ଆଜି ୭୮ ବର୍ଷରେ ପାଦ ଦେଇଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ରାଜନୀତି ଓ ଅନ୍ୟ କ୍ଷେତ୍ର ସହ ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ । ଏହି ସମୟରେ ବିଜେଡ଼ିରେ ଦେଖିବାକୁ ମିଳିଛି ଗୋଷ୍ଠୀ କନ୍ଦଳ। ହସ ହସ ବଦନରେ ନିଜ ଜନ୍ମଦିନକୁ ଉତ୍ସବ ମୁଖରିତ କରିଥିବା ପୂର୍ବତନ ଛାମୁଙ୍କୁ ଏ କି ଉପହାର ଦେଲେ ଲତିକା ପ୍ରଧାନ? ସବୁ ଠିକ ଠକ ଚାଲିଛି ବୋଲି ବାହାସ୍ଫୋଟ ମାରୁଥିବା ନବୀନଙ୍କ ମୁହଁ ବନ୍ଦ କରିଦେଇଛନ୍ତି ଲତିକା ।

କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଆସ୍କାରେ ବିଜେଡିକୁ ହରାଇବାକୁ ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ବିଜେପି ସହ ହାତ ମିଳାଇଥିଲେ ବୋଲି ସେ କହିଛନ୍ତି । ଏଭଳି ଜଣେ ପ୍ରାର୍ଥୀଙ୍କ ପାଇଁ ବିଜେଡି ଆସ୍କା ଲୋକସଭା ସହ ଅନେକ ବିଧାନସଭା କ୍ଷେତ୍ରରେ ହାରିଲା । ହିଞ୍ଜିଳିରେ ଭୋଟ କମିବା ସହ କବିସୂର୍ଯ୍ୟନଗରରେ ବି ଦଳ ତାଙ୍କ ପାଇଁ ହାରିଲା । ବିଜେପି ଏଜେଣ୍ଟଙ୍କ ସହ ମିଶି ବିଭୀଷଣ କାମ କରିଥିଲେ ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ବୋଲି ଦାବି କରିଛନ୍ତି ଲତିକା ପ୍ରଧାନ।

ସେ ଆଉ ମଧ୍ୟ କହିଛନ୍ତି ସ୍ୱର୍ଗତ ବିଜୁ ବାବୁଙ୍କ ସମୟରୁ ଆସିକା ସଂସଦୀୟ କ୍ଷେତ୍ର ଅନ୍ୟ କାହା ହାତକୁ ଯାଇ ନଥିଲା। ଏଭିଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆସିକା ସିଟ୍‌ ପଳାଇଲା। ରଞ୍ଜିତାଙ୍କ ନିର୍ବାଚନ ପରିଚାଳନା ତ୍ରୁଟି ଯୋଗୁ ଆମେ ସବୁ ସିଟ୍‌ ହରାଇଲୁ।ଏହା ସହ ବିଭୀଷଣ ସାଜି ଦଳବିରୋଧୀ କାମ କରିଥିବା ନେଇ ପ୍ରମାଣ ବି ଅଛି ବୋଲି ଲତିକା କହିଛନ୍ତି । ଏପରିକି ସମସ୍ତ ପ୍ରମାଣ ସହ ଏନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଛି । କାର୍ଯ୍ୟାନୁଷ୍ଠାନ ନେବାକୁ ଦଳର ସଭାପତିଙ୍କୁ ଅନୁରୋଧ କରିଛି । କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଲତିକା ପ୍ରଧାନ କହିଛନ୍ତି ।

ଅନ୍ୟପଟେ କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କ ଅଭିଯୋଗର ଜବାବ ଦେଇଛନ୍ତି ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ । ରଞ୍ଜିତା କହିଛନ୍ତି ଯେ ସେଭଳି କିଛି ନାହିଁ । ଏହା ଦଳ ଭିତର କଥା । ସୁପ୍ରିମୋଙ୍କୁ ଜଣାଇବୁ । ବିଜେପି ସହ ମିଶି ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗକୁ ମଧ୍ୟ ରଞ୍ଜିତା ଖଣ୍ଡନ କରିଛନ୍ତି । ମୁଁ ବିଜେଡି ସଦସ୍ୟ, ବିଜେଡିର ପ୍ରାର୍ଥୀ ଥିଲି । ଏଭଳି ଆରୋପ ଠିକ ନୁହେଁ । ଦଳ କିଭଳି ସୁଦୃଢ ହେବ ସେନେଇ ଆମେ କାମ କରୁଛୁ ବୋଲି ରଞ୍ଜିତା ସାହୁ କହିଛନ୍ତି ।

ଏହି ମଧ୍ୟରେ ପ୍ରଶ୍ନ ଉଠୁଛି ନିର୍ବାଚନ ପରାଜୟ ପରେ ନବୀନ ପଟ୍ଟନାୟକ ଦଳକୁ ମଜବୁତ୍ ଏବଂ ଲୋକପ୍ରିୟ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଦଳ ର ନେତା ମାନଙ୍କୁ ଅପ୍ରୀତିକର ମନ୍ତବ୍ୟ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ, ଏବଂ ନିର୍ବାଚନ ପରାଜୟ ପରେ ଦଳର ସମସ୍ତ ନେତା ମାନଙ୍କୁ ଡାକି ବୈଠକ ମଧ୍ୟ କରିଥିଲେ । ବୈଠକରେ ପରାଜୟର କାରଣ ଓ ଅସୁବିଧା ସଂମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ କିନ୍ତୁ ସେହି ସମୟରେ କେହି ମଧ୍ୟ କୌଣସି ସଂପର୍କରେ କହି ନଥିବା ବେଳେ ନିର୍ବାଚନ କୁ ଚାରି ମାସ ପୁରି ସରିଥିବା ବେଳେ ଆସ୍ତେ ଆସ୍ତେ ଦଳର ଭିତରି କଥା ଓ ଦଳ କନ୍ଦଳ ସବୁ ବାହାରେ ଆସି ପଡ଼ିଲାଣି ।

ଖୋଦ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ ଦଳ ମଧ୍ୟରେ କନ୍ଦଳ ସମ୍ପର୍କରେ କେହି ମଧ୍ୟ ମିଡ଼ିଆ ଆଗରେ ଆସି ମନ୍ତବ୍ୟ ଦେଇ ନଥିଲେ । ଆଜି ଦଳ ମୁଖିଆ ଙ୍କ ଜନ୍ମଦିନରେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଏଭଳି ମିଡ଼ିଆ ଆଗରେ ଆସି ମନ୍ତବ୍ୟ ରୂପୀ ଉପହାର ଦେଇଛନ୍ତି ତାହା ଗଞ୍ଜାମ ଜିଲ୍ଲାର ରାଜନୀତିକୁ ସରଗରମ କରିଛି ।  ଭବିଷ୍ୟତରେ ଏହି  ସମସ୍ୟା ଗଞ୍ଜାମ ଜିଲ୍ଲାରେ ବିଜୁ ଜନତା ଦଳପାଇଁ ଚିନ୍ତାର ବିଷୟ ହେଇପାରେ ବୋଲି ବିଭିନ୍ନ ମହଲ ରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *