ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ‘ଜନସେବକଙ୍କ ମହାକୁମ୍ଭ’ ଆୟୋଜନ କରାଯିବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ।

ସେ କହିଛନ୍ତି ୨୦୦୧ ମସିହା ଅକ୍ଟୋବର ୧୭ ତାରିଖରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଆସନ୍ତା ଅକ୍ଟୋବର ୧୭ ତାରିଖରେ ତାଙ୍କ ଶାସନ ଓ ଜନସେବାର ୨୫ ବର୍ଷ ପୂରଣ ହେଉଥିବା ବେଳେ ଏହାକୁ ଆଡ଼ମ୍ବର ସହକାରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦେଶର ମୋଟ ୪ଟି ପ୍ରମୁଖ ସ୍ଥାନରେ ଏହି ମହାକୁମ୍ଭ ଆୟୋଜିତ ହେବାକୁ ଥିବା ବେଳେ ଓଡ଼ିଶା ରିଜିଅନ୍ ପାଇଁ ଏହି କାର୍ଯ୍ୟକ୍ରମ କୋଲକାତାରେ ଅନୁଷ୍ଠିତ ହେବ।

ଏହି ମହାସମାବେଶରେ ଓଡ଼ିଶାର ତୃଣମୂଳ ସ୍ତରର ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଧାୟକ ଓ ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତ ବିଜେପି ଜନପ୍ରତିନିଧି ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ପ୍ରତିନିଧିମାନଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ମନ୍ତ୍ରୀ ରବି ନାରାୟଣ ନାୟକ ଏବଂ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *