଼ୋଶୀ ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରାୟ ୨୫୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଧୁନିକ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉତ୍ତର ଓଡ଼ିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ। ଆଧୁନିକ ସୁବିଧା, ଉନ୍ନତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ବାସ୍ଥ୍ୟସେବାକୁ ଅନେକ ଗୁଣରେ ଶକ୍ତିଶାଳୀ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ନୂତନ ଟିଚିଙ୍ଗ୍ ହସ୍ପିଟାଲ କେବଳ ମୟୂରଭଞ୍ଜର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା, ପଡ଼ୋଶୀ ରାଜ୍ୟ ଏବଂ ଆଖପାଖର ଜନଜାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ବହୁଳ ଭାବେ ଉପକୃତ କରିବ। ବୃଦ୍ଧି ପାଇଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ୍ ସେଣ୍ଟର ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯେଉଁ ଉନ୍ନତ ଚିକିତ୍ସା ସେବା ପାଇଁ ପୂର୍ବରୁ ଲୋକମାନଙ୍କୁ ଦୂର ସହରକୁ ଯିବାକୁ ପଡ଼ୁଥିଲା, ସେହି ସେବା ଏବେ ଘର ନିକଟରେ ଉପଲବ୍ଧ ହେବ, ଯାହାଦ୍ୱାରା ରୋଗୀଙ୍କ ପରିବାରର ଆର୍ଥିକ ଓ ଶାରିରୀକ କଷ୍ଟ ଦୂର ହେବା ସହିତ ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରିବ। ମୟୂରଭଞ୍ଜ ଜିଲ୍ଲାରେ ବହୁ ସଂଖ୍ୟାରେ ଜନଜାତି ଭାଇ ଭଉଣୀ ବାସ କରୁଥିବାରୁ କମ୍ୟୁନିଟି ହେଲ୍ଥ, ମାତୃ ଓ ଶିଶୁ ସ୍ବାସ୍ଥ୍ୟସେବା, ଜନସ୍ବାସ୍ଥ୍ୟ ଗବେଷଣା ଏବଂ ଜନଜାତି ବର୍ଗଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଏହି ମେଡିକାଲ କଲେଜ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଦୃଢ ଆଶା ବ୍ୟକ୍ତ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଇ କହିଛନ୍ତି, ଜିଲ୍ଲାବାସୀଙ୍କୁ ଶ୍ରେଷ୍ଠ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ କରାଯିବା ଦ୍ୱାରା ମୟୂରଭଞ୍ଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଏକ ବଡ଼ ବଳ ମିଳିବ। ଏହି ନୂତନ ହସ୍ପିଟାଲ ଆଗାମୀ ଦିନରେ ସମଗ୍ର ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟ ମାନଚିତ୍ର ବଦଳାଇ ଦେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । Post navigation CM Inaugurated 650 Bed Hospital In Baripada: ବାରିପଦାରେ ୬୫୦ ବେଡ୍ ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Pay Hike for Anganwadi Staff: ଅଙ୍ଗନୱାଡି ଦିଦିଙ୍କ ମାନଦେୟ ବୃଦ୍ଧି ପାଇଁ ସାଂସଦ ଡ଼ଃ ସସ୍ମିତ ପାତ୍ରଙ୍କ ଦାବି, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି