ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପୁଣି ଥରେ ସମାଲୋଚନା କରିଛନ୍ତି। ବୈଜୟନ୍ତ ପଣ୍ଡା ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି ଯେ, ଏ ଘଟଣା ପରେ ଆଉ ଏକ ଏଆଇ ପ୍ରସ୍ତୁତ ଡିଫ୍ ଫେକ୍ ଭିଡିଓ ଜାରି କରାଯାଇ ସବୁ କିଛି ଠିକ୍ ଅଛି ବୋଲି ଉଦ୍ୟମ କରାଯାଇଛି । ଯାହାକୁ ଆଦୌ ଅଣଦେଖା କରାଯାଇପାରିବନି । ନିଜର ଅଭିଳାଷ ପୂରଣ ପାଇଁ ସେହି କଣ୍ଡେଇନଚାଳି ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କହିବା ପାଇଁ କହି ମୁଖ୍ୟମନ୍ତ୍ରୀଙ୍କୁ ଭୁଲ ରାସ୍ତା ଦେଖାଉଛନ୍ତି । ଯାହା ମୁଖ୍ୟମନ୍ତ୍ରୀ ନିଜ ତରଫରୁ ଆଦୌ କରିନଥିବେ । ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନଚାଳି ଜଣକ ଶାରିରୀକ ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଏବଂ ତାଙ୍କ ହାତକୁ ଟାଣି ଆଣିବା ଦୃଶ୍ୟକୁ ହଜାର ହଜାର ଲୋକ ନିଜ ଆଖିରେ ଦେଖିଛନ୍ତି । ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ନାଁ ନ ନେଇ ଏବେ ବହୁତ ହୋଇଗଲା, କଣ୍ଡେଇ ନଚାଳିଙ୍କୁ ବାଏ ବାଏ କରିବାକୁ ଆହ୍ୱାନ ଦେଇଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟିରେ ଦେଖିବାକୁ ମିଳିଛି ନବୀନ ପଟ୍ଟନାୟକ ଭାଷଣ ଦେବା ବେଳେ ତାଙ୍କ ହାତ ଥରୁଛି। ତାଙ୍କ ପାଇଁ ମାଇକ୍‌ ଧରି ଛିଡ଼ା ହୋଇଥିବା ଭି.କେ ପାଣ୍ଡିଆନ ତାହା ଦେଖିପାରିଛନ୍ତି। ଲୋକେ ଯେମିତି ନବୀନଙ୍କ ଥରୁଥିବା ହାତଟିକୁ ନ ଦେଖନ୍ତୁ ସେଥିପାଇଁ ସେ ନବୀନଙ୍କ ହାତକୁ ଟିକେ ଦେଖୁଛନ୍ତି ଓ ତା’ ପରେ ଲୋକଙ୍କୁ କଣେଇ କଣେଇ ଚାହୁଁଛନ୍ତି। ଆଉ ମଉକା ଦେଖି ନବୀନଙ୍କ ଥରୁଥିବା ହାତଟିକୁ ଭିଡ଼ି ନେଉଛନ୍ତି, ଯେମିତି କେହି ନଦେଖିପାରିବେ। ଏହି ଭିଡିଓ ଭାଇରାଲ ହେବା ପରେ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିରେ ସେ କହିଥିଲେଯେ ତାଙ୍କ ହାତ ସଂପର୍କରେ ବିଜେପି ଜାଣିଶୁଣି ଅଯଥା ପ୍ରସଙ୍ଗ କରୁଛି। ବିଜେପିର ଏହି ପ୍ରସଙ୍ଗ କାମ ଦେବନି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *