ନିର୍ଭୟ ମିଡିଆ : ପୁରୀ

ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିବାର ସଉକ ବୋଧହୁଏ ବିଜୁ ଜନତା ଦଳର ପ୍ରବଳ । ଏମିତିରେ ବିଜଦର ବଡ଼ ନେତା ପ୍ରତି କଥାରେ କହୁଛନ୍ତି ଜୟ ଜଗନ୍ନାଥ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୁହାଯାଉଛି ଜଗନ୍ନାଥଙ୍କ ପରମ ଭକ୍ତ । କିନ୍ତୁ ଜଗନ୍ନାଥଙ୍କୁ ଅସମ୍ମାନିତ କରିବା ପାଇଁ ଏହି ଦଳର ପ୍ରବଣତା ହିଁ ଅଧିକ । ନହେଲେ ମାଲୁଦ ପଞ୍ଚୁଦୋଳ ପଡ଼ିଆରେ ମହାପ୍ରଭୁ ଜଗନ୍ନାଥଙ୍କୁ ଏମିତି ଅନାଥ କରି ବିଜଦ ପ୍ରାର୍ଥୀମାନେ ଛାଡ଼ିଦେଇ ଯାଇଥାନ୍ତେ କି?

ପୁରୀ ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ପରେ ବିଜଦ ପ୍ରାର୍ଥୀମାନେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଯାଇଥିଲେ ଶ୍ରୀମନ୍ଦିର । ଏମାନଙ୍କ ଭିତରେ ଥିଲେ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ବ୍ରହ୍ମଗିରି ପାଇଁ ପ୍ରାର୍ଥୀ ବିଧାୟକ ଉମା ସାମନ୍ତରାୟ । ଅରୂପ ତ କହିଥିଲେ ଯେ, ଜଗନ୍ନାଥଙ୍କ ଡାକରା ଆସିବାରୁ ସେ ପୁରୀରୁ ପ୍ରାର୍ଥୀ ହେଲେ । କିନ୍ତୁ ଏହି ଭକ୍ତମାନେ ଜଗନ୍ନାଥଙ୍କୁ ଏମିତି ଅପମାନ କରିବା ପାଇଁ ବାହାରି ପଡ଼ିଲେ କେମିତି?

୧୯ ତାରିଖ ସନ୍ଧ୍ୟାରେ କୃଷ୍ଣପ୍ରସାଦ ବ୍ଲକ ମାଲୁଦ ପଞ୍ଚୁଦୋଳ ପଡ଼ିଆରେ ବିଜଦ ଆୟୋଜନ କରିଥିଲା ଯୁବ ସମାବେଶ । ପ୍ରାର୍ଥୀ ଭାବେ ଯୋଗ ଦେଇଥିଲେ ଉମାକାନ୍ତ ସାମନ୍ତରାୟ । ଥିଲେ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ସଭା ଆରମ୍ଭ ପୂର୍ବରୁ ଜଗନ୍ନାଥଙ୍କୁ ଭକ୍ତି ଦେଖାଇବା ଫ୍ୟାସନରେ ପରିଣତ ହୋଇଛି । ଏହି ଫ୍ୟାସନ ଧାରାରେ ମଞ୍ଚରେ ଏକ ଟେବୁଲରେ ବସାଇ ଦିଆଯାଇଥିଲା ମହାପ୍ରଭୁଙ୍କୁ । ପ୍ରଦୀପ ଜାଳି ଆରମ୍ଭ ହୋଇଥିଲା ସଭା । ବକ୍ତାମାନେ ମହାପ୍ରଭୁ ଜଗନ୍ନାଥଙ୍କ କରୁଣା ଲାଭ ଆଶା କରି ଭାଷଣ ବି ଦେଇଥିଲେ । ନିର୍ବାଚନୀ ପ୍ରଚାର ହେଲା । ଉମା ଏବଂ ଅରୂପ କର୍ମୀ ଓ ଜନତାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।

ସଭା ସରିଲା । ଯିଏ ଯାହାବାଟେ ଯୁଆଡ଼େ । ମହାପ୍ରଭୁଙ୍କୁ କନାରେ ଅଧା ଘୋଡ଼ାଇ ପଡ଼ିଆ ମଝିରେ ରଖିଦିଆଗଲା । ସତେ ଯେମିତି ଏହି ପଡ଼ିଆର ଗାର୍ଡ଼ ହେଉଛନ୍ତି ମହାପ୍ରଭୁ । ୩ ଦିନ ହେଲା ସେମିତି ଅଛନ୍ତି ପ୍ରଭୁ ଜଗନ୍ନାଥ । ଟିକଟ ପାଇଲେ, ଜଗନ୍ନାଥ ଦର୍ଶନ କଲେ । ପ୍ରଚାର ପାଇଁ ଜଗନ୍ନାଥଙ୍କୁ ଦରକାର କରୁଥିଲେ । ଜିତିବା ପାଇଁ ତାଙ୍କର ଆଶୀର୍ବାଦ ବି ଲୋଡ଼ା । କିନ୍ତୁ କାମ ସରିଗଲେ ପ୍ରଭୁଙ୍କୁ କିଏ ପଚାରେ?
ପରିକ୍ରମା ପ୍ରକଳ୍ପ ନାମରେ ଗୁଡ଼ାଏ ତାମସା ଚାଲିଲା ସାରା ରାଜ୍ୟରେ । ଅଟୋରେ ମହାପ୍ରଭୁଙ୍କୁ ବସେଇ ଚାଉଳ ଓ ଗୁଆ ଭିକ୍ଷା କରାଗଲା । ବଡ଼ ଦୟନୀୟ କରି ମହାପ୍ରଭୁଙ୍କୁ ଭିକାରୀ ବନାଇ ଦେଲେ । ଏହିସବୁ ଅଟୋକୁ କୁହାଗଲା ଅର୍ପଣ ରଥ । ଏବେ ମହାପ୍ରଭୁ ସରକାରଙ୍କ ପଡ଼ିଆ ଜଗିବାକୁ ବାହାରିଲେଣି । କିଛି ମାସ ତଳେ ଭଦ୍ରକରେ ନେହରୁ ପଡ଼ିଆରେ ସେମିତି ଉତ୍ସବ ପରେ ଛାଡ଼ି ଦିଆଯାଇଥିଲା ଜଗନ୍ନାଥଙ୍କୁ ।
ଅବଶ୍ୟ ଯେଉଁଠି ଜଗନ୍ନାଥଙ୍କଠୁ ନବୀନ ବଡ଼, ସେ ରାଜ୍ୟରେ ଜଗନ୍ନାଥଙ୍କ ଅବସ୍ଥା ଆହୁରି ଯେ ଖରାପ ନହେବ, ସେ ଗ୍ୟାରେଣ୍ଟି କିଏ ଦେବ?

By Nirvay

Leave a Reply

Your email address will not be published. Required fields are marked *