କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ମା’ଙ୍କ ଲିଖିତ ଅଭିଯୋଗ ଆଧାରରେ ସଦର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଅଭିଯୋଗକାରିଣୀ ଓ ତାଙ୍କ ପରିବାର ଜାଜଙ୍ଗ କାଳୀ ମନ୍ଦିର ନିକଟରେ ଝାଡୁ ବ୍ୟବସାୟ କରି ଜୀବିକା ନିର୍ବାହ କରନ୍ତି। ଗତ ୧୫ ଓ୧୬ ଜୁନ ମଧ୍ୟରାତ୍ରି ପ୍ରାୟ ୧.୩୦ଟା ସମୟରେ ତାଙ୍କ ନାବାଳିକା ଝିଅ ଶୌଚ ପାଇଁ ଘରଠାରୁ ପ୍ରାୟ ୫୦ ଫୁଟ ଦୂରକୁ ଯାଇଥିଲେ। ସେହି ସମୟରେ ଦୁଇ ଜଣ ବ୍ୟକ୍ତି ମଦ୍ୟପ ଅବସ୍ଥାରେ ସେଠାରେ ପହଞ୍ଚି ନାବାଳିକାଙ୍କ ମୁହଁ ଚାପି ତାଙ୍କୁ ବଳପୂର୍ବକ ନିକଟସ୍ଥ ସ୍ଥାନକୁ ଉଠାଇନେଇ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ଚିତ୍କାର ଶୁଣି ତାଙ୍କ ମା’ ଓ ବଡ଼ ଭଉଣୀ ଘଟଣାସ୍ଥଳକୁ ଧାଇଁ ଆସିବାର ଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ସେମାନେ ସେଠାରେ ନିଜର ଚପଲ ଓ ମଦ ବୋତଲ ଛାଡ଼ି ପଳାଇଥିଲେ। ଏହି ଘଟଣାରେ ସଦର ଥାନା ପୋଲିସ ମାମଲା ନଂ-୩୭୩, ଜୁନ୍ ୧୬,୨୦୨୬ ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତାର ଧାରା ୭୦(୨), ୭୬, ୧୧୫(୨), ୩୫୧(୩) ସହ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶୁଭମ କୁମାର ନାୟକ ଓରଫ ଅଛୁତା ଓରଫ ପିଣ୍ଟୁ ଓରଫ ଆକାଶ (୩୧) ଏବଂ ବିନୋଦ ବିହାରୀ ମଲ୍ଲିକ (୩୫)ହୋଇଥିବାବେଳେ ଉଭୟ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ତରଣ୍ଡୋ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ମାମଲା ରୁଜୁ ହେବା ପରେ ସଦର ଥାନା ଆଇଆଇସିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଆଇଆଇସି ବାସୁଦେବ ପରିଡ଼ା ଘଟଣାର ତଦନ୍ତ ଦାୟିତ୍ୱ ନେଇଛନ୍ତି। ପୋଲିସ ପକ୍ଷରୁ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଥିବାବେଳେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି। କେନ୍ଦ୍ରାପଡା ଏସ୍ପି ଘଟଣାକୁ ଗୁରୁତ୍ୱର ସହ ନେଇ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। Post navigation Deputy Speaker’s Signature Forged: ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର! ଦୁଇ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଏଫଆଇଆର୍