କୋଟିଆ ହେଉଛି ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଏହାର ଅସ୍ମିତା ଓ ଅଖଣ୍ଡତାର ପ୍ରତୀକ। ଓଡ଼ିଶାର ଇଞ୍ଚଟିଏ ଜମି ମଧ୍ୟ କାହାକୁ ଦିଆଯିବ ନାହିଁ ବୋଲି ଭାରତୀୟ ଜନତା ପାର୍ଟି ସରକାର ଦୃଢ଼ ସଂକଳ୍ପ ନେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ସମସ୍ତ ବିରୋଧୀ ଦଳକୁ ସାଙ୍ଗରେ ନେଇ କୋଟିଆର ସୁରକ୍ଷା ଓ ବିକାଶ ପାଇଁ ଆଗକୁ ବଢ଼ିବାକୁ ପ୍ରସ୍ତୁତ ଅଛନ୍ତି। ରାଜ୍ୟ ସରକାର ସମସ୍ତ ବିରୋଧୀ ଦଳକୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରସ୍ତୁତ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀବ ବାବୁ କେବଳ ଟୁଇଟ୍ କରି ଓ ଚିଠି ଲେଖି ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଛନ୍ତି ବିରଞ୍ଚି ତ୍ରିପାଠୀ କହିଛନ୍ତି ଯେ, ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିବା ସତ୍ତ୍ୱେ ବିଜେଡି ସରକାର କୋଟିଆ ପାଇଁ କ’ଣ କରିଛି ତାର ହିସାବ ଓଡ଼ିଶାବାସୀଙ୍କୁ ଦେବାର ଆବଶ୍ୟକତା ରହିଛି । ୨୦୨୨ ମସିହାରେ ବାଚସ୍ପତିଙ୍କର ନେତୃତ୍ୱରେ କୋଟିଆକୁ ବିଧାନସଭାର ଗୃହ କମିଟି ଯିବା ପାଇଁ ତତ୍କାଳୀନ ବିଜେଡି ସରକାର ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ବିଜେଡି ସରକାର ସମୟରେ ଗୃହ କମିଟି କୋଟିଆ ଯିବା ପାଇଁ କୌଣସି ପ୍ରକାର ତତ୍ପରତା ଦେଖାଇଲେ ନାହିଁ । ଏବେ ବିଜେଡି ଆନ୍ଧ୍ରପ୍ରଦେଶର ପଂଚାୟତ ନିର୍ବାଚନ ପ୍ରସଙ୍ଗ କହୁଥିବାବେଳେ ୨୦୨୧ ଫେବୃଆରୀ ୧୩ ତାରିଖରେ ଯେତେବେଳେ ଆନ୍ଧ୍ର ପ୍ରଶାସନ କୋଟିଆର ଗଞ୍ଜେଇପଦର, ଫାଟୁସିନେରୀ, ଫଗୁଣସିନେରୀ ଓ ନେରେଡିବାଲସାରେ ପଂଚାୟତ ନିର୍ବାଚନ କରାଇଲା, ସେତେବେଳେ ତତ୍କାଳୀନ ବିଜେଡି ସରକାର ତାହାକୁ ପ୍ରତିହିତ କରାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ବରଂ ମହାନଦୀ ଭଳି ସୁପ୍ରିମ କୋର୍ଟରେ ମାମଲା ଦାୟର କରି ଚୁପ୍ ହୋଇ ବସିଯାଇଥିଲେ । ବିରଞ୍ଚି ତ୍ରିପାଠୀ ଆହୁରି ମଧ୍ୟ ମନେ ପକାଇ ଦେଇଛନ୍ତି ଯେ, ୨୦୨୧ ନଭେମ୍ବର ୯ ତାରିଖରେ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ନବୀନ ନିବାସ ଆସି ବୈଠକ କରୁଥିବା ବେଳେ, ସେହି ସମୟରେ କୋଟିଆ ଗ୍ରାମଗୁଡ଼ିକରେ ଆନ୍ଧ୍ର ଅଧିକାରୀମାନେ ଜଗନ ରେଡ୍ଡୀଙ୍କ ପୋଷ୍ଟର ଲଗାଇ ଜନଶୁଣାଣି କରୁଥିଲେ । ସେ ସମୟରେ ବିଜେଡି ସରକାର ଏବଂ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଅଟକାଇବା ପାଇଁ କୌଣସି କାର୍ଯ୍ୟ କରି ନଥିଲା । କ’ଣ ପାଇଁ ବିଜେଡି ଚୁପ୍ ରହିଥିଲା ଏହାର ଉତର ଓଡ଼ିଶାବାସୀଙ୍କୁ ନବୀନ ବାବୁ ଉତର ଦେବାକୁ ବିରଂଚି ତ୍ରିପାଠୀ ଆହ୍ୱାନ ଦେଇଛନ୍ତି । ଅପରପକ୍ଷରେ ଓଡ଼ିଶାରେ ବିଜେପି ବିରୋଧୀ ଦଳରେ ଥିବାବେଳେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଥିଲେ । କେନ୍ଦ୍ରର ଭାଜପା ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ଟେଲିଫୋନ୍ ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେ ସମୟରେ ତତ୍କାଳୀନ ବିରୋଧୀ ଦଳର ନେତା ଶ୍ରୀ ପ୍ରଦୀପ୍ତ ନାଏକ ଏବଂ ତତ୍କାଳୀନ ଭାରତୀୟ ଜନତା ପାର୍ଟିର ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ସମସ୍ତ ନେତୃମଣ୍ଡଳଙ୍କ ସହ ବିରଞ୍ଚି ତ୍ରିପାଠୀ ନିଜେ କୋଟିଆର ପ୍ରତ୍ୟେକ ଗ୍ରାମକୁ ଗସ୍ତ କରି ସେଠାକାର ଲୋକଙ୍କ ସମସ୍ୟା ଅନୁଧ୍ୟାନ କରିବା ସହ ଓଡ଼ିଶା ପ୍ରତି ନିଷ୍ଠାପର ଭାବନା ଜାଗ୍ରତ କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ କୋଟିଆ ସମସ୍ୟାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ ବାରମ୍ବାର କୋଟିଆ ଗସ୍ତ କରି ସେ ଅଂଚଳର ବିଭିନ୍ନ ସାଂସ୍କୃତିକ ପର୍ବରେ ଯୋଗଦାନ କରିଛନ୍ତି । ଉକ୍ତ ଅଂଚଳରେ ବିଦ୍ୟୁତ ସଂଯୋଗ, ଓଡ଼ିଆ ଶିକ୍ଷା, ‘ସୁଭଦ୍ରା’ ଯୋଜନାର ସହାୟତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ ପ୍ରଦାନ କରିଛନ୍ତି । ଆନ୍ଧ୍ରର ନିର୍ବାଚନ ଚର୍ଚ୍ଚା ସାମ୍ନାକୁ ଆସିବା ମାତ୍ରେ ଛୁଟି ଦିନରେ ମଧ୍ୟ ରାଜସ୍ୱ ମନ୍ତ୍ରୀ, ଗୃହ ସଚିବ, ଆଇନ ସଚିବ, ଆଡଭୋକେଟ ଜେନେରାଲ, ଆରଡିସି ଓ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଚ୍ଚସ୍ତରୀୟ ବୈଠକ କରି ଆଇନଗତ ଓ ପ୍ରଶାସନିକ ରଣନୀତି ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ନିର୍ଭରଶୀଳ ଥିବାରୁ ଓଡ଼ିଶାରେ ବିଜେପି ସରକାର ନିରବ ରହିଛି ବୋଲି ବିଜେଡି କରୁଥିବା ଅପପ୍ରଚାରକୁ ଖଣ୍ଡନ କରି ବିରଞ୍ଚି ତ୍ରିପାଠୀ କହିଛନ୍ତି ଯେ, ଲୋକସଭାରେ ବିଜେଡି ଶୂନ ହୋଇଥିବାରୁ ସେମାନେ ସଂସଦୀୟ ଗଣିତ ଭୁଲିଯାଇଛନ୍ତି । ଲୋକସଭାରେ ଏନ୍ଡିଏ ପାଖରେ ୩୧୯ ଜଣ ସାଂସଦ ଅଛନ୍ତି । ସେଥିରୁ ଟିଡିପିର ୧୬ ଜଣ ସଦସ୍ୟଙ୍କୁ ବାଦ୍ ଦେଲେ ମଧ୍ୟ ଏନଡିଏ ପାଖରେ ୩୦୩ ଜଣ ସାଂସଦଙ୍କ ସ୍ପଷ୍ଟ ବହୁମତ ରହିଛି । ତେଣୁ ବିଜେଡି ଏଭଳି ଭିତିହୀନ ଅପପ୍ରଚାର ମାଧ୍ୟମରେ ନିଜ ୨୪ ବର୍ଷର ନିଷ୍କ୍ରିୟତାକୁ ଲୁଚାରଇବାର ଅପପ୍ରୟାସର ଉଚିତ୍ ଜବାବ ଜନସାଧାରଣ ଦେଇଛନ୍ତି ଓ ଆଗାମୀ ଦିନରେ ମଧ୍ୟ ଜବାବ୍ ଦେବେ ବୋଲି ବିରଞ୍ଚି ତ୍ରିପାଠୀ ଆଶାବ୍ୟକ୍ତ କରିଛନ୍ତି । ଏବେ ନବୀନ ବାବୁ କୋଟିଆ ସମ୍ବନ୍ଧରେ ଯେତେବେଳେ ପ୍ରଶ୍ନ କରୁଛନ୍ତି, ତାଙ୍କ ସରକାର ସମୟରେ ଏଥିପାଇଁ କ’ଣ କରିଥିଲା ତାହାର ଜବାବ ଆଜି ଓଡ଼ିଶାବାସୀ ମାଗୁଛନ୍ତି ବୋଲି ବିରଞ୍ଚି ତ୍ରିପାଠୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଓ ରାଜ୍ୟ ପ୍ରବକ୍ତା ସଞ୍ଜୟ ରଥ ଉପସ୍ଥିତ ଥିଲେ । Post navigation Konark Land Recovery: ସରକାରୀ ଖାତାକୁ ଫେରିଲା କୋଣାର୍କର ୧୧ ଏକର ଜମି BJD Slams Over Safety of Women and Tourists: ବିଜେପି ଶାସନରେ ଅସୁରକ୍ଷିତ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ: ସରକାରଙ୍କୁ ବିଜେଡିର କଡ଼ା ସମାଲୋଚନା