ଆସନ୍ତାକାଲି ୫ ଘଣ୍ଟା ପାଇଁ ସ୍ଥଗିତ ରହିବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ । ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ଦିନ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏହା ସହିତ ଗୁପ୍ତ ନୀତି ସମୟରେ ମଧ୍ୟ ପାର୍ଶ୍ୱ ଦେବା ଦେବୀଙ୍କ ଦର୍ଶନ କରିବାର ସୁଯୋଗ ମିଳିବ । ବୁଧବାର ମାଘ ମାସ କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ମହାପ୍ରଭୁ ବନକଲାଗି ନୀତି ହେବ । ଦତ୍ତ ମହାପାତ୍ର ସେବକମାନଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯିବ। ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉ ମାନଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଦର୍ଶନ ପାଇବାରୁ ବଞ୍ଚିତ ରହିବେ । କିନ୍ତୁ ପାର୍ଶ୍ୱ ଦେବା ଦେବୀଙ୍କ ଦର୍ଶନ କରିବାର ସୁଯୋଗ ମିଳିବ । Post navigation ମକର ସଂକ୍ରାନ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମକର ସ୍ନାନ ଦିଲ୍ଲୀରେ ଓଡ଼ିଶା ବିଜେପିର ମାନସ ମନ୍ଥନ